ଭିମସାର ପାଇଁ ହଜାରେ କୋଟିର ପ୍ୟାକେଜ, ବଦଳିବ ରୂପରେଖ

ସମ୍ବଲପୁର: ବୁର୍ଲା ସ୍ଥିତ ବୀର ସୁରେନ୍ଦ୍ର ସାଏ ଆୟୁର୍ବିଜ୍ଞାନ ଓ ଗବେଷଣା କେନ୍ଦ୍ର (ଭିମସାର)ର ରୂପରେଖ ବଦଳିବ। ଏଥିପାଇଁ ହଜାରେ କୋଟିର ପ୍ୟାକେଜ ବ୍ୟବସ୍ଥା ହୋଇଥିବା ନେଇ ଆଜି ୫ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ସୂଚନା ଦେଇଛନ୍ତି।

ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ଭିମସାର ନିର୍ଦ୍ଦେଶକଙ୍କ ସମେତ ବିଭାଗୀୟ ମୁଖ୍ଯମାନେ ଯୋଗ ଦେଇଥିଲେ। ଏଥିରେ ପ୍ରଥମ ପର୍ଯ୍ୟାୟରେ ଶିଶୁ ଓ ମହିଳା ରୋଗ ବିଭାଗର ବିକାଶ କରିବାକୁ ସ୍ଥିର ହୋଇଛି। ଏଥିପାଇଁ ୭ ଶହ ଶଯ୍ୟା ବିଶିଷ୍ଟ ସ୍ବତନ୍ତ୍ର ବିଭାଗ ହେବ। ସେହିପରି ଛାତ୍ରାବାସର ନବୀକରଣ ସହ ସ୍ପୋର୍ଟସ କଂପ୍ଲେକ୍ସ ଏବଂ ସମସ୍ତ କର୍ମଚାରୀ କ୍ଵାର୍ଟରର ନବୀକରଣ ପାଇଁ ସ୍ଥିର ହୋଇଛି। ଏହି ସମସ୍ତ କାମ ପାଇଁ ହଜାରେ କୋଟିର ପ୍ୟାକେଜ କରାଯାଇଥିବା ଶ୍ରୀ ପାଣ୍ଡିଆନ ସୂଚନା ଦେଇଛନ୍ତି। ଏନେଇ ତୁରନ୍ତ ମାଷ୍ଟର ପ୍ଲାନ ପ୍ରସ୍ତୁତ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମପୀଠ ଖିଣ୍ଡାର ବିକାଶ କାମର ସମୀକ୍ଷା କରି ନିର୍ମାଣ କାମକୁ ତ୍ବରାନ୍ବିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିରେ ଆରଡିସି, ଜିଲ୍ଲାପାଳଙ୍କ ସମେତ ସମସ୍ତ ବରିଷ୍ଠ ଅଧିକାରୀ ସାମିଲ ଥିଲେ।

Comments are closed.