ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଡାକ୍ତର

ଭୁବନେଶ୍ୱର – ଭିଜିଲାନ୍ସ କବଜାରେ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଡାକ୍ତର। ଲାଞ୍ଚ ନେବାବେଳେ ଡାକ୍ତର ସୌରଭ ସୁପ୍ରୀତଙ୍କୁ ଧରିଛି ଭିଜିଲାନ୍ସ । ଅସ୍ତ୍ରୋପଚାର ପାଇଁ ଆସିଥିବା ଦୁଇ ରୋଗୀଙ୍କ ଠାରୁ ସେ ୬ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଡ଼ି ବସିଥିଲେ ଭିଜିଲାନ୍ସ ଅଧିକାରୀ।

ଖବର ମିଳିଛି ଯେ, ବେଲପାହାଡ଼ର ଦୁଇ ଜଣ ରୋଗୀ ଗୁରୁଦେବ ଗରଡ଼ିଆ ଓ ଜୟରାମ ଭଇଁସା ହାଇଡ୍ରୋସିଲ୍ ଅସ୍ତ୍ରୋପଚାର ହେବା ପାଇଁ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆସିଥିଲେ। ଅସ୍ତ୍ରୋପଚାର କରିବା ପାଇଁ ଲାଞ୍ଚ ମାଗିଥିଲେ ଡାକ୍ତର ସୌରଭ ସୁପ୍ରୀତ। ନ ହେଲେ ଆସନ୍ତା ବୁଧବାର ଅପରେସନ କରାଯିବ ବୋଲି କହିଥିଲେ। ଗରିବ ହୋଇଥିବାରୁ ଟଙ୍କା ଦେଇପାରିବେ ନାହିଁ ବୋଲି ଦୁଇ ରୋଗୀ କହିଥିଲେ ମଧ୍ୟ ଡାକ୍ତର ଶୁଣିନଥିଲେ। ନିରାଶ ହୋଇ ଦୁଇ ରୋଗୀ ଭିଜିଲାନ୍ସରେ ଅଭିଯୋଗ କଲା ପରେ ଡାକ୍ତରଙ୍କୁ ଧରିବା ପାଇଁ ଜାଲ ବିଛାଯାଇଥିଲା ।
ଯୋଜନା ଅନୁଯାୟୀ, ଆଜି ସନ୍ଧ୍ୟାରେ ଏକ ହୋଟେଲ ନିକଟରେ ଡାକ୍ତର ସୌରଭ ସୁପ୍ରୀତ ୬ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଟିମ୍ ତାଙ୍କୁ ମାଡ଼ି ବସିଥିଲା।

Comments are closed.