ବେଳାଭୂମି ମହୋତ୍ସବ ଓ ପଲ୍ଲୀଶ୍ରୀ ମେଳା: ମନୋରଞ୍ଜନ ସହ‌ ବ୍ୟବସାୟ

ବ୍ରହ୍ମପୁର: ଗୋପାଳପୁରରେ ଆୟୋଜିତ ବେଳାଭୂମି ମହୋତ୍ସବ ସହ ପଲ୍ଲୀଶ୍ରୀ ମେଳା ଲୋକଙ୍କୁ ଆକୃଷ୍ଟ କରୁଛି।

ପଲ୍ଲୀଶ୍ରୀ ମେଳାରେ ପ୍ରଥମ ଦୁଇ ଦିନରେ ୪୦ ଲକ୍ଷ ଟଙ୍କାର କାରବାର ହୋଇଛି। ଗୁରୁବାର ୧୪ ଲକ୍ଷ ୪୨ ହଜାର ଟଙ୍କାର ବିକ୍ରୀବଟା ହୋଇଥିବା ବେଳେ ଶୁକ୍ରବାର ୨୫ ଲକ୍ଷ ୫୪ ହଜାର ୫୬୦ ଟଙ୍କାର ସାମଗ୍ରୀ ବିକ୍ରୀ ହୋଇଥିବା କାର୍ଯ୍ୟାଳୟରୁ ସୂଚନା ମିଳିଛି। ଶନିବାର ତାହା ଆହୁରି ବୃଦ୍ଧି ପାଇଛି। ଏବେ ଶୀତର ଅନୁଭବ ରହିଥିବାରୁ ଜାମ୍ମୁ-କାଶ୍ମୀରର ଷ୍ଟଲରୁ ପ୍ରାୟ ଏକ ଲକ୍ଷ ୨୦ ହଜାର ଟଙ୍କା ଶୀତବସ୍ତ୍ର ବିକ୍ରୀ ହୋଇଛି। ଏହି ଷ୍ଟଲ୍ ସର୍ବାଧିକ ଲୋକଙ୍କୁ ଆକୃଷ୍ଟ କରୁଛି।

ତେଣେ ଶନିବାର ଗୋପାଳପୁର ବେଳାଭୂମି ମହୋତ୍ସବର ତୃତୀୟ ସନ୍ଧ୍ୟାରେ ଶିଳ୍ପା ରାଓ ଓ ପ୍ରଜ୍ଞା ହୋତାଙ୍କ ସଙ୍ଗୀତରେ ଦର୍ଶକ ନାଚି ଗାଇ ଭରପୁର ମଜା ଉଠାଇଛନ୍ତି। ଲୋକ ନୃତ୍ୟ କଳାକାରମାନେ ମଧ୍ୟ ଦର୍ଶକଙ୍କ ଭରପୁର ମନୋରଞ୍ଜନ କରିଛନ୍ତି। ବିଭିନ୍ନ ଅନୁଷ୍ଠାନ ଦ୍ବାରା ଓଡ଼ିଶୀ ନୃତ୍ୟ ସହ ଆଧୁନିକ ଡ୍ୟାନ୍ସ, ଟ୍ୱିଙ୍କଲ୍ ଫ୍ୟାସନ୍ ଏକାଡେମୀ, ବ୍ରହ୍ମପୁର ସ୍କେଟିଂ ଏକାଡେମୀ, କୋରାପୁଟ ଜିଲ୍ଲାର କଳାକାରଙ୍କ ଢେମସା, ପୁରୀର ସାହି ଯାତ୍ରା ମେଢ଼ ନାଚ, ବଲାଙ୍ଗୀର ଜିଲ୍ଲା କଳାକାରଙ୍କ ଘୁଡୁକୀ ନାଚ, କଟକ ଜିଲ୍ଲା ଚୌଦ୍ବାର ସଙ୍ଗୀତ କଳା ସଂସଦ ପକ୍ଷରୁ ଘୋଡ଼ା ନାଚ ଆଦି ଦର୍ଶକଙ୍କୁ ମୁଗ୍ଧ କରିଥିଲା। ବିଶିଷ୍ଟ କଣ୍ଠଶିଳ୍ପୀ ଶିଳ୍ପା ରାଓ, ଓଡ଼ିଆ ଗାୟିକା ପ୍ରଜ୍ଞା ହୋତାଙ୍କ କଣ୍ଠର ଯାଦୁରେ ଦର୍ଶକ ମତୁଆଲା ହୋଇଥିଲେ।

ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ାଙ୍କ ସଭାପତିତ୍ବରେ ଆୟୋଜିତ ତୃତୀୟ ସନ୍ଧ୍ୟାରେ ଅତିଥି ଥିଲେ ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ତଥା ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା, ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ, ଖଲ୍ଲିକୋଟ ବିଧାୟିକା ସୂର୍ଯ୍ୟମଣି ବୈଦ୍ୟ ପ୍ରମୁଖ। ଗୌରବମୟ ଗଞ୍ଜାମର ଇତିହାସ ପୃଷ୍ଠାରେ ଗୋପାଳପୁର ନୌବାଣିଜ୍ୟ ପରମ୍ପରା ଚିର ଉଦଜୀବିତ। ମୁଖ୍ୟମନ୍ତ୍ରୀଙ୍କ ଉଦ୍ୟମରେ ଗୋପାଳପୁର ତଥା ଗଞ୍ଜାମ ଜିଲ୍ଲାର ବିକାଶ ସହ ଲୋକକଳା ଓ ଲୋକନୃତ୍ୟକୁ ମଧ୍ୟ ସ୍ଵତନ୍ତ୍ର ମଞ୍ଚ ମିଳୁଛି ବୋଲି ଅତିଥିମାନେ କହିଥିଲେ। ମଞ୍ଚରେ ଗୋପାଳପୁର ନିର୍ବାଚନ ମଣ୍ଡଳୀର ସମସ୍ତ ଜନପ୍ରତିନିଧିଙ୍କୁ ସମ୍ମାନିତ କରାଯାଇଥିଲା।

Comments are closed.