ଇଂଲଣ୍ଡକୁ ଘାଇଲା କଲେ ବୁମରା, ଦୃଢ଼ ସ୍ଥିତିରେ ଭାରତ

ବିଶାଖାପଟନମ୍: ଯସପ୍ରୀତ ବୁମରାଙ୍କ ଘାତକ ବୋଲିଂ ବଳରେ ଏଠାରେ ଚାଲିଥିବା ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଭାରତ ବୃହତ ଅଗ୍ରଣୀ ହାସଲ କରି ସ୍ଥିତି ସୁଦୃଢ କରିନେଇଛି । ବୁମରା ୪୫ ରନରେ ୬ ଓ୍ବିକେଟ୍ ସହ ଇଂଲଣ୍ଡ ବ୍ୟାଟିଂ ଲାଇନ୍ ଅପକୁ ଧରାଶାୟୀ କରିଥିଲେ । ଭାରତର ପ୍ରଥମ ଇନିଂସ ୩୯୬ ରନ୍ ଜବାବରେ ଇଂଲଣ୍ଡ ୨୫୩ ରନରେ ଅଲ୍ଆଉଟ୍ ହୋଇଯାଇଥିଲା । ଏଥିସହ ଭାରତ ୧୪୩ ରନର ଗୁରୁତ୍ୱପୂର୍ଣ୍ଣ ଅଗ୍ରଣୀ ହାସଲ କରିଥିଲା । ଦ୍ବିତୀୟ ଦିନର ଖେଳ ଶେଷ ହେବା ବେଳକୁ ଭାରତ ଦ୍ୱିତୀୟ ଇନିଂସରେ ବିନା କୌଣସି ଓ୍ବିକେଟ୍ ହରାଇ ୨୮ ରନ୍ କରିନେଇଛି । ଭାରତ ଏପର୍ଯ୍ୟନ୍ତ ମୋଟ ୧୭୧ ରନରେ ଅଗ୍ରଣୀ ରହିଛି ।

ଷ୍ଟମ୍ପ୍ ଅପସାରଣ ବେଳକୁ ଅଧିନାୟକ ରୋହିତ ଶର୍ମା ୧୩ ରନରେ ବ୍ୟାଟିଂ କରୁଥିବା ବେଳେ ପ୍ରଥମ ଇନିଂସରେ ଚମତ୍କାର ୨୦୯ ରନର ଇନିଂସ୍ ଖେଳିଥିବା ଯଶସ୍ବୀ ଜୈସୱାଲ ୧୫ ରନରେ ଅପରାଜିତ ଅଛନ୍ତି।

ପୂର୍ବରୁ ବୁମରା ନିଜ ଘାତକ ୟର୍କର ଓ ପେସ୍ ଦ୍ବାରା ଇଂଲଣ୍ଡ ବ୍ୟାଟରଙ୍କୁ ଘାଇଲା କରିଥିଲେ । ଇଂଲଣ୍ଡ ଅଧିନାୟକ ବେନ୍ ଷ୍ଟୋକ୍ସଙ୍କୁ ଆଉଟ୍ କରି ବୁମରା‌ ଟେଷ୍ଟ‌ କ୍ୟାରିୟରର ୧୫୦ ଓ୍ବିକେଟ୍ ମାଇଲଖୁଣ୍ଟ ଛୁଇଁଥିଲେ । ସେ ଦ୍ରୁତତମ ଭାରତୀୟ ବୋଲର ଭାବେ ୧୫୦ ଓ୍ବିକେଟ୍ ହାସଲ କରିଥିଲେ। ଟେଷ୍ଟ ଦଳକୁ ଫେରିଥିବା ବାମହାତୀ ସ୍ପିନର କୁଲଦୀପ ଯାଦବ ମଧ୍ୟ ପ୍ରଶଂସନୀୟ ପ୍ରଦର୍ଶନ ସହ ୩ଟି ୱିକେଟ୍ ନେଇଥିଲେ।

ଇଂଲଣ୍ଡ ତରଫରୁ ଓପନର୍ ଜ୍ୟାକ୍ କ୍ରଲି ୭୮ ବଲରେ ୭୬ ରନର ଆକ୍ରମଣାତ୍ମକ ଇନିଂସ ଖେଳିଥିବା ବେଳେ ଅଧିନାୟକ ବେନ୍ ଷ୍ଟୋକ୍ସ ୫୪ ବଲରେ ୪୭ ରନ୍ କରିଥିଲେ।

Comments are closed.