ଭାରତୀୟ ସ୍ୱାଧିନତା ଆନ୍ଦୋଳନ ଇତିହାସ ରେ ଯେଉଁ ଦୁଇଜଣଙ୍କୁ ଦୁର୍ଦଶ ନେତା ଭାବରେ ସର୍ବାଗ୍ରେ ଗ୍ରହଣ କରାଯାଏ, ସେ ଦୁଇଜଣ ହେଉଛନ୍ତି ନେତାଜୀ ସୁଭାଷ ଓ ବୀର ସୁରେନ୍ଦ୍ର ସାଏ। ଭାରତର ଜଣେ ଅଗ୍ରଣୀ ସ୍ୱାଧୀନତା ସଂଗ୍ରାମୀ ଥିଲେ । ଓଡ଼ିଶାର ବୀରପୁତ୍ର ସଂଗ୍ରାମୀ ସୁଭାଷ ଚନ୍ଦ୍ର ବୋଷଙ୍କର ଜନ୍ମ କଟକର ଓଡ଼ିଆ ବଜାରଠାରେ ହୋଇଥିଲା । ପିତାଙ୍କ ନାମ ଜାନକୀନାଥ ବୋଷ । ଜାନକୀନାଥ ବୋଷଙ୍କର ପୁତ୍ରଭାବରେ ଜନ୍ମ ଗ୍ରହଣ କରିଥିବା ସୁଭାଷ ଭାରତ ତଥା ସମଗ୍ର ବିଶ୍ୱର ବିସ୍ମୟ ବିଦ୍ରୋହୀ ସଂଗ୍ରାମୀ ନେତା ଭାବରେ ପରିଚିତ । ସେ ହେଉଛନ୍ତି ବିଶ୍ୱର ନେତାଜୀ ।
ବହୁ ଘଟଣା ବହୁଳ ଥିଲା ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଙ୍କ ଜୀବନ।ନେତାଜୀ ଦେଶବନ୍ଧୁ ଚିତ୍ତରଞ୍ଜନ ଦାସଙ୍କ ସମ୍ପର୍କରେ ଆସିବା ପରେ ସେ ଭାରତୀୟ ଜାତୀୟ କଂଗ୍ରେସରେ ଯୋଗଦେଇ ୧୯୨୩ରେ ବଙ୍ଗଳା ପ୍ରାଦେଶିକ କଂଗ୍ରେସ କମିଟିର ସମ୍ପାଦକ ହୋଇଥିଲେ । ୧୯୨୪ ମସିହାରେ ସେ କଲିକତା ମହାନଗରୀର ମେୟର ହୋଇଥିଲେ । ୧୯୨୮ରେ କଂଗ୍ରେସ ପକ୍ଷରୁ ନିଯୁକ୍ତ ପ୍ରାପ୍ତ ମୋତିଲାଲ ନେହେରୁ କମିଟି ସ୍ୱାୟତ୍ତ ଶାସନ ସପକ୍ଷରେ ମତ ଦେଇଥିଲେ, କିନ୍ତୁ ଜବାହରଲାଲ ନେହେରୁ ଓ ସୁଭାଷ ବୋଷ ଉଭୟେ ପୂର୍ଣ୍ଣ ସ୍ୱାଧୀନତା ଚାହିଁଥିଲେ । ୧୯୩୦ରେ ଆଇନ ଅମାନ୍ୟ ଆନ୍ଦୋଳନ ବେଳେ ସୁଭାଷଙ୍କୁ ଗିରଫ କରି ଜେଲରେ ରଖାଯାଇଥିଲା, ତେବେ ୧୯୩୧ରେ ଗାନ୍ଧୀ-ଇରୱିନ ଚୁକ୍ତି ପରେ ତାଙ୍କୁ ଜେଲରୁ ମୁକ୍ତ କରାଯାଇଥିଲା । ୧୯୩୮ ମସିହାରେ ହରିପୁରା ଜାତୀୟ କଂଗ୍ରେସର ଅଧିବେଶନରେ ଗାନ୍ଧୀଙ୍କ ମନୋନୀତ ପ୍ରାର୍ଥୀ ପଟ୍ଟାଭିସୀତାରାମାୟାଙ୍କୁ ହରାଇ କଂଗ୍ରେସର ସଭାପତି ଭାବେ ନିର୍ବାଚିତ ହୋଇଥିଲେ । ୧୯୩୯ରେ ସେ ପୁଣିଥରେ ସେହି ପଦବୀକୁ ନିର୍ବାଚିତ ହୋଇଥିଲେ ।
୧୯୩୯ରେ ସେ ଫରୱାର୍ଡ଼ ବ୍ଳକ ନାମକ ଏକ ନୂତନ ଦଳ ଗଠନ କରିଥିଲେ । ସଶସ୍ତ୍ର ଆନ୍ଦୋଳନଦ୍ୱାରା ହିଁ ଭାରତକୁ ବ୍ରିଟିଶ ସାମ୍ରାଜ୍ୟବାଦରୁ ମୁକ୍ତ କରିହେବ ବୋଲି ସେ ବିଶ୍ୱାସ କରୁଥିଲେ । ସେ ଇଟାଲିର ଜନନାୟକ ଗାରିବାଲ୍ଡି ଓ ମାଜିନିଙ୍କଦ୍ୱାରା ଯଥେଷ୍ଟ ଅନୁପ୍ରାଣୀତ ହୋଇଥିଲେ।ସୁଭାଷଙ୍କରଏହି ଉଗ୍ରନୀତି ଯୋଗୁଁ ବ୍ରିଟିଶ ସରକାର ତାଙ୍କୁ କଲିକତାଠାରେ ନଜରବନ୍ଦୀ ରୂପେ ରଖିଥିଲେ। ଭାରତର ସ୍ୱାଧୀନତା ପାଇଁ ଭାରତ ବାହାରେ ରହି ଯୁଦ୍ଧ କରିବା ପାଇଁ ୧୯୪୧ ଜାନୁଆରୀ ୧୭ ତାରିଖରେ ସେ ଭାରତର ସୀମାନ୍ତ ଅତିକ୍ରମ କରି ଆଫଗାନିସ୍ଥାନ ଓ ସୋଭିଏତ ଋଷ ମଧ୍ୟ ଦେଇ ମାର୍ଚ୍ଚ ମାସରେ ବର୍ଲିନଠାରେ ପହଞ୍ଚିଥିଲେ । ଜର୍ମାନୀର ନାଜି ଶାସକ ହିଟଲରଙ୍କ ସହ ସାକ୍ଷାତ କରି ଭାରତର ସ୍ୱାଧୀନତା ହାସଲ ସମ୍ପର୍କରେ ତାଙ୍କୁ ସାହାଯ୍ୟ କରିବାକୁ ଅନୁରୋଧ କରିଥିଲେ । ବର୍ଲିନଠାରେ ଏକ ମୁକ୍ତ ଭାରତ କେନ୍ଦ୍ର ଉନ୍ମୋଚନ କଲେ ଓ ଜର୍ମାନୀ ମାଟିରେ ଫ୍ରି ଇଣ୍ଡିଆ ଆର୍ମି ଗଠନ କରିଥିଲେ । ସୁଦୂର ବର୍ଲିନରୁ ଆଜାଦ ହିନ୍ଦ ରେଡ଼ିଓ ମାଧ୍ୟମରେ ଭାରତବାସୀଙ୍କୁ ସଂଗ୍ରାମ ପାଇଁ ଆହ୍ୱାନ ଦେଇଥିଲେ । ମୋତେ ରକ୍ତ ଦିଅ, ମୁଁ ତୁମକୁ ସ୍ୱାଧୀନତା ଦେବି ଆହ୍ୱାନରେ ସମସ୍ତଙ୍କୁ ଏକଜୁଟ କଲେ ।
ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଜାପାନରେ ନିର୍ବାସିତ ଭାବେ ବାସ କରୁଥିବା ରାସ ବିହାରୀ ବୋଷ ନାମକ ଜଣେ ଭାରତୀୟ ଜାପାନ, ବର୍ମା, ମାଳୟ, ପ୍ରଭୃତି ସ୍ଥାନରେ ପ୍ରବାସୀ ଭାରତୀୟ ଓ ଯୁଦ୍ଧ ବନ୍ଦୀମାନଙ୍କୁ ଏକତ୍ରିତ କରି ଭାରତୀୟ ସ୍ୱାଧୀନତା ଲିଗ ଗଠନ କଲେ । ସୁଭାଷ ସିଙ୍ଗାପୁରରେ ଆଜାଦ ହିନ୍ଦ ଫୌଜର ଦାୟିତ୍ୱ ଗ୍ରହଣ କଲେ ଏବଂ ୧୯୪୩ ମସିହା ଅକ୍ଟୋବର ୨୧ତାରିଖ ଦିନ ସେଠାରେ ଏକ ଅସ୍ଥାୟୀ ସ୍ୱାଧୀନ ସରକାର ଗଠନ କଲେ । ସେହିଠାରୁ ସେ ଆହ୍ୱାନ ଦେଇଥିଲେ ଦିଲ୍ଲୀ ଚଲୋ । ଏହା ସହିତ ଆରମ୍ଭ ହେଲା ଆଜାଦ ହିନ୍ଦ ଫୌଜର ଅଭିଯାନ । ୧୯୪୪ ମାର୍ଚ୍ଚ ୧୮ ତାରିଖରେ ଆଜାଦ ହିନ୍ଦ ଫୌଜ ବର୍ମା ସୀମା ଅତିକ୍ରମ କରି ଭାରତୀୟ ମାଟିରେ ପାଦ ଥାପିଥିଲା ଓ ମଣିପୁରର ଇମ୍ଫାଲ ଯାଏଁ ଏହି ଅଭିଯାନ ଅଗ୍ରସର ହେଲା । ଦୃଢ଼ ପଦକ୍ଷେପରେ ଅଗ୍ରସର ହେଉଥିବା ଆଜାଦ ହିନ୍ଦ ଫୌଜ ଉପରେ ବ୍ରିଟିଶ ବାହିନୀ ଉଭୟ ସ୍ଥଳ ଓ ଆକାଶ ପଥରୁ ଆକ୍ରମଣ କରି ଇମ୍ଫାଲଠାରେ ତାଙ୍କୁ ପରାସ୍ତ କଲା । ଏହାପରେ ଏହି ଦୁର୍ଦଶ ନେତା ହଠାତ ଉଭାନ ହୋଇଯାଇଥିଲେ। ଆଜିବି ଆମ ଇତିହାସ ଏହି ଘଟଣା ଉପରେ ନୀରବ।
ଶାହନୱାଜ କମିଟି, ଖୋସଲା କମିଶନ, ମୂଖାର୍ଜୀ କମିଶନ ପରି ଅନେକ କମିଶନ ଅଫ ଇନକ୍ୱାରି ବସିଥିଲେ ମଧ୍ୟ ତାଙ୍କର ମୃତ୍ୟୁର କାରଣ ଏବଂ ସମୟ ସଠିକ ଭାବେ ନିରୁପିତ ହୋଇପାରିନାହିଁ ।
ସେହିପରି ଏହି ଉତ୍କଳ ଜନନୀ ର ପୁତ କୋଳରେ ଜନ୍ମ ନେଇଥିଲେ ଆଉ ଜଣେ ଯୋଗଜନ୍ମା ଦେଶଭକ୍ତ। ୨୩ ଜାନୁଆରି ୧୮୦୯ ମସିହାରେ ଜନ୍ମିତ ବୀର ସୁରେନ୍ଦ୍ର ସାଏ ମାତ୍ର ୧୮ ବର୍ଷ ବୟସରେ ମା’ ମାଟିର ମୁକ୍ତି ପାଇଁ ବ୍ରିଟିସ୍ ବିରୋଧରେ ଲଢ଼େଇ ଆରମ୍ଭ କରିଥିଲେ । ଭାରତର ପ୍ରଥମ ସ୍ବାଧୀନତା ସଂଗ୍ରାମ କୁହାଯାଉଥିବା ୧୮୫୭ ସିପାହୀ ବିଦ୍ରୋହର ବହୁ ପୂର୍ବରୁ ସୁରେନ୍ଦ୍ର ସଂଗ୍ରାମ ‘ଉଲ୍ଗୁଲାନ୍’ କରିଥିେଲ। ପ୍ରଥମ ପର୍ଯ୍ୟାୟ ୧୮୨୭ ରୁ ୧୮୪୦ ଓ ଦ୍ବିତୀୟ ପର୍ଯ୍ୟାୟ ୧୮୫୭ ରୁ ୧୮୬୪ ପର୍ଯ୍ୟନ୍ତ ଦୀର୍ଘ କୋଡ଼ିଏ ବର୍ଷ ଧରି ତାଙ୍କର ସଶସ୍ତ୍ର ସ˚ଗ୍ରାମ ବ୍ରିଟିସ ସାମ୍ରାଜ୍ୟକୁ ଦୋହଲାଇ ଦେଇଥିଲା।୧୮୪୦ ରୁ ୧୮୫୭ ପର୍ଯ୍ୟନ୍ତ ହଜାରିବାଗ୍ ଜେଲରେ ୧୭ ବର୍ଷ ଓ ଦ୍ବିତୀୟ ଥର ୧୮୬୪ ରୁ ୧୮୮୪ ଫେବ୍ରୁଆରି ୨୮ ମୃତ୍ୟୁ ପର୍ଯ୍ୟନ୍ତ ଅସୁରଗଡ଼ ଜେଲରେ ୨୦ ବର୍ଷ ଏହିପରି ମୋଟ ୩୭ ବର୍ଷ ବନ୍ଦୀ ରହି ସୁରେନ୍ଦ୍ର ସାଏ ଅକଥନୀୟ ଯନ୍ତ୍ରଣା ଭୋଗିଥିଲେ। ତାଙ୍କ ପ୍ରତ୍ୟକ୍ଷ ଓ ପରୋକ୍ଷ ନେତୃତ୍ବରେ ସମ୍ବଲପୁର ରେ ବ୍ରିଟିସ ବିରୋଧୀ ଲଢେ଼ଇ ଭାରତୀୟ ସଶସ୍ତ୍ର ସ˚ଗ୍ରାମର ଦେଶ ମାତୃକାର ଏକ ଅନନ୍ୟ ଜ୍ବଳନ୍ତ ଉଦାହରଣ।ଏହିଦୁଇଜଣ ଏକନିଷ୍ଠ ଦେଶଭକ୍ତ ଙ୍କ ପୁଣ୍ୟ ଜନ୍ମ ବାସରେ ତାଙ୍କର ଅମ୍ଳାନ ସ୍ମୃତି ପ୍ରତି ଆମର ଭକ୍ତିପୂତ ପ୍ରଣାମାଞ୍ଜଳି।
Comments are closed.