ଓଡ଼ିଆ ଭାଷା ସାହିତ୍ୟର ପ୍ରଚାର ପ୍ରସାର ଓ ଗବେଷଣା ପାଇଁ ୧୮ଟି ନିଷ୍ପତ୍ତି

ଭୁବନେଶ୍ୱର – ପ୍ରଥମ ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀର ବିଭିନ୍ନ ଅଧିବେଶନରେ ଆଲୋଚିତ ବିଷୟ ଓ ପ୍ରବାସୀ ଓଡ଼ିଆମାନଙ୍କ ସହିତ ୫-ଟି ଅଧ୍ୟକ୍ଷଙ୍କ ଆଲୋଚନାର ଆଧାରରେ ନିମ୍ନୋକ୍ତ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଏହି ସବୁ ନିଷ୍ପତ୍ତିକୁ ମୁଖ୍ୟମନ୍ତ୍ରୀଙ୍କ ୫-ଟି ପଦକ୍ଷେପ ଅଧୀନରେ ସ୍ୱଚ୍ଛ ଓ ସମୟାନୁବଦ୍ଧ ଭାବେ କାର୍ଯ୍ୟକାରୀ କରାଯିବ ।

୧. ଓଡ଼ିଆ ଭାଷାରେ ଅନ୍ତର୍ଜାତୀୟ ଓ ଜାତୀୟ ସ୍ତରରେ ଗବେଷଣା ନିମନ୍ତେ ୧୦ କୋଟି ଟଙ୍କା ଅନୁଦାନରେ ଏକ କର୍ପସ ପାଣ୍ଠି ଗଠନ କରାଯିବ । ସତ୍ୟବାଦୀରେ ପ୍ରତିଷ୍ଠିତ ଓଡ଼ିଆ ବିଶ୍ୱ ବିଦ୍ୟାଳୟ ଜରିଆରେ ଏହା କାର୍ଯ୍ୟକାରୀ ହେବ ।

୨. ଓଡ଼ିଆ ଭାଷାକୁ ଡିଜିଟାଲ ପଦ୍ଧତି ସହ ସମନ୍ଵିତ କରିବା ପାଇଁ ପ୍ରତିବର୍ଷ ଏକ ଅନ୍ତର୍ଜାତୀୟ ଡିଜିଟାଲ ଓଡ଼ିଆ ସମ୍ମିଳନୀ ଆୟୋଜନ ମାଧ୍ୟମରେ ବିଶେଷଜ୍ଞ ଓ ଭାଷାବିତ୍‌ମାନଙ୍କୁ ଏକାଠି କରାଯିବ ।

୩. କମ୍ପ୍ୟୁଟର କି-ବୋର୍ଡ ଏବଂ ଫଣ୍ଟରେ ବ୍ୟବହୃତ ଲିପିର ମାନକୀକରଣ ନିମନ୍ତେ ଏକ ବିଶେଷଜ୍ଞ କମିଟି ଗଠନ କରାଯିବ । ଏହି କମିଟି ଏକ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଏହାର କାର୍ଯ୍ୟକାରିତା ନିମନ୍ତେ ପ୍ରସ୍ତାବ ଦେବେ ।

୪. ରାଜ୍ୟ ସରକାର ପ୍ରଥମ ପର୍ଯ୍ୟାୟରେ ୧,୫୦୦ ହାଇସ୍କୁଲରେ ସ୍ଵତନ୍ତ୍ର ଭାବେ ଓଡ଼ିଆ ଶିକ୍ଷକ ନିଯୁକ୍ତି ଦେବେ ଏବଂ ପରବର୍ତ୍ତୀ ପର୍ଯ୍ୟାୟରେ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ସମସ୍ତ ହାଇସ୍କୁଲ ଏହି କାର୍ଯ୍ୟକ୍ରମର ଅନ୍ତର୍ଭୁକ୍ତ ହେବେ ।

୫. ୧୦୦ ବର୍ଷରୁ ଊର୍ଦ୍ଧ୍ୱ ସ୍କୁଲ ଓ କଲେଜଗୁଡିକୁ ୧ କୋଟି ଟଙ୍କା ଓ ସ୍ଵାଧୀନତା ପୂର୍ବର ବିଶ୍ୱବିଦ୍ୟାଳୟକୁ ୨ କୋଟି ଟଙ୍କାର ଐତିହ୍ୟ ଅନୁଦାନ ଯୋଗାଇ ଦିଆଯିବ । ଏହା ଆମ ଓଡ଼ିଆ-ମାଧ୍ୟମ ଶିକ୍ଷା ବ୍ୟବସ୍ଥାର ସୁରକ୍ଷା ଓ ଅଭିବୃଦ୍ଧି ପାଇଁ ବ୍ୟବହୃତ ହେବ ।

୬. ଏକ ଅନୁବାଦ ନୀତି ପ୍ରଣୟନ କରି ଭାରତବର୍ଷ ତଥା ବିଶ୍ଵର ଅନ୍ୟାନ୍ୟ ଭାଷାରେ ଓଡ଼ିଆ ପୁସ୍ତକର ଅନୁବାଦ ପାଇଁ ଅନୁଦାନର ବ୍ୟବସ୍ଥା କରାଯିବ ।

୭. ବିଭିନ୍ନ ବିଷୟରେ ଓଡ଼ିଆ ଭାଷାର ବ୍ୟବହାରକୁ ସରଳ ଓ ସୁଗମ କରିବା ପାଇଁ ଏକ ସଂଶୋଧିତ ଶବ୍ଦାବଳୀ ଓ ଶବ୍ଦକୋଷ ପ୍ରସ୍ତୁତ କରିବା ନିମନ୍ତେ ଓଡ଼ିଆ ଶବ୍ଦକୋଷ କମିଟି ଗଠନ କରାଯିବ ।

୮. ଓଡ଼ିଆ ଭାଷାରେ ବିଜ୍ଞାନ, ବୈଷୟିକ ଶିକ୍ଷା ଓ ଡାକ୍ତରୀ ପାଠ୍ୟକ୍ରମକୁ ପ୍ରୋତ୍ସାହିତ କରିବା ନିମନ୍ତେ ଏକ ମଧ୍ୟବର୍ତ୍ତିକାଳୀନ ନୀତି ପ୍ରଣୟନ କରାଯିବ ।

୯. ବର୍ତ୍ତମାନ ଓ ଭବିଷ୍ୟତର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଓଡ଼ିଆ ଭାଷାରେ ପ୍ରୟୋଜନ ଥିବା ପ୍ରାସଙ୍ଗିକ ପୁସ୍ତକ ପ୍ରକାଶନ ପାଇଁ ରାଜ୍ୟ ସରକାର ପ୍ରୋତ୍ସାହନ ଯୋଗାଇଦେବେ ।

୧୦. ଭବିଷ୍ୟତ ପିଢ଼ିଙ୍କ ମଧ୍ୟରେ ଓଡ଼ିଆ ଭାଷାକୁ ଲୋକପ୍ରିୟ କରିବା ପାଇଁ ନିର୍ଦ୍ଧାରିତ ସମୟସୀମାରେ ସ୍ଵତନ୍ତ୍ର କାର୍ଯ୍ୟକ୍ରମ ଗ୍ରହଣ କରାଯିବ । ଏଥିରେ ପ୍ରତିବର୍ଷ ଓଡ଼ିଆ ଭାଷାର ୧୦୦ ଜଣ ଉଦୀୟମାନ ପ୍ରତିଭାଙ୍କୁ ଚୟନ କରାଯିବ ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ସେମାନଙ୍କୁ ସମ୍ମାନିତ କରାଯିବ । ଭାଷା ବୃତ୍ତି ପୁରସ୍କାର ରାଶିର ପରିମାଣ ଓ ସଂଖ୍ୟା ବୃଦ୍ଧି କରାଯିବ । ଛାତ୍ରଛାତ୍ରୀଙ୍କ ମଧ୍ୟରେ ଓଡ଼ିଆ ବକ୍ତୃତା ପ୍ରତିଯୋଗିତା ପାଇଁ ‘ମୁଖ୍ୟମନ୍ତ୍ରୀ କପ୍‌’ ଆରମ୍ଭ କରାଯିବ ।

୧୧. ରାଜ୍ୟରେ ଯୁବଗୋଷ୍ଠୀଙ୍କ ମଧ୍ୟରେ ପଠନ ଅଭ୍ୟାସ ବୃଦ୍ଧି ପାଇଁ ସର୍ବସାଧାରଣ ପାଠାଗାର ଅଭିଯାନ ଆରମ୍ଭ କରାଯିବ । ଭାରତବର୍ଷ ମଧ୍ୟରେ ଓ ବାହାରେ ଥିବା ଓଡ଼ିଆ ସଂଗଠନଗୁଡିକୁ ଏହି ଓଡ଼ିଆ ପାଠାଗାର ସ୍ଥାପନ ପାଇଁ ସହଯୋଗ ଯୋଗାଇଦିଆଯିବ ।

୧୨. ରାଜ୍ୟ ଓ ଦେଶ-ବିଦେଶରେ ଓଡ଼ିଆ ଭାଷାର ପ୍ରଚାର ପ୍ରସାର ପାଇଁ ଓଡ଼ିଆ ଭାଇଭଉଣୀମାନଙ୍କ ଭିତରେ ସ୍ଵେଚ୍ଛାକୃତ ମନୋଭାବର ବିକାଶ ଉଦ୍ଦେଶ୍ୟରେ ରାଜ୍ୟ ସରକାର ପ୍ରୋତ୍ସାହନ ଯୋଗାଇଦେବେ ।

୧୩. କଟକସ୍ଥିତ ପ୍ରିଣ୍ଟିଂ ମ୍ୟୁଜିୟମକୁ ‘ଜାତୀୟ ମ୍ୟୁଜିୟମ’ ରୂପେ ପରିବର୍ଦ୍ଧିତ କରାଯିବ ଏବଂ ଏଥିରେ ସାରା ବିଶ୍ୱର ମୁଦ୍ରଣ ପରମ୍ପରା ପ୍ରଦର୍ଶିତ କରାଯିବ ।

୧୪. ଓଡ଼ିଶା ନୌବାଣିଜ୍ୟ ଏବଂ ଦକ୍ଷିଣ-ପୂର୍ବ ଏସୀୟ ପ୍ରତିଷ୍ଠାନକୁ ଏକ ଉତ୍କର୍ଷ କେନ୍ଦ୍ରରୂପେ ବିକଶିତ କରାଯିବ । ଏଥିପାଇଁ ବର୍ଷକୁ ୨ କୋଟି ଟଙ୍କାର ଅନୁଦାନ ଦିଆଯିବ ।

୧୫. ଓଡ଼ିଆ ଭାଷାରେ ଶିଶୁସାହିତ୍ୟର ବିକାଶ ପାଇଁ ରାଜ୍ୟ ସରକାର ସମସ୍ତ ପ୍ରକାର ସହଯୋଗ ଓ ପ୍ରୋତ୍ସାହନ ଯୋଗାଇଦେବେ ।

୧୬. ଭାରତ ତଥା ବିଦେଶର ବିଭିନ୍ନ ବିଶ୍ୱବିଦ୍ୟାଳୟରେ ଓଡ଼ିଆ ଚେୟାର ପ୍ରତିଷ୍ଠା ପାଇଁ ପଦକ୍ଷେପ ନିଆଯିବ। ପ୍ରାରମ୍ଭରେ ୫ଟି ବିଶ୍ୱବିଦ୍ୟାଳୟରେ ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ଓଡ଼ିଆ ଅଧ୍ୟୟନ ବିଷୟକ ଏକ ବାର୍ଷିକ ଆନ୍ତର୍ଜାତିକ ଗବେଷଣା ପତ୍ରିକା ଓଡ଼ିଆ ବିଶ୍ୱବିଦ୍ୟାଳୟ ପକ୍ଷରୁ ପ୍ରକାଶିତ ହେବ ।

୧୭. ଓଡ଼ିଶା ବାହାରେ ବସବାସ କରୁଥିବା ଓଡ଼ିଆମାନଙ୍କ ପାଇଁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଏକ ଓଡ଼ିଆ ଲର୍ଣ୍ଣିଂ ମ୍ୟାନେଜମେଣ୍ଟ ସିଷ୍ଟମ ପ୍ରସ୍ତୁତ କରାଯିବ । ଏହାଦ୍ଵାରା ଓଡ଼ିଶା ତଥା ଓଡ଼ିଶା ବାହାରେ ବସବାସ କରୁଥିବା ଛାତ୍ର-ଛାତ୍ରୀମାନେ ଅନଲାଇନରେ ଓଡ଼ିଆ ଭାଷା ଶିକ୍ଷା କରିବା ସହିତ ସାର୍ଟିଫିକେଟ ମଧ୍ୟ ହାସଲ କରିପାରିବେ । ଏହି ସମସ୍ତ ସୁବିଧା ଓଡ଼ିଆ ଭର୍ଚୁଆଲ ଏକାଡେମୀ ଓ୍ୱେବସାଇଟରେ ଉପଲବ୍ଧ ହେବ ।

୧୮. ମୂଲ୍ୟବାନ୍‍ ନଥିପତ୍ରଗୁଡିର ଉପଯୁକ୍ତ ପଞ୍ଜୀକରଣ, ସଂରକ୍ଷଣ ଓ ପ୍ରସାରଣ ପାଇଁ ସଂଗ୍ରହାଳୟ ଏବଂ ଅଭିଲେଖାଗାରକୁ ଯଥେଷ୍ଟ ଆର୍ଥିକ ଅନୁଦାନ ପ୍ରଦାନ କରାଯିବ ।

Comments are closed.