ଜଗନ୍ନାଥ ଏକ୍ସପ୍ରେସ ବସ୍ ସେବାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର – ଏଣିକି ସହଜ ହେବ ଜଗା ଦର୍ଶନ। ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଶ୍ରଦ୍ଧାଳୁମାନେ ପୁରୀକୁ ଆରାମଦାୟକ ଯାତାୟତ କରିପାରିବେ । ଏଥିପାଇଁ ରାଜ୍ୟ ସରକାର ଆଜି ଶୀତତାପ ନିୟନ୍ତ୍ରିତ ଜଗନ୍ନାଥ ଏକ୍ସପ୍ରେସ ବସ୍ ସେବାର ଶୁଭାରମ୍ଭ କରିଛନ୍ତି। ଜିଲ୍ଲା ମୁଖ୍ୟାଳୟରୁ ଯାତ୍ରୀଙ୍କୁ ନେଇ ପୁରୀ ଶ୍ରୀମନ୍ଦିର ଅଭିମୁଖେ ବାହାରିଛି ବିଳାସପୂର୍ଣ୍ଣ ବସ୍ । ଲକ୍ଷ୍ମୀ ଯୋଜନାର ତୃତୀୟ ପର୍ଯ୍ୟାୟରେ ଜଗନ୍ନାଥ ଚେତନାକୁ ଆହୁରି ବ୍ୟାପକ କରିବାକୁ ଜିଲ୍ଲା ମୁଖ୍ୟାଳୟରୁ ପୁରୀ ଯାଏ ଜଗନ୍ନାଥ ଏକ୍ସପ୍ରେସ୍ ଗଡ଼ାଇବାକୁ ନିଷ୍ପତ୍ତି ହୋଇଛି ।

ପ୍ରଥମ ପର୍ଯ୍ୟାୟରେ ବଲାଙ୍ଗୀର, ବରଗଡ଼, ଗଜପତି, ଗଞ୍ଜାମ, ଝାରସୁଗୁଡ଼ା, କୋରାପୁଟ, କଳାହାଣ୍ଡି, କେନ୍ଦୁଝର, ମାଲକାନଗିରି, ମୟୂରଭଞ୍ଜ, ନବରଙ୍ଗପୁର, ନୂଆପଡ଼ା, ରାୟଗଡ଼ା, ସମ୍ବଲପୁର ଓ ସୁନ୍ଦରଗଡ଼ ପରି ୧୫ଟି ଜିଲ୍ଲାର ଜଗନ୍ନାଥ ଶ୍ରଦ୍ଧାଳୁଙ୍କ ଉଦ୍ଦେଶ୍ୟରେ ଜଗନ୍ନାଥ ବସ୍ ଗଡ଼ାଇବାକୁ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର । ରୁଟ୍ ଚାର୍ଟ ବି ସ୍ଥିର ହୋଇ ସାରିଛି । ବସ୍ ଯେଉଁ ଜିଲ୍ଲାରୁ ବି ଆସିଲେ, ଭୁବନେଶ୍ବରର ଦେଇ ପୁରୀ ଯିବ । ସୁବିଧାଜନକ ଯାତ୍ରୀ ପରିବହନ କ୍ଷେତ୍ରରେ ଏହି ବସ୍ ସେବା ଆଉ ଏକ ଉଲ୍ଲେଖନୀୟ ପଦକ୍ଷେପ ହେବ । ପୂର୍ବରୁ ରାଜ୍ୟ ସରକାରଙ୍କ ମହତ୍ତ୍ଵାକାଂକ୍ଷୀ ଲକ୍ଷ୍ମୀ ବସ୍ ଯୋଜନାର ପ୍ରଥମ ପର୍ଯ୍ୟାୟରେ ଗାଁରୁ ବ୍ଲକକୁ ବସ୍ ଚଳାଚଳ ଆରମ୍ଭ ହୋଇଥିଲା। ଦ୍ୱିତୀୟ ପର୍ଯ୍ୟାୟରେ ବ୍ଲକରୁ ସହର ମୁଖ୍ୟାଳୟ ଓ ଏବେ ତୃତୀୟ ପର୍ଯ୍ୟାୟରେ ସହରରୁ ଭୁବନେଶ୍ବର ଦେଇ ପୁରୀକୁ ଗଡିବ ବସ୍।

Comments are closed.