ବ୍ରହ୍ମପୁର ଆଇଟିଆଇ ରାଜ୍ୟରେ ପ୍ରଥମ

ବ୍ରହ୍ମପୁର: ନିଆରା ଉଦ୍ଭାବନ, ଯୁଗପଯୋଗୀ ବର୍ଜ୍ୟରୁ ସମ୍ପଦ ଉପକରଣ ନିର୍ମାଣ, କ୍ୟାମ୍ପସ୍ ଚୟନ ଜରିଆରେ ଦେଶର ବିଭିନ୍ନ ଶିଳ୍ପାନୁଷ୍ଠାନରେ ଆଖିଦୃଶିଆ ପ୍ଲେସମେଣ୍ଟ, ବାଳିକା ପ୍ରଶିକ୍ଷାର୍ଥୀଙ୍କୁ ଆଡମିଶନ୍- ତାଲିମ- ନିଯୁକ୍ତିରେ ପ୍ରୋତ୍ସାହନ ଦେଇ ପୂର୍ବରୁ ବହୁ ପ୍ରଶଂସା ସାଉଁଟିଛି ବ୍ରହ୍ମପୁର ସରକାରୀ ଆଇଟିଆଇ। ଏବେ ପୁଣି ଉତ୍ତମ ପ୍ରଦର୍ଶନ ସହ ଦକ୍ଷତା ପ୍ରତିପାଦନ କରି ରାଜ୍ୟରେ ପ୍ରଥମ ହୋଇଛି ଏହି ଶିଳ୍ପ ତାଲିମ ଅନୁଷ୍ଠାନ। ଷ୍ଟାର୍ଟ ଅପ୍ ଓଡ଼ିଶା କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଇଟିଆଇର ତିନିଗୋଟି ମଡେଲ୍ ପ୍ରଦର୍ଶିତ ହୋଇଥିଲା। ସେଥିରୁ ଗୋଟିଏ ରାଜ୍ୟରେ ପ୍ରଥମ ସ୍ଥାନ ହାସଲ କରି ବିଜେତା ହେବା ସହ ୩ ଲକ୍ଷ ଟଙ୍କାର ପୁରସ୍କାର ପାଇଛି।

ଗତ ମାସରେ ବ୍ରହ୍ମପୁରରେ ଷ୍ଟାର୍ଟ ଅପ୍ ଓଡ଼ିଶାର ଏକ କାର୍ଯ୍ୟକ୍ରମ ହୋଇଥିଲା। ସେଥିରେ ବ୍ରହ୍ମପୁର ସରକାରୀ ଆଇଟିଆଇ, କେନ୍ଦ୍ରୀୟ ଉଚ୍ଚ ଶିକ୍ଷାନୁଷ୍ଠାନ ଆଇଜର୍, ପାରଳା ମହାରାଜା ଇଞ୍ଜିନିୟରିଂ କଲେଜ, ୟୁସିପି ଇଞ୍ଜିନିୟରିଂ ସ୍କୁଲ ଆଦି ବୈଷୟିକ ଶିକ୍ଷାନୁଷ୍ଠାନ ଭାଗ ନେଇଥିଲେ। ରାଜ୍ୟସ୍ତରରୁ ଏକ ପ୍ରତିନିଧି ଦଳ ଏହାର ତଦାରଖ କରିବାକୁ ଆସିଥିଲା। ତେବେ କେବଳ ଆଇଟିଆଇ ପ୍ରକଳ୍ପକୁ ରାଜ୍ୟ ସ୍ତରକୁ ଚୟନ କରାଯାଇଥିଲା। ଭୁବନେଶ୍ବରରେ ଅନୁଷ୍ଠିତ ”ଓ” ହବ୍ କାର୍ଯ୍ୟକ୍ରମରେ ଏହାର ପ୍ରେସ୍ ଫିଟ୍ ଫ୍ୟୁଜ୍ ମଡେଲଟି ଶ୍ରେଷ୍ଠ ବିବେଚିତ ହୋଇଥିଲା। ଆଇଆଇଟି ଭୁବନେଶ୍ବର, ଆଇଆଇଏମ୍ ସମ୍ବଲପୁର ଆଦି ପ୍ରସିଦ୍ଧ ଶିକ୍ଷାନୁଷ୍ଠାନକୁ ପଛରେ ପକାଇ ଦେଇଥିଲା ବ୍ରହ୍ମପୁର ଆଇଟିଆଇ ଏବଂ ଟିପିଏସଓଡିଏଲ୍ ମିଳିତ ଉଦ୍ୟମରେ ନିର୍ମିତ ଉପରୋକ୍ତ ପ୍ରକଳ୍ପ। ବ୍ରହ୍ମପୁର ସରକାରୀ ଆଇଟିଆଇର ଏହି ସଫଳତାକୁ ନେଇ ବିଭାଗୀୟ ସଚିବ ଉଷା ପାଢ଼ୀ ଅଭିନନ୍ଦନ ଜଣାଇଛନ୍ତି।

Comments are closed.