ଆଜି ସଫଳା ଏକାଦଶୀ ବ୍ରତ, ଏହି ବ୍ରତ କରିବା ଦ୍ୱାରା ଅଜାଣତରେ କରିଥିବା ଜୀବହତ୍ୟା ଦୋଷ କ୍ଷୟ ହୋଇଥାଏ

‘ସଫଳା ଏକାଦଶୀ’ ବ୍ରତକଥା ଟି ସତ୍ୟଯୁଗର ଏକ ଘଟଣା ଅଟେ। ସେହି କଥା ଅନୁସାରେ, ସତ୍ୟ ଯୁଗରେ ଚମ୍ପାବତୀ ନାମକ ନଗରରେ ମାହିଷ୍ମତ ନାମରେ ଜଣେ ରାଜା ଥିଲେ। ତାଙ୍କର ଥିଲେ ଚାରିପୁତ୍ର। ଚାରିଜଣ ଯାକ ଥିଲେ ଦୁରାଚାରୀ। ସବୁଠୁ ଦୁରାଚାରୀ ଥିଲା ଜ୍ୟେଷ୍ଠପୁତ୍ର ଲମ୍ବକ।

ଲମ୍ବକର ସ୍ୱଭାବ ଓ ଚରିତ୍ରରେ ଅତିଷ୍ଠ ହୋଇ ମାହିଷ୍ମତ ତାକୁ ରାଜ୍ୟରୁ ନିର୍ବାସିତ କରିଦେଲେ। ଫଳରେ ସେ ବନକୁ ଯାଇ, ପଶୁପକ୍ଷୀ ମାରି, ମାଂସ ଖାଇ, ଜୀବନ ବିତାଇବାକୁ ଲାଗିଲା। ଏପରିକି, ଯେଉଁ ଅଶ୍ୱତ୍ଥ ବୃକ୍ଷ ତଳେ ଜନମାନବ ବାସ କରିବା ନିଷେଧ, ସେହି ଅଶ୍ୱତ୍ଥ ବୃକ୍ଷତଳେ ସେ ବାସକଲା।

ଏହିପରି ଭାବରେ ଅନେକ ଦିନ ଦୁଃଖକଷ୍ଟରେ ବିତାଇବା ପରେ, ତାର ମନରେ ଭାବନା ଆସିଲା- ଜୀବହତ୍ୟା ମହାପାପ। ଆଉ ଜୀବହତ୍ୟା କରି ନରକକୁ ଯିବିନାହିଁ। ଜାଣତରେ ଏବଂ ଅଜାଣତରେ ମୁଁ ବହୁତ ଜୀବ ହତ୍ୟା କଲିଣି। ଏଥର ଏସବୁ ନକରି ଫଳାହାର କରି ଦିନ ବିତାଇବି। ବେଶ୍ୟାଳୟରେ ଅର୍ଥ ଅପବ୍ୟୟ ନକରି ସେହି ଧନକୁ ସତ୍କାର୍ଯ୍ୟରେ ଲଗାଇଥିଲେ ଏତେ ପାପ ଅର୍ଜି ନଥାନ୍ତି।

ଦିନେ ପ୍ରବଳ ଶୀତ ଓ ଖାଦ୍ୟାଭାବ ଯୋଗୁଁ ସେ ବହୁ କଷ୍ଟପାଇଲା।ସେଦିନଟି ଥିଲା ପୌଷକୃଷ୍ଣଏକାଦଶୀ। ସାରାରାତି ତାକୁ ନିଦ ହେଲାନାହିଁ। ବିଷ୍ଣୁଙ୍କ ନାମ ସ୍ମରଣ କରି ରାତିଟି ବିତାଇଲା। ପରଦିନ ସକାଳେ କିଛି ଫଳମୂଳ ସଂଗ୍ରହ କରି, ସେସବୁକୁ ନାରାୟଣଙ୍କୁ ସମର୍ପଣ କରି, ତାହାକୁ ଭୋଜନ କଲା। ତାହା ଫଳରେ, ଅଜାଣତରେ ହେଉପଛେ, ନାରାୟଣ ତା’ପ୍ରତି ସଦୟ ହୋଇ ତାକୁ ଏକାଦଶୀ ବ୍ରତର ଶୁଭ ଫଳ ଦେଲେ। ଲମ୍ବକର ଦୁର୍ଗତି ଦୂରହେଲା।

ପରବର୍ତ୍ତୀ କାଳରେ ଲମ୍ବକ ମଧ୍ୟ ଚମ୍ପାବତୀ ନଗରର ରାଜା ହେଲେ। ବନାଶ୍ରମ ବିଧିରେ, ନିଷ୍ଠାପର ଓ ପବିତ୍ର ଜୀବନଯାପନ କରି ଜଣେ ପ୍ରଜାବତ୍ସଳ ରାଜା ରୂପେ ଖ୍ୟାତହେଲେ। ମୃତ୍ୟୁପରେ ସେ ବିଷ୍ଣୁଲୋକ ରେ ସ୍ଥାନ ପାଇଲେ।

ପୌଷମାସ କୃଷ୍ଣପକ୍ଷ ଏକାଦଶୀ ‘ସଫଳା ଏକାଦଶୀ’ ଭାବରେ ଖ୍ୟାତ। ଏହିଦିନ ଉଜାଗର ରହି, ନଡ଼ିଆ, କଦଳୀ ଓ ଅଁଳା ଆଦି ଫଳ ସହିତ ଧୂପ ଦୀପ ଦେଇ ଭଗବାନ ବିଷ୍ଣୁଙ୍କୁ ପୂଜା କରାଯାଏ। ପରଦିନ, ବ୍ରତର ପାରାୟଣ ପରେ, କେବଳ ସେହି ଫଳକୁ ପ୍ରସାଦ ରୂପେ ଗ୍ରହଣ କରାଯାଏ। ଏହା ଫଳରେ ବିଷ୍ଣୁ ସନ୍ତୁଷ୍ଟହୋଇ ବ୍ରତର ସୁଫଳ ପ୍ରଦାନ କରନ୍ତି।

ଏହି ବ୍ରତ କଥାରେ, ମାଂସାହାର ବର୍ଜନ କରି ଫଳାହାର ପରି ଶୁଦ୍ଧସାତ୍ତ୍ୱିକ ଆହାର ନିମନ୍ତେ ଆମକୁ ପ୍ରରୋଚିତ କରାଯାଇଛି। ବିଷ୍ଣୁଭକ୍ତି ଫଳରେ ତାହାର ସୁଫଳ ଲାଭ କରି ବ୍ୟକ୍ତି ସଫଳ ହୁଏବୋଲି କୁହାଯାଇଛି। ଏହିବ୍ରତ ଦ୍ୱାରା ମଣିଷ କରିଥିବା ସମସ୍ତ ଜୀବହତ୍ୟା ପାପରୁ ମୁକ୍ତ ହୋଇଥାଏ।

Comments are closed.