ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ : ‘୨୦୩୬ରେ ଓଡି଼ଶା : ନବଦିଗନ୍ତର ସମ୍ଭାବନା ’ ଶୀର୍ଷକ ଆଲୋଚନା ସଭା

ଭୁବନେଶ୍ୱର – ଆମେ ଦେଶ ଓ ଜାତି ପାଇଁ ସ୍ଵପ୍ନ ଦେଖିବାକୁ ପଡିବ ଏବଂ ସେହି ସ୍ଵପ୍ନର ସମ୍ଭାବନକୁ ସଫଳ କରିବାକୁ ପଡିବ । ଜାତିର ପିତା ମହାତ୍ମା ଗାନ୍ଧି ଦେଶ ଓ ଜାତି ପାଇଁ ବାଟ ଖୋଜି ନ ଥିଲେ ବରଂ ବାଟ ସେ ନିଜେ କାଢିଥିଲେ । ମହାତ୍ମା ଗାନ୍ଧି , ଉତ୍କଳମଣି ଗୋପବନ୍ଧୁ , ଉତ୍କଳଗୌରବ ମଧୁସୂଦନଙ୍କ ପରି ମହାପୁରୁଷମାନଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇପାରିଲେ ୨୦୩୬ର ଓଡ଼ିଶା ଆଦର୍ଶ , ସମୃଦ୍ଧ ଓ ପ୍ରଭାବୀ ହେବ ବୋଲି କହିଛନ୍ତି ଓଡ଼ିଶା ସରକାରଙ୍କ ଆନୁଷ୍ଠାନିକ ଦକ୍ଷତା ନିର୍ମାଣର ମୁଖ୍ୟ ପରାମର୍ଶଦାତା ସୁବ୍ରତ ବାଗଚୀ ।

ପ୍ରଥମ ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀ ଅବସରରେ ଆଦିକବି ସାରଳା ଦାସ ପ୍ରକୋଷ୍ଠରେ ଆୟୋଜିତ ୨୦୩୬ରେ ଓଡ଼ିଶା : ନବଦିଗନ୍ତର ସମ୍ଭାବନା ’ ଶୀର୍ଷକ ଆଲୋଚନା ସଭାରେ ଅତିଥିମାନେ ଓଡ଼ିଶାର ଗୌରବମୟ ସଂସ୍କୃତି ଓ ପରମ୍ପରାକୁ ସମୃଦ୍ଧ କରିଥିବା ପୂର୍ବ ସୂରୀମାନଙ୍କ ତ୍ୟାଗ , ତପସ୍ୟା ଓ ସାଧନାରେ ଅନୁପ୍ରେରିତ ହୋଇ କାର୍ଯ୍ୟକଲେ ୨୦୩୬ର ଓଡ଼ିଶା ବିକାଶ , ସ୍ୱାଭିମାନ ଓ ଅଭିବୃଦ୍ଧିର ରାଜ୍ୟରେ ପରିଣତ ହେବ ବୋଲି ଉଲ୍ଲେଖ କରିଛନ୍ତି । ଏହି ଅବସରରେ ୫-ଟି ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ କହିଲେ ଯେ ନିରବଚ୍ଛିନ୍ନ ବିକାଶ ଓ ଅଭୂତପୂର୍ବ ରୂପାନ୍ତର ପଥକୁ ଅନୁସରଣ କରିଛି ମୁଖ୍ୟମନ୍ତ୍ରୀଙ୍କ ବଳିଷ୍ଠ ନେତୃତ୍ଵାଧୀନ ଓଡ଼ିଶା ସରକାର । ଗତ ୨୩ ବର୍ଷରୁ ଅଧିକ ସମୟ ଧରି ଗଭୀର ଆତ୍ମବିଶ୍ଵାସର ସହିତ ଉତ୍ସର୍ଗୀକୃତ ସେବା ମନୋଭାବ ଓ ଦୃଢ ସଂକଳ୍ପ ନେଇ ଜନସାଧାରଣଙ୍କ ପାଇଁ ରାଜ୍ୟ ସରକାର କାର୍ଯ୍ୟ କରି ଆସୁଛନ୍ତି । ରାଜ୍ୟବାସୀଙ୍କ ସେବା ଏବଂ ଓଡ଼ିଶାର ବିକାଶ ପାଇଁ ରାଜ୍ୟ ସରକାର ଅଙ୍ଗୀକାରବଦ୍ଧତା ଓଡ଼ିଶାକୁ ଅନ୍ୟ ରାଜ୍ୟମାନଙ୍କଠାରୁ ଭିନ୍ନ ଓ ସ୍ଵତନ୍ତ୍ର ମର୍ଯ୍ୟାଦା ଦେଇଛି । ବିକାଶର ଏହି ଫଳପ୍ରଦ ଯାତ୍ରାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୂଆ ପରିଚୟ ସୃଷ୍ଟି କରିଛନ୍ତି । ଜନସାଧାରଣଙ୍କ ସମ୍ମାନକୁ ଗୁରୁତ୍ଵ ଦେଇ ସ୍ୱଚ୍ଛତା ଓ ନମ୍ରତାର ସହିତ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ ବହନ କରି ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କ ସେବାରେ ନିୟୋଜିତ ରହିଛନ୍ତି ବୋଲି ପାଣ୍ଡିଆନ କହିଥିଲେ । ଆଲୋଚନାରେ ଅନ୍ୟମାନଙ୍କ ମଧ୍ୟରେ ମୁଖ୍ୟ ନିର୍ବାହୀ ଅଧିକାରୀ ବିର୍ଲା କାର୍ବନ ନିର୍ଦ୍ଦେଶକ ( ରସାୟନ ) ଏବଂ ଆଦିତ୍ୟ ବିର୍ଲା ଗ୍ରୁପ ମାନବ ସମ୍ବଳ , ନିର୍ଦ୍ଦେଶକ ଡକ୍ଟର ସଂତୃପ୍ତ ମିଶ୍ର , ମୋନିଟାରି ଅଥେରୀଟି ଅଫ ସିଂଗାପୁରର ମୁଖ୍ୟ ଫିଟେକ ଅଧିକାରୀ ଶ୍ରୀ ସ୍ଵପ୍ନେନ୍ଦୁ ମହାନ୍ତ , ସାନଡିଏଗୋର ଗୀତା ଆଣ୍ଡ୍ ରିଚାର୍ଡ ଆଡ୍ମିନସନ୍ ଅଧ୍ୟକ୍ଷ ପ୍ରାଧ୍ୟାପକ ସଚ୍ଚିଦାନନ୍ଦ ପଣ୍ଡା ପ୍ରମୁଖ ବକ୍ତବ୍ୟ ରଖିଥିଲେ । ଶୁଭମ ବେହେରାଙ୍କ ଦ୍ଵାରା ପରିଚାଳିତ ଏହି ଆଲୋଚନା ଚକ୍ରରେ କଟକ ମଧୁସୂଦନ ଆଇନ ବିଶ୍ଵବିଦ୍ୟାଳୟର ଛାତ୍ରୀ ସୁଶ୍ରୀ ସମୀକ୍ଷା ତ୍ରିପାଠୀ ଏବଂ ସୌମ୍ୟ ପଟ୍ଟନାୟକ ମଧ୍ୟ ବକ୍ତବ୍ୟ ରଖିଥିଲେ । ଅପରାହ୍ନରେ ଦୁଇଟି ବାର୍ତ୍ତାଳାପ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ପ୍ରଥମଟିରେ ଆନ୍ତର୍ଜାତିକ ଖ୍ୟାତିସଂପନ ଫ୍ୟାସନ ଡିଜାଇନର ବିରୁପାକ୍ଷ ମହାପାତ୍ରଙ୍କ ସହିତ ଓଡ଼ିଶା ଦକ୍ଷତା ବିକାଶ କର୍ତ୍ତୃପକ୍ଷଙ୍କ ଅଧ୍ୟକ୍ଷା ଓ ବିଶ୍ଵ ଦକ୍ଷତା କେନ୍ଦ୍ରର ମୁଖ୍ୟ ନିର୍ବାହୀ ଅଧିକାରୀ ଅଳକା ମିଶ୍ର ଆଲୋଚନା କରିଥିଲେ । ଦ୍ୱିତୀୟଟି ଆଭାସୀ ମାଧ୍ୟମରେ ଆୟୋଜିତ ହୋଇଥିଲା । ଏଥିରେ ବିଶ୍ୱବିଖ୍ୟାତ ଐତିହାସିକ ଓ ଗବେଷକ ପଦ୍ମଶ୍ରୀ ହର୍ମାନ୍ କୁଲ୍‌ଙ୍କ ସହିତ ଲେଖିକା ତଥା ଐତିହାସିକା ଡକ୍ଟର ନିବେଦିତା ମହାନ୍ତି କଥାବାର୍ତ୍ତା କରିଥିଲେ ।

Comments are closed.