ଯଶସ୍ବୀଙ୍କ ଅପରାଜିତ ଶତକ, ଭାରତ ୩୩୬/୬ 

ବିଶାଖାପାଟନମ୍: ଯୁବ ଓପନର୍ ଯଶସ୍ୱୀ ଜୈସୱାଲଙ୍କ ଅପରାଜିତ ୧୭୯ ରନର ଇନିଂସ ବଳରେ ଭାରତ ଶୁକ୍ରବାର ଠାରୁ ଆରମ୍ଭ ହୋଇଥିବା ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟର ପ୍ରଥମ ଦିନରେ ୬ ୱିକେଟ୍ ହରାଇ ୩୩୬ ରନ୍ କରିଛି।

ବାମହାତୀ ବ୍ୟାଟ୍ସମ୍ୟାନ୍ ଜୈସୱାଲ ଚମତ୍କାର ପ୍ରଦର୍ଶନ ସହ ୮୯ ବଲରେ ନିଜ ଅର୍ଦ୍ଧଶତକ ପୂରଣ କରିଥିଲେ । ପରେ ଆଉ ୬୨ଟି ବଲରେ କ୍ୟାରିୟରର ଦ୍ୱିତୀୟ ଟେଷ୍ଟ ଶତକ ହାସଲ କରିଥିଲେ। ଏଥିସହ ଏହି ୨୨ ବର୍ଷୀୟ ବ୍ୟାଟ୍ସମ୍ୟାନ୍ ଏପର୍ଯ୍ୟନ୍ତ ୧୦ଟି ଟେଷ୍ଟ ଇନିଂସରୁ ଦୁଇଟି ଶତକ ଓ ସମାନ ସଂଖ୍ୟକ ଅର୍ଦ୍ଧଶତକ ହାସଲ କରିଛନ୍ତି । ଗତ ବର୍ଷ ଓ୍ବେଷ୍ଟଇଣ୍ଡିଜରେ ନିଜ ଟେଷ୍ଟ ଡେବ୍ୟୁରେ ଜୈସୱାଲ ୧୭୧ ରନ୍ କରିଥିଲେ।

ଜୈସୱାଲ ଏପର୍ଯ୍ୟନ୍ତ ତାଙ୍କ ଇନିଂସରେ ୧୭ ଚୌକା ଓ ୫ଟି ଛକା ମାରିଛନ୍ତି। ଷ୍ଟମ୍ପ ଅପସାରଣ ବେଳକୁ ଯଶସ୍ବୀଙ୍କ ସହ ରବିଚନ୍ଦ୍ରନ ଅଶ୍ବିନ ୫ ରନ୍ କରି ଅପରାଜିତ ଅଛନ୍ତି ।

ପୂର୍ବରୁ ଭାରତ ଟସ୍ ଜିତି ବ୍ୟାଟିଂ କରିଥିଲା। ହେଲେ ଯଶସ୍ବୀଙ୍କୁ ଛାଡ଼ିଦେଲେ ଦଳର ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ଭଲ ବ୍ୟାଟିଂ ପରିବେଶରୁ ଲାଭ ଉଠାଇ ପାରିନଥିଲେ ।

ଅଧିନାୟକ ରୋହିତ ଶର୍ମା ପୁଣି ଫେଲ୍ ମାରିଥିଲେ। ସେ ୧୪ ରନ୍ କରି ପ୍ରଥମ ସେସନରେ ହିଁ ଆଉଟ୍ ହୋଇଥିଲେ। ଶୁଭମାନ ଗିଲ୍ ସକାରାତ୍ମକ ଷ୍ଟାର୍ଟକୁ ବଡ଼ ସ୍କୋରରେ ପରିଣତ କରିପାରିନଥିଲେ । ଗିଲ୍ ୩୪ ରନ୍ କରି ପ୍ୟାଭିଲିୟନ ଫେରିଥିଲେ । ଶ୍ରେୟସ ଆୟର ମଧ୍ୟ ନିରାଶ କରିଥିଲେ । ଆୟର ୨୭‌ ରନ୍ କରିଥିବା ବେଳେ ଅକ୍ଷର ପଟେଲ ୨୭ ଓ କେଏସ୍ ଭାରତ ୧୭ ରନ୍ କରି ଆଉଟ୍ ହୋଇଥିଲେ । ଡେବୁଟାଣ୍ଟ ରଜତ ପାଟିଦାର ୩୨ ରନ୍ କରିଥିଲେ ।

ଇଂଲଣ୍ଡ ପାଇଁ ଡେବ୍ୟୁ କରୁଥିବା ସ୍ପିନର ଶୋଏବ ବଶୀର ଏବଂ ରେହାନ ଅହମ୍ମଦ ପ୍ରତ୍ୟେକ ୨ଟି ଲେଖାଏଁ ୱିକେଟ୍ ନେଇଥିଲେ। ଅଭିଜ୍ଞ ଜେମ୍ସ ଆଣ୍ଡରସନ ଗତ ବର୍ଷ ଜୁଲାଇ ପରେ ପ୍ରଥମ ମ୍ୟାଚ୍ ଖେଳୁଛନ୍ତି। ସେ ଗୋଟିଏ ୱିକେଟ୍ ନେଇଛନ୍ତି ।

ହାଇଦ୍ରାବାଦରେ ଖେଳାଯାଇଥିବା ପ୍ରଥମ ଟେଷ୍ଟରେ ଭାରତ ନାଟକୀୟ ଭାବେ ୨୮ ରନରେ ହାରିଯାଇଥିଲା । ପାଞ୍ଚ ଟେଷ୍ଟ ବିଶିଷ୍ଟ ସିରିଜରେ ୧-୦ରେ ପଛୁଆ ରହିଥିବା ଭାରତ ପ୍ରତ୍ୟାବର୍ତ୍ତନ ଲକ୍ଷ୍ୟରେ ରହିଛି ।

Comments are closed.