ବରଗଡ଼ ଧନୁଯାତ୍ରା : ଆଉ ଦୁଇ ଦିନ ପରେ ବରଗଡ଼ ପାଲଟିଯିବ ମଥୁରାନଗରୀ, ଆରମ୍ଭ ହେବ କଂସ ରାଜୁତି

ବରଗଡ଼: ବିଶ୍ବ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାକୁ ଆଉ ଦୁଇ ଦିନ ରହିଲା । ଚଳିତ ବର୍ଷ ୭୬ ବର୍ଷରେ ପଦାର୍ପଣ କରିବ । ଏଥିପାଇଁ ଦିନ ଯେତେ ପାଖେଇ ପାଖେଇ ଆସୁଛି କଳାକାରଙ୍କ ରିହର୍ସାଲ ମଧ୍ୟ ସେତେଟା ଜୋର ଧରିଛି । ଏହି କ୍ରମରେ ବରଗଡ଼ କଲ୍ୟାଣ ମଣ୍ଡପ ଠାରେ ଧନୁଯାତ୍ରାର କଂସ ସମେତ କୃଷ୍ଣ ଏବଂ ବଳରାମ ଭୂମିକାରେ ଅଭିନୟ କରୁଥ‌ିବା ଶିଶୁ କଳାକାର ମିଳିତ ଭାବରେ ଆଖଡାଶାଲରେ ଅଭିନୟ ଅଭ୍ୟାସ କରିଥିଲେ ।

ଜାନୁୟାରୀ ୧୫ ରୁ ଆରମ୍ଭ ହେବ ବିଶ୍ଵ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା । ଧନୁଯାତ୍ରାର ଅନ୍ୟତମ ମୁଖ୍ୟ ଆକର୍ଷଣ ହେଉଛି ଶ୍ରୀ କୃଷ୍ଣ ଏବଂ କଂସଙ୍କ ଭେଟ ତଥା କଂସ ବଧ ଦୃଶ୍ୟ । ଚଳିତ ବର୍ଷ ଯାତ୍ରାର ମହାନାୟକ କଂସ ଭୂମିକାରେ ହୃଷୀକେଶ ଭୋଇ ପୁଣି ଥରେ ଅଭିନୟ କରୁଥିବା ବେଳେ କୃଷ୍ଣ ଭୂମିକା ପାଇଁ ଦୁଇ ଜଣ ଶିଶୁ କଳାକାର ସମ୍ରାଟ ମହାପାତ୍ର ଏବଂ କିଶନ ବିଭିଆ ଅଭିନୟ କରୁଛନ୍ତି ନିର୍ଦ୍ଦେଶକ ଅଶୋକ ବେହେରା , ନାଟ୍ୟକାର ଭୂବନ ଭୋଇ , ଉପଦେଷ୍ଟା କମିଟିର ପ୍ରଶାନ୍ତ ମହାପାତ୍ର ସୁନୀଲ ମହାପାତ୍ର ପ୍ରମୁଖ କଂସ ହୃଷୀକେଶ ଭୋଇ , କୃଷ୍ଣ ସମ୍ରାଟ ମହାପାତ୍ର , ବଳରାମ କିଶନ ବିର୍ଜିଆଙ୍କୁ ବରଗଡ଼ କଲ୍ୟାଣ ମଣ୍ଡପରେ ଏଥିପାଇଁ ସ୍ଵତନ୍ତ୍ର ଭାବରେ ଅଭିନୟର ବିଭିନ୍ନ ଦିଗକୁ ନେଇ ଦିଗଦର୍ଶନ ଦେଇଥିଲେ ।

ସୂଚନାଯୋଗ୍ୟ ଯେ, ବରଗଡ଼ ଧନୁଯାତ୍ରାର କୌଣସି ପାଣ୍ଡୁଲିପି ନ ଥ‌ିବା ବେଳେ ମହାଭାରତ , ହରିବଂଶ ପୁରାଣ , ଶ୍ରୀମଦ୍ ଭାଗବତଗୀତା ପୌରାଣିକ କଥାବସ୍ତୁକୁ ଆଧାର କଳାକାରମାନଙ୍କୁ ଧନୁଯାତ୍ରାର ଦୃଶ୍ୟକୁ ନେଇ ଦିଗଦର୍ଶନ ଦିଆଯାଉଛି । ଏଗାର ଦିନ ଧରି ଏହା ଜାନୁୟାରୀ ୨୫ ତାରିଖରେ ସମାପ୍ତ ହେବ । ଏହାକୁ ନେଇ ହାଟପଦା ଓ ଲୋକମଣ୍ଡପ ପଡ଼ିଆରେ ରାଜଦରବାର ଓ ରଙ୍ଗମହଳର ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି । ଅପରପକ୍ଷେ ବରଗଡ଼ ସହରର ବିଭିନ୍ନ ରାସ୍ତାରେ ଉଜ୍ଜ୍ବଳ ଆଲୋକ ପାଇଁ ସୁଉଚ୍ଚ ତୋରଣମାନ ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି । ସେହିପରି ଗୋପପୁର କମିଟି ମଧ୍ଯ କୃଷ୍ଣ ଲୀଳା ପାଇଁ ପ୍ରସ୍ତୁତି ଜାରି ରହିଛି । ଅପରପକ୍ଷେ ଯାତ୍ରାକୁ ନେଇ ଜନସାଧାରଣଙ୍କ ମଧ୍ୟରେ ବେଶ ଉତ୍ସାହ ପରିଲକ୍ଷିତ ହୋଇଛି ।

Comments are closed.