ଶୁଭ୍ରାଂଶୁ ସେନାପତିଙ୍କ ଅପରାଜିତ ଦ୍ୱିଶତକ, ମଧ୍ୟପ୍ରଦେଶ ବିପକ୍ଷ ରଣଜୀ ମ୍ୟାଚରେ ଓଡିଶାର ବିଶାଳ ସ୍କୋର

ଇନ୍ଦୋର – ଏଠାରେ ଚାଲିଥିବା ଏଲିଟ ଗ୍ରୁପ୍ ‘ଡି’ ରଣଜୀ ଟ୍ରଫି ମ୍ୟାଚରେ ଶୁଭ୍ରାଂଶୁ ସେନାପତିଙ୍କ ଅପରାଜିତ ଲଢୁଆ ଦ୍ୱିଶତକ ଫଳରେ ଓଡ଼ିଶା ମଧ୍ୟପ୍ରଦେଶ ବିପକ୍ଷରେ ପ୍ରଥମ ଇନିଂସରେ ବଡ ସ୍କୋର କରିଛି । ଆଜି ଦ୍ୱିତୀୟ ଦିନ ଖେଳ ଶେଷ ସୁଦ୍ଧା ଓଡ଼ିଶା ୮ ୱିକେଟ ହରାଇ କରିଛି ୪୯୩ ରନ୍ । ଶୁଭ୍ରାଂଶୁ ସେନାପତି ୨୭୭ ରନ୍ କରି ଅପରାଜିତ ଅଛନ୍ତି । ଶୁଭ୍ରାଂଶୁ ୪୮୩ଟି ବଲ୍ ଖେଳି ୧୯ଟି ଚୈ।କା ଓ ୧୧ଟି ଛକ୍କା ସହ ୨୭୭ ରନ୍ କରିଛନ୍ତି । ଡେବ୍ୟୁଟାଣ୍ଟ ହର୍ଷିତ ରାଠୋଡ୍ ୬୦ ରନ୍ କରି ଅପରାଜିତ ଅଛନ୍ତି । ଶୁଭ୍ରାଂଶୁ ଓ ହର୍ଷିତ ନବମ ୱିକେଟରେ ଏ ଯାଏଁ ୨୩୪ ରନ୍ ଯୋଗ କରିଛନ୍ତି। ମଧ୍ୟ ପ୍ରଦେଶ ଏହି ମ୍ୟାଚରେ ଟସ୍ ଜିଣି ଓଡ଼ିଶାକୁ ପ୍ରଥମେ ବ୍ୟାଟିଂ ପାଇଁ କହିଥିଲା । ପ୍ରଥମ ଦିନରେ ଓଡ଼ିଶା ୬ ୱିକେଟ ହରାଇ ୨୦୮ ରନ୍ କରିଥିଲା । ଶୁଭ୍ରାଂଶୁ ସେନାପତି ୮୭ ରନ୍ କରି ଅପରାଜିତ ଥିଲେ । ଆଜି ଶୁଭ୍ରାଂଶୁ ନିମ୍ନକ୍ରମ ବ୍ୟାଟରମାନଙ୍କ ସହ ଲଢୁଆ ବ୍ୟାଟିଂ କରି ଉପଯୋଗୀ ରନ୍ ଯୋଡିଥିଲେ । ସେ ସୂର୍ଯ୍ୟକାନ୍ତ ପ୍ରଧାନଙ୍କ ସହ ସପ୍ତମ ୱିକେଟରେ ୫୧ ଓ ନବମ ୱିକେଟରେ ପଦାର୍ପଣ ମ୍ୟାଚ ଖେଳୁଥିବା ହର୍ଷିତ ରାଠୋଡଙ୍କ ସହ ୨୩୪ ରନ୍ ଯୋଡ଼ି ଓଡ଼ିଶାର ସ୍ଥିତି ବେଶ୍ ମଜବୁତ କରିଛନ୍ତି ।

ସୂଚନାଯୋଗ୍ୟ ଯେ, ଚଳିତ ସିଜନରେ ନିଜର ପ୍ରଥମ ରଣଜୀ ମ୍ୟାଚରେ ଓଡିଶା ବରୋଦା ଠାରୁ ୧୪୭ ରନରେ ପରାସ୍ତ ହୋଇଥିଲା।

Comments are closed.