ଅଣ୍ଡର-୧୯ ବିଶ୍ୱକପ: ଆଜି ଭାରତ-ଅଷ୍ଟ୍ରେଲିଆ ଟାଇଟଲ୍ ଲଢ଼େଇ

ବେନୋନି (ଦକ୍ଷିଣ ଆଫ୍ରିକା): ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ରବିବାର ଆଇସିସି ଅଣ୍ଡର-୧୯ କ୍ରିକେଟ୍ ବିଶ୍ୱକପ ଫାଇନାଲ୍ ଖେଳାଯିବ । ଏହି ଟୁର୍ଣ୍ଣାମେଣ୍ଟରେ‌ ସବୁଠୁ ସଫଳ‌ ଦଳ ଭାବେ ଭାରତ ସର୍ବାଧିକ ୫ ଥର ଟାଇଟଲ୍ ଜିତିଛି । ରବିବାର ଅଷ୍ଟ୍ରେଲିଆ ବିପକ୍ଷ ଫାଇନାଲ ଜିତି ରେକର୍ଡ ଷଷ୍ଠ ଥର ଚାମ୍ପିୟନ୍ ହେବା‌ ଲକ୍ଷ୍ୟରେ ପଡ଼ିଆକୁ ଓହ୍ଲାଇବ ଭାରତ । ଭାରତୀୟ ଦଳ ନବମ ଥର ଫାଇନାଲ ଖେଳିବାକୁ ଥିବାବେଳେ ଅଷ୍ଟ୍ରେଲିଆର ଏହା ଷଷ୍ଠ ଫାଇନାଲ ହେବ । ଅଷ୍ଟ୍ରେଲିଆ ନାମରେ ରହିଛି ତିନୋଟି ଟ୍ରଫି। ଶେଷଥର ଅଷ୍ଟ୍ରେଲିଆ ୨୦୧୦ରେ ପାକିସ୍ତାନକୁ ହରାଇ ଟ୍ରଫି ଜିତିଥିଲା।

ଉଦୟ ପ୍ରତାପ ସହାରନଙ୍କ ନେତୃତ୍ୱରେ ଭାରତୀୟ ଦଳ ଚଳିତ ଟୁର୍ଣ୍ଣାମେଣ୍ଟରେ ବର୍ତ୍ତମାନ ପର୍ଯ୍ୟନ୍ତ ଭଲ ପ୍ରଦର୍ଶନ କରିଛି । ତେଣୁ ଅଷ୍ଟ୍ରେଲିଆ ବିପକ୍ଷ ଫାଇନାଲରେ ଭାରତ ଫେଭରିଟ୍ ବିବେଚିତ ହେଉଛି ।

୨୦୧୨ ଏବଂ ୨୦୧୮ର ଫାଇନାଲରେ ଭାରତ ଅଷ୍ଟ୍ରେଲିଆକୁ ହରାଇ ଟାଇଟଲ୍ ଜିତିଥିଲା । ଏଥର ମଧ୍ୟ କଙ୍ଗାରୁ ଦଳ ବିପକ୍ଷରେ ଅନୁରୂପ ସଫଳତା ହାସଲ ଲକ୍ଷ୍ୟରେ ରହିବ ଭାରତ ।

ପ୍ରଥମ ସେମିଫାଇନାଲରେ ଭାରତ ଆୟୋଜକ ଦକ୍ଷିଣ ଆଫ୍ରିକାକୁ ୨ ଓ୍ବିକେଟରେ ହରାଇଥିଲା । ଦ୍ବିତୀୟ ସେମିଫାଇନାଲରେ ପାକିସ୍ତାନକୁ ୧ ଓ୍ବିକେଟରେ ହରାଇ ଫାଇନାଲକୁ ଉନ୍ନୀତ ହୋଇଥିଲା ଅଷ୍ଟ୍ରେଲିଆ ।

Comments are closed.