ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବକୁ ‘ମୋଦୀଙ୍କ ରାଜନୈତିକ ଇଭେଣ୍ଟ’ କହିଲେ ରାହୁଲ

ନୂଆଦିଲ୍ଲୀ: ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବ ନେଇ ରାହୁଲ ଗାନ୍ଧୀଙ୍କ ପ୍ରଥମ ପ୍ରତିକ୍ରିୟା ଆସିଛି। ସେ ଏହି ଉତ୍ସବ ନେଇ ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କଟାକ୍ଷ କରିଛନ୍ତିି । ରାହୁଲ କହିଛନ୍ତି, ଅଯୋଧ୍ୟାରେ ରାମ ମନ୍ଦିରର ଉଦଘାଟନୀ ଉତ୍ସବ ହେଉଛି ମୋଦୀଙ୍କ କାର୍ଯ୍ୟକ୍ରମ। ଆରଏସ୍ଏସ୍ ଓ ବିଜେପି ଜାନୁଆରୀ ୨୨ର ଉତ୍ସବକୁ ପୂରା ନରେନ୍ଦ୍ର ମୋଦୀ ଇଭେଣ୍ଟରେ ପରିଣତ କରିଛନ୍ତି। ଏହା ଏକ ଆରଏସଏସ-ବିଜେପି କାର୍ଯ୍ୟକ୍ରମ । ସେଥିପାଇଁ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ସେଠାକୁ ନ ଯିବାକୁ ନିଷ୍ପତ୍ତି ନେଇଛନ୍ତି ବୋଲି ସମ୍ପ୍ରତି କଂଗ୍ରେସର ଭାରତ ଯୋଡ଼ୋ ନ୍ୟାୟ ଯାତ୍ରାର ନେତୃତ୍ବ ନେଉଥିବା ରାହୁଲ ସାମ୍ବାଦିକ ମାନଙ୍କୁ କହିଛନ୍ତି ।

ରାହୁଲ ଗାନ୍ଧୀ କହିଛନ୍ତି, “ଆମେ ସବୁ ଧର୍ମକୁ ସମ୍ମାନ ଦେଉଛୁ। ହିନ୍ଦୁ ଧର୍ମର ସବୁଠାରୁ ବଡ଼ ଗୁରୁମାନେ ମଧ୍ୟ ଜାନୁଆରୀ ୨୨ ଉତ୍ସବ ବିଷୟରେ ନିଜର ମତ ରଖିଛନ୍ତି । ସେମାନେ ଏହାକୁ ଏକ ରାଜନୈତିକ ଉତ୍ସବ ବୋଲି କହିଛନ୍ତି। ଯେଉଁ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଏବଂ ଆରଏସ୍ଏସ୍ କୁ କେନ୍ଦ୍ରରେ ରଖି ପରିକଳ୍ପନା କରାଯାଇଛି, ସେହିଭଳି ରାଜନୈତିକ କାର୍ଯ୍ୟକ୍ରମକୁ ଯିବା ଆମ ପକ୍ଷେ ମୁସ୍କିଲ। ଆମେ ଧର୍ମକୁ ନେଇ ରାଜନୀତି କରିବାକୁ ଚାହୁଁନୁ ବୋଲି କହିଛନ୍ତି ରାହୁଲ ।

ଉଲ୍ଲେଖଯୋଗ୍ୟ, କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ, ସୋନିଆ ଗାନ୍ଧୀ ଏବଂ ଲୋକସଭାରେ ଦଳର ନେତା ଅଧୀର ରଞ୍ଜନ ଚୌଧୁରୀ ଜାନୁଆରୀ ୨୨ର ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବ ନିମନ୍ତ୍ରଣକୁ ପ୍ରତ୍ୟାଖ୍ୟାନ କରିଥିଲେ। କଂଗ୍ରେସ ଏହାକୁ ବିଜେପି-ଆରଏସ୍ଏସ୍ ରେ ରାଜନୈତିକ ଇଭେଣ୍ଟ ବୋଲି କହିଥିଲା ।

Comments are closed.