ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆଲୋଚନା: ଓଡ଼ିଶାର ଆବଶ୍ୟକତା ପ୍ରସଙ୍ଗ ଉଠାଇଲେ ବିଜେଡି ସଦସ୍ୟ

ନୂଆଦିଲ୍ଲୀ – ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବକୁ ବିଜୁ ଜନତା ଦଳ ସମର୍ଥନ କରିଛି । ଆଜି ରାଜ୍ୟସଭାରେ ଏ ନେଇ ହୋଇଥିବା ଆଲୋଚନାରେ ଅଂଶଗ୍ରହଣ କରି ବିଜେଡି ସଦସ୍ୟ ଡକ୍ଟର ସସ୍ମିତ ପାତ୍ର ଦଳ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପକ୍ଷରୁ ରାଷ୍ଟ୍ରପତିଙ୍କ ଅଭିଭାଷଣ ସମ୍ପର୍କିତ ପ୍ରସ୍ତାବକୁ ସମର୍ଥନ କରିଥିଲେ। ନିଜ ଅଭିଭାଷଣରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଉତ୍କଳମଣି ଗୋପବନ୍ଧୁଙ୍କ କବିତାକୁ ସ୍ଥାନ ଦେଇଥିବାରୁ ଧନ୍ୟବାଦ ଦେଇଥିଲେ ସସ୍ମିତ ପାତ୍ର । ଆଲୋଚନାରେ ଓଡ଼ିଶା ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗ ଉଠାଇଥିଲେ ସସ୍ମିତ ପାତ୍ର। କଟକ- ସମ୍ବଲପୁର ଜାତୀୟ ରାଜପଥର ନିର୍ମାଣ କାର୍ଯ୍ୟ, ଉପକୂଳ ରାଜପଥ ଆଦି ପ୍ରସଙ୍ଗ ଉଠାଇଥିଲେ ସସ୍ମିତ। ପ୍ରଧାନମନ୍ତ୍ରୀ ଆବାସ ଯୋଜନା -ପିଏମଏୱାଇ ଅଧୀନରେ ଓଡ଼ିଶାକୁ ୭ ଲକ୍ଷ ଘରର ଆବଶ୍ୟକତା ରହିଛି ବୋଲି ବିଜେଡି ସଦସ୍ୟ କହିଥିଲେ। କିଛି ଜନଜାତିଙ୍କୁ ମାନ୍ୟତା ସହ ହୋ, ମୁଣ୍ଡାରୀ, ଭୂମିଜ,କୁଇ ଓ ସଉରା ଭାଷାକୁ ସମ୍ବିଧାନର ଅଷ୍ଟମ ପରିଚ୍ଛେଦରେ ସ୍ଥାନିତ କରିବା ଓ କେନ୍ଦୁପତ୍ର ଉପରୁ ଜିଏସଟି ପ୍ରତ୍ୟାହାର କରିବା ସହ କୃଷକଙ୍କ କଲ୍ୟାଣ ପ୍ରସଙ୍ଗ ଉଠାଇଥିଲେ ସସ୍ମିତ ପାତ୍ର।

Comments are closed.