ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଯୋଜନା ନବୀନ କାର୍ଡ କାର୍ଯ୍ୟକ୍ରମର ଶୁଭାରମ୍ଭ

ବଲାଙ୍ଗିର : ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଯୋଜନା ନବୀନ କାର୍ଡ ପଞ୍ଜୀକରଣ ନିମନ୍ତେ ସଚେତନତା କରିବା କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି । ଜିଲ୍ଲାପାଳ ଚଞ୍ଚଳ ରାଣା ୩ ଟି ରଥକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି  । ୩ଟି ଉପଖଣ୍ଡ ଅନ୍ତର୍ଗତ ସମସ୍ତ ଗ୍ରାମପଞ୍ଚାୟତକୁ ଯାଇ ଏହି ରଥ ନୂଆ ବିଏସକେୱାଇ ନବୀନ କାର୍ଡ ଉପରେ ଲୋକଙ୍କୁ ସଚେତନ କରିବା ସହ ହିତାଧିକାରୀମାନେ କିପରି ପଞ୍ଜୀକରଣ କରିବେ ସେ ବିଷୟରେ ସଚେତନ କରିବ ।
ଏହି ପଞ୍ଜୀକରଣ ଆଜିଠାରୁ ୧୬ ଜାନୁଆରୀ ପର୍ଯ୍ୟନ୍ତ ହେବ । ଏହି କାର୍ଡ ଅନ୍ତର୍ଭୁକ୍ତ ହେଇନଥିବା ସବୁ ଗ୍ରାମୀଣ ପରିବାର (ନିୟମିତ ସରକାରୀ କର୍ମଚାରୀ , ପେନସନଧାରୀ ଏବଂ ଆୟକର ଦାତାଙ୍କ ବ୍ୟତୀତ )  ନବୀନ କାର୍ଡପାଇଁ ଯୋଗ୍ୟ ବିବେଚିତ ହେବେ । ନବୀନ କାର୍ଡ ହିତାଧିକାରୀମାନେ ତାଲିକା ଭୁକ୍ତ ଘରୋଇ ମେଡ଼ିକାଲମାନଙ୍କରେ ନିର୍ଦ୍ଧାରିତ ଗୁରୁତର ରୋଗ ଗୁଡିକର ଦେୟମୁକ୍ତ ଚିକିତ୍ସା ପାଇବେ । ସେମାନେ ଓଡ଼ିଶା ବାହାରେ ମଧ୍ୟ ଅନ୍ତର୍ଭୁକ୍ତ ମେଡିକାଲରେ ଏହିସବୁ ରୋଗର ଦେୟମୁକ୍ତ ଚିକିତ୍ସା କରାଇ ପାରିବେ । ଏଥିରେ ପ୍ରତି ପରିବାର ପାଇଁ ବାର୍ଷିକ ୫ ଲକ୍ଷ ଓ ମହିଳା ସଦସ୍ୟାଙ୍କ ପାଇଁ ୧୦ ଲକ୍ଷ ଟଙ୍କାର ପ୍ରାବଧାନ କରାଯାଇଛି । ଏହି ସୁବିଧା ୨୦୨୪ ମସିହା ମେ ମାସ ପହିଲାରୁ ଆରମ୍ଭ ହେବ । ତେବେ ଜାତୀୟ ଖାଦ୍ୟ ନିରାପତ୍ତା ବା ରାଜ୍ୟ ଖାଦ୍ୟ ନିରାପତ୍ତା ଯୋଜନାରେ ନୂଆ ଭାବେ ଅନ୍ତର୍ଭୁକ୍ତ ହେଉଥିବା ହିତାଧିକାରୀମାନେ ବର୍ତ୍ତମାନ ଚାଲୁ ରହିଥିବା ବିଏସକେୱାଇରେ ସ୍ଵତଃ ଅନ୍ତର୍ଭୂକ୍ତ ହେବେ  । ଆଜିର ଏହି ଉଦଘାଟନୀ ଉତ୍ସବରେ  ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର କୁବେର ଚନ୍ଦ୍ର ମହନ୍ତ , ଅତିରିକ୍ତ  ଜନସ୍ୱାସ୍ଥ୍ୟ ଅଧିକାରୀ ଡ଼ା ସୁଦ୍ଧା ବାର୍ଳା , ବିଶେଷଜ୍ଞ ଡା. ତୁଷାରକାନ୍ତ ଠାକୁର , ଜାତୀୟ ସ୍ୱାସ୍ଥ୍ୟ ମିଶନର ଜିଲ୍ଲା ପ୍ରୋଗ୍ରାମ ମେନେଜର ମୃତ୍ୟୁଞ୍ଜୟ ମୁଣ୍ଡ , ମେଡ଼ିକାଲ ସମ୍ପାଦନା ଅଧିକାରୀ ଈପ୍ସିତା ମିଶ୍ର,  ଜିଲ୍ଲା ଜନସ୍ୱାସ୍ଥ୍ୟ ଯୋଗାଯୋଗ ଅଧିକାରୀ ରିତାଞ୍ଜାଳୀ ମିଶ୍ର  ପ୍ରମୁଖ ଉପସ୍ଥିତ ଥିଲେ ।

Comments are closed.