ନବମ ଥର ଅଣ୍ଡର-୧୯ ବିଶ୍ୱକପ୍ ଫାଇନାଲରେ ଭାରତ

ବେନୋନି: ସେମିଫାଇନାଲରେ ଦକ୍ଷିଣ ଆଫ୍ରିକାକୁ ୨ ୱିକେଟରେ ହରାଇ ଭାରତ ଅଣ୍ଡର-୧୯ ବିଶ୍ୱକପ ଫାଇନାଲରେ ପ୍ରବେଶ କରିଛି । ପାଞ୍ଚ ଥରର ଚାମ୍ପିୟନ୍ ଭାରତ ନବମ ଥର ପାଇଁ ଫାଇନାଲରେ‌ ପହଞ୍ଚିଛି । ଫେବୃଆରୀ ୧୧ରେ ଖେଳାଯିବାକୁ ଥିବା ଫାଇନାଲରେ ଭାରତ ପାକିସ୍ତାନ ଓ ଅଷ୍ଟ୍ରେଲିଆ ମଧ୍ୟରେ ଦ୍ୱିତୀୟ ସେମିଫାଇନାଲର ବିଜେତା ଦଳକୁ ଭେଟିବ।

ବେନୋନିରେ ମଙ୍ଗଳବାର ଅନୁଷ୍ଠିତ ପ୍ରଥମ ସେମିଫାଇନାଲରେ ଦକ୍ଷିଣ ଆଫ୍ରିକା ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିଲା । ଦଳ ୫୦ ଓଭରରେ ୭ ୱିକେଟ୍ ହରାଇ ୨୪୪ ରନ୍ ସଂଗ୍ରହ କରିଥିଲା। ଏହାର ଜବାବରେ ଭାରତ ୪୮.୫ ଓଭରରେ ୮ ୱିକେଟ୍ ହରାଇ ବିଜୟଲକ୍ଷ୍ୟ ହାସଲ କରିନେଇଥିଲା । ଭାରତ ସଚିନ୍ ଧାସ୍ ସର୍ବାଧିକ ୯୬ ରନର ଇନିଂସ୍ ଖେଳିଥିବା ବେଳେ ଅଧିନାୟକ ଉଦୟ ସାହାରା ୮୧ ରନ୍ କରିଥିଲେ । ଭାରତୀୟ ଦଳ ୩୨ ରନରେ ୪ ୱିକେଟ୍ ହରାଇ ସଙ୍କଟରେ ପଡ଼ିଥିଲା । ହେଲେ ସଚିନ୍ ଓ ଉଦୟ ପଞ୍ଚମ ୱିକେଟରେ ଗୁରୁତ୍ୱପୂର୍ଣ୍ଣ ୧୭୧ ରନ୍ ଯୋଡ଼ି ଦଳର ବିଜୟ ସୁନିଶ୍ଚିତ କରିଥିଲେ ।

ପୂର୍ବରୁ ଭାରତ ଟସ୍ ଜିତି ଦକ୍ଷିଣ ଆଫ୍ରିକାକୁ‌ ବ୍ୟାଟିଂ ଆମନ୍ତ୍ରଣ କରିଥିଲା। ଦକ୍ଷିଣ ଆଫ୍ରିକା ତରଫରୁ ଲୁଆନ୍ ଡି ପ୍ରିଟୋରିୟସ୍ ୭୬ ରନ୍ ଓ ରିଚାର୍ଡ ସେଲେଟୱେନ୍ ୬୪ ରନ୍ କରିଥିଲେ। ଭାରତ ପକ୍ଷରୁ ରାଜ ଲିମ୍ବାନୀ ୩ଟି ୱିକେଟ୍ ନେଇଥିବା ବେଳେ ମୁଶୀର ଖାନଙ୍କୁ ୨ଟି ସଫଳତା ମିଳିଥିଲା |

Comments are closed.