ଓଡ଼ିଆ ବିଶ୍ୱବିଦ୍ୟାଳୟର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ , ଓଡ଼ିଆ ଭାଷାର ସୁରକ୍ଷା ପାଇଁ ସଂଘର୍ଷ କରିଥିବା ବରପୁତ୍ରମାନଙ୍କୁ କଲେ ସ୍ମରଣ

ଭୁବନେଶ୍ୱର – ଉଦଘାଟିତ ହୋଇଛି ସତ୍ୟବାଦୀ ସ୍ଥିତ ଓଡ଼ିଆ ବିଶ୍ୱବିଦ୍ୟାଳୟ । ବିଶ୍ୱବିଦ୍ୟାଳୟର ନୂଆ ସୌଧକୁ ଭର୍ଚୁଆଲ ମୋଡରେ ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହାପରେ ପରେ ରାଜ୍ୟବାସୀଙ୍କୁ ସମ୍ବୋଧନ କରିବା ଓଡିଆ ଭାଷାର ଗାରିମା ସମ୍ପର୍କରେ କହିଛନ୍ତି।

ଏ‌ହି ଅବସରରେ ମୁଖ୍ୟମନ୍ତ୍ରୀ ଉତ୍କଳମଣି ଗୋପବନ୍ଧୁ ଦାସ ଓ ଆଦିକବି ଶାରଳା ଦାସଙ୍କୁ ମନେ ପକାଇଥିଲେ । ଓଡିଆ ଭାଷାର ସୁରକ୍ଷା ପାଇଁ ସଂଗ୍ରାମ କରିଥିବା ତଥା ନିଜ ଲେଖନୀରେ ଏହାକୁ ସମୃଦ୍ଧ କରିଥିବା ଓଡିଶାର ବରପୁତ୍ରମାନଙ୍କୁ ମଧ୍ୟ ସ୍ମରଣ କରିଛନ୍ତି । ଫେବ୍ରୁଆରୀ ୩ ତାରିଖରେ ଆୟୋଜିତ ହେବାକୁ ଥିବା ପ୍ରଥମ ବିଶ୍ଵ ଓଡିଆ ଭାଷା ସମ୍ମିଳନୀ ସାରା ଓଡିଆ ଜାତି ପାଇଁ ଗୌରବର ବିଷୟ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ସେ କହିଛନ୍ତି ଯେ, ଭାଷା ଗୋଟିଏ ଜାତିର ଅସ୍ମିତାର ପରିଚୟ । ଏହାକୁ ଯେତେ ଅଧିକ ବ୍ୟବହାର କରିବା ଏହା ସେତେ ସମୃଦ୍ଧ ହେବ । ଏ ଦିଗରେ ଓଡ଼ିଆ ବିଶ୍ୱବିଦ୍ୟାଳୟ ଏକ ବଡ ପଦକ୍ଷେପ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

୨୦୧୯ ମସିହା ଅକ୍ଟୋବର ୯ ତାରିଖରେ ମୁଖ୍ୟମନ୍ତ୍ରୀ ସତ୍ୟବାଦୀ ରେ ଓଡିଆ ବିଶ୍ୱବିଦ୍ୟାଳୟର ଶିଳାନ୍ୟାସ କରିଥିଲେ। ୯ ଏକର ଜାଗାରେ ଓଡ଼ିଆ ବିଶ୍ୱବିଦ୍ୟାଳୟ ନିର୍ମାଣ କରାଯାଇଛି। ବିଶ୍ୱବିଦ୍ୟାଳୟ ପରିସରରେ ୮ଟି କ୍ଲାସରୁମ, ଇ-ଲାଇବ୍ରେରୀ , ଲାଇବ୍ରେରୀ, ଛାତ୍ରାବାସ, ଛାତ୍ରୀବାସ, କ୍ୟାଣ୍ଟିନ ଓ ପ୍ରାଶାସନିକ କୋଠା ମଧ୍ୟ ରହିଛି। ଏହା ସହିତ ସାକ୍ଷୀଗୋପୀନାଥଙ୍କ ଏକ ପୁଷ୍କରିଣୀର ପୁନଃରୁଦ୍ଧାର କରାଯାଇଛି।

Comments are closed.