ଆଇପିଏସ ଅଫିସର ବି. ରାଧିକାଙ୍କୁ ସ୍ୱେଚ୍ଛାକୃତ ଅବସର ପାଇଁ ଅନୁମତି ଦେଲେ ରାଜ୍ୟ ସରକାର

ଭୁବନେଶ୍ୱର – ୧୯୮୯ ବ୍ୟାଚ୍ ଆଇପିଏସ ଅଫିସର ବି.ରାଧିକା ସ୍ୱେଚ୍ଛାକୃତ ଅବସର ନେଇଛନ୍ତି । ତାଙ୍କର ସ୍ୱେଚ୍ଛାକୃତ ଅବସର ଆବେଦନକୁ ଗ୍ରହଣ କରିଛନ୍ତି ରାଜ୍ୟ ସରକାର । ଫେବ୍ରୁଆରୀ ୧ ଅପରାହ୍ନରୁ ତାଙ୍କୁ ସ୍ୱେଚ୍ଛାକୃତ ଅବସର ନେବା ପାଇଁ ଅନୁମତି ମିଳିଛି । ଏ ନେଇ ରାଜ୍ୟ ଗୃହ ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ରାଧିକା କେନ୍ଦ୍ରୀୟ ଡେପୁଟେସନରୁ ଗତବର୍ଷ ନଭେମ୍ବରରେ ଓଡ଼ିଶା ଫେରିଥିଲେ । ରାଧିକା ଚଳିତବର୍ଷ ଜୁଲାଇ ମାସରେ ଚାକିରିରୁ ଅବସର ନେଇଥାନ୍ତେ ।

ବି.ରାଧିକା ସରକାରୀ ଚାକିରିରୁ ସ୍ୱେଚ୍ଛାକୃତ ଅବସର ନେବା ପାଇଁ ୨୦୨୩ ଡିସେମ୍ବର ୩୧ ଓ ଚଳିତବର୍ଷ ଜାନୁୟାରୀ ୧୧ ତାରିଖରେ ଦୁଇଥର ଆବେଦନ କରିଛନ୍ତି । ସର୍ବଭାରତୀୟ ସେବା ରୁଲସ-୧୯୫୮ର ରୁଲ-୧୬(୨) ଆଧାରରେ ସେ ସରକାରୀ ଚାକିରିରୁ ସ୍ୱେଚ୍ଛାକୃତ ଅବସର ପାଇଁ ଆବେଦନ କରିଥିଲେ । ତେବେ ଚାକିରିରୁ ସ୍ୱେଚ୍ଛାକୃତ ଅବସର ନେବା ପାଇଁ ଜଣେ ସର୍ବଭାରତୀୟ ଅଫିସରଙ୍କୁ ନିଜ ଚାକିରି କାଳର ୩୦ବର୍ଷ ପୂରଣ ଅବା ସେ ୫୦ବର୍ଷ ବୟସରେ ଉପନୀତ ହେବାର ଆବଶ୍ୟକତା ରହିଛି ଓ ରାଜ୍ୟ ସରକାରଙ୍କୁ ଅତିକମରେ ୩ମାସ ପୂର୍ବରୁ ଲିଖିତ ଭାବେ ଆବେଦନ ଦେବାର ଆବଶ୍ୟକତା ରହିଛି । ତେବେ ରାଜ୍ୟ ସରକାରଙ୍କ ପାଖରେ ଏହି ୩ ମାସ ଅବଧିକୁ କୋହଳ କରିବାର କ୍ଷମତା ଥିବାରୁ ସରକାର ରାଧିକାଙ୍କ କ୍ଷେତ୍ରରେ ଏହି ଆବେଦନ ନିମନ୍ତେ ‘ସର୍ବନିମ୍ନ ୩ ମାସ ପୂର୍ବରୁ’ ନିୟମକୁ କୋହଳ କରିଛନ୍ତି ।

Comments are closed.