ସହଜ ହେବ ଶ୍ରୀକ୍ଷେତ୍ର ଯାତ୍ରା, ଆଜିଠୁ ଜିଲ୍ଲା ମୁଖ୍ୟାଳୟରୁ ପୁରୀକୁ ଗଡିବ ଶ୍ରୀଜଗନ୍ନାଥ ଏକ୍ସପ୍ରେସ, ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର – ଆଜିଠୁ ଶ୍ରୀକ୍ଷେତ୍ରକୁ ଗଡିବ ଶ୍ରୀଜଗନ୍ନାଥ ଏକ୍ସପ୍ରେସ । ସବୁ ଜିଲ୍ଲାରୁ ପୁରୀକୁ ଗଡିବ ଶୀତତାପ ନିୟନ୍ତ୍ରିତ ‘ଶ୍ରୀଜଗନ୍ନାଥ ଏକ୍ସପ୍ରେସ’ ବସ୍ । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ବସ୍ ସେବାର ଶୁଭାରମ୍ଭ କରିବେ । ପ୍ରଥମ ପର୍ଯ୍ୟାୟରେ ୧୫ ଜିଲ୍ଲା ମୁଖ୍ୟାଳୟରୁ ଶ୍ରୀଜଗନ୍ନାଥ ଏକ୍ସପ୍ରେସ ଗଡିବ ବୋଲି ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ ପକ୍ଷରୁ ସୂଚନା ମିଳିଛି। ଏଥିପାଇଁ ୧୫ଟି ଭଲ୍ଭୋ ବସ ପ୍ରସ୍ତୁତ ହୋଇ ରହିଛି । ସୁବିଧାଜନକ ଯାତ୍ରୀ ପରିବହନ କ୍ଷେତ୍ରରେ ଏହି ବସ୍ ସେବା ଆଉ ଏକ ଉଲ୍ଲେଖନୀୟ ପଦକ୍ଷେପ ହେବ । ପୂର୍ବରୁ ରାଜ୍ୟ ସରକାରଙ୍କ ମହତ୍ତ୍ଵାକାଂକ୍ଷୀ ଲକ୍ଷ୍ମୀ ବସ୍ ଯୋଜନାର ପ୍ରଥମ ପର୍ଯ୍ୟାୟରେ ଗାଁରୁ ବ୍ଲକକୁ ବସ୍ ଚଳାଚଳ ଆରମ୍ଭ ହୋଇଥିଲା। ଦ୍ୱିତୀୟ ପର୍ଯ୍ୟାୟରେ ବ୍ଲକରୁ ସହର ମୁଖ୍ୟାଳୟ ଓ ଏବେ ତୃତୀୟ ପର୍ଯ୍ୟାୟରେ ସହରରୁ ଭୁବନେଶ୍ବର ଦେଇ ପୁରୀକୁ ଗଡିବ ବସ୍। ଆଜିଠୁ ବଲାଙ୍ଗୀର, ବରଗଡ଼, ଗଜପତି , ଗଞ୍ଜାମ, ଝାରସୁଗୁଡ଼ା, କଳାହାଣ୍ଡି, କୋରାପୁଟ, କେନ୍ଦୁଝର, ମାଲକାନଗିରି, ମୟୂରଭଞ୍ଜ, ନବରଙ୍ଗପୁର, ନୂଆପଡ଼ା, ସୁନ୍ଦରଗଡ଼, ରାୟଗଡ଼ା ଓ ସମ୍ବଲପୁର ଜିଲ୍ଲାରୁ ପୁରୀକୁ ଗଡିବ ଶ୍ରୀଜଗନ୍ନାଥ ଏକ୍ସପ୍ରେସ । ଜିଲ୍ଲା ମୁଖ୍ୟାଳୟରୁ ଏହି ବସ୍ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ରୁଟ୍ ଦେଇ ଯାତାୟତ କରିବ ।

Comments are closed.