ଆଜି ସମଲେଇ ପ୍ରକଳ୍ପ ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ, କହିଲେ ମା’ଙ୍କ ଆଶୀର୍ବାଦରୁ ପ୍ରକଳ୍ପ ହୋଇଛି

ସମ୍ବଲପୁର – ୫-ଟି ଉପକ୍ରମରେ ଓଡ଼ିଶାର ବିଭିନ୍ନ ଜିଲ୍ଲାର ପ୍ରମୁଖ ମନ୍ଦିରର ରୂପାନ୍ତରଣ ପ୍ରକ୍ରିୟା ଆରମ୍ଭ କରିଛନ୍ତି ନବୀନ ସରକାର । ସେହି କ୍ରମରେ ଆଜି ପଶ୍ଚିମ ଓଡିଶାର ଆରାଧ୍ୟା ସମ୍ବଲପୁରର ମା’ ସମଲେଶ୍ବରୀଙ୍କ ପ୍ରସିଦ୍ଧ ମନ୍ଦିରର ରୂପାନ୍ତରଣ କାର୍ଯ୍ୟ ହୋଇଛି । ଜଗଜ୍ଜନନୀ ପରମ ଆରାଧ୍ୟା ମା’ ସମଲେଶ୍ୱରୀ ହେଉଛନ୍ତି ପଶ୍ଚିମ ଓଡ଼ିଶାର ଦେବୀ ଆରାଧନାର ସାଂସ୍କୃତିକ ଓ ଆଧ୍ୟାତ୍ମିକ ଚେତନାର କେନ୍ଦ୍ରବିନ୍ଦୁ। ସମଲେଶ୍ୱରୀଙ୍କ ଐତିହାସିକ ମନ୍ଦିରର ରୂପାନ୍ତରଣ ସେହି ଚେତନାର ଏକ ପ୍ରତିଫଳନ। ସମ୍ବଲପୁର ତଥା ପଶ୍ଚିମ ଓଡ଼ିଶାବାସୀଙ୍କ ଭାବନାକୁ ସମ୍ମାନ ଜଣାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିଷ୍ପତ୍ତି କ୍ରମେ ୨୦୨୧ରୁ ଆରମ୍ଭ ହୋଇଥିବା ସମଲେଇ ପ୍ରକଳ୍ପର ଆଜି ହେବ ଲୋକାର୍ପଣ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସମଲେଇ ପ୍ରକଳ୍ପର ଶୁଭାରମ୍ଭ କରିବେ। ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଏହି ପ୍ରକଳ୍ପ ଦ୍ୱାରା ସମଲେଶ୍ଵରୀ ମନ୍ଦିର ଓ ଏହାର ଚତୁଃପାର୍ଶ୍ବର ସୌନ୍ଦର୍ଯ୍ୟକରଣ କରାଯିବା ସହ ଭକ୍ତମାନଙ୍କ ସୁବିଧା ପାଇଁ ଅନେକ ବ୍ୟବସ୍ଥା କରାଯାଇଛି । ପ୍ରକଳ୍ପ ପାଇଁ ୨୦୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି।

ମା’ଙ୍କ ଆଶୀର୍ବାଦରୁ ପ୍ରକଳ୍ପ ହୋଇଛି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । ସେହିପରି ମା’ଙ୍କ କୃପାରୁ ରେକର୍ଡ ସମୟ ଭିତରେ ପ୍ରକଳ୍ପ କାମ ସରିଛି । ଏହି ପ୍ରକଳ୍ପ ଓଡ଼ିଶାର ପର୍ଯ୍ୟଟନ ଓ ଅର୍ଥନୀତିକୁ ଆଗକୁ ନେବ । ଏକାସାଙ୍ଗରେ ହଜାର ହଜାର ଶ୍ରଦ୍ଧାଳୁ ମହାନଦୀ ଆଳତୀ ଦେଖିପାରିବେ । ସମଲେଇ ପ୍ରକଳ୍ପ ଭାଇଚାରା ଓ ମା’ଙ୍କ ଆଶୀର୍ବାଦର ପରିଚୟ । ରୂପାନ୍ତରଣ ପରେ ୩୮ ଏକର ଜାଗାରେ ମା’ ସମଲେଶ୍ୱରୀଙ୍କ ମନ୍ଦିର ଝଲସୁଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ପ୍ରକଳ୍ପ ଲୋକାର୍ପଣ ଉପଲକ୍ଷେ ଆଜି ମା’ଙ୍କ ପୀଠରେ ହଜାର ହଜାର ଭକ୍ତଙ୍କ ସମାଗମ ହେବ। ଏଣୁ ଏହାକୁ ଦୃ୍ଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ସୁରକ୍ଷା ଦୃଷ୍ଟିରୁ ୩୫ ପ୍ଲାଟୁନ ଫୋର୍ସ ମୁତୟନ କରାଯିବ। ଶ୍ରଦ୍ଧାଳୁଙ୍କ ଦର୍ଶନ ପାଇଁ ବ୍ୟାରିକେଡ୍ ବ୍ୟବସ୍ଥା ମଧ୍ୟ କରାଯାଇଛି। ଲୋକାର୍ପଣ ଦିନ ସନ୍ଧ୍ୟାରେ ସାଂସ୍କୃତିକ ତଥା ଆଧ୍ୟାତ୍ମିକ କାର୍ଯ୍ୟକ୍ରମର ଆୟୋଜନ କରାଯିବ। ଆଜି ଉଦଘାଟନ ଉତ୍ସବ ପାଇଁ ସକାଳ ୯ଟାରୁ ମଧ୍ୟାହ୍ନ ୨ଟା ଯାଏ ସାଧାରଣ ଦର୍ଶନ ବନ୍ଦ ରହିବ। ପ୍ରକଳ୍ପ ଲୋକାର୍ପଣ ପାଇଁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଥିବା ପ୍ରମୁଖ ମନ୍ଦିରକୁ ନିମନ୍ତ୍ରଣ କରାଯାଇଛି। ଗତକାଲି ଲୋକାର୍ପଣ ଯଜ୍ଞ ଆରମ୍ଭ ହୋଇଛି।

ମା’ଙ୍କ ପ୍ରତି ଭକ୍ତି ଓ ଭକ୍ତଙ୍କ ଭାବାବେଗକୁ ସମ୍ମାନ ଜଣାଇ ୫-ଟି ରୂପାନ୍ତରଣ ମାଧ୍ୟମରେ କାର୍ଯ୍ୟକାରୀ ହୋଇଥିବା ସମଲେଇ ପ୍ରକଳ୍ପରେ ଭକ୍ତମାନଙ୍କର ଅବଶ୍ୟକତା ପ୍ରତି ସର୍ବାଧିକ ଗୁରୁତ୍ୱ ଦିଆଯାଇଛି। ପ୍ରକଳ୍ପ ଆରମ୍ଭରୁ ହିଁ ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଲଗାତାର ଭାବେ ଏଠାକୁ ଗସ୍ତ କରି ରୂପାନ୍ତରଣ ପ୍ରକଳ୍ପର କାର୍ଯ୍ୟକୁ ତ୍ୱରାନ୍ୱିତ କରି ଆସିଛନ୍ତି।

ସମଲେଇ ପ୍ରକଳ୍ପ ଲୋକାର୍ପଣ ଉତ୍ସବକୁ ଦୃଷ୍ଟିରେ ରଖି ଆଜି ଛୁଟି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ସାରାରାଜ୍ୟର ସ୍କୁଲ ଓ କଲେଜ ବନ୍ଦ ରହିବ । ଆଜି ଚତୁର୍ଥ ଶନିବାର ଯୋଗୁଁ ମଧ୍ୟ ସମସ୍ତ ସରକାରୀ ଅଫିସ ଛୁଟି ରହିବ ।

Comments are closed.