ଅବକାରୀ ଦୁର୍ନୀତି ମାମଲାରେ କେଜ୍ରିୱାଲଙ୍କୁ ଇଡିର‌ ଷଷ୍ଠ ସମନ

ନୂଆଦିଲ୍ଲୀ: ଅବକାରୀ ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ପୁଣି ସମନ ଜାରି କରିଛି ଇଡି । ଏଥରକୁ ମିଶାଇ ଷଷ୍ଠ ଥର ପାଇଁ କେଜ୍ରିୱାଲଙ୍କୁ ସମନଛ ପଠାଇଛି କେନ୍ଦ୍ରୀୟ ସଂସ୍ଥା । ଫେବୃଆରୀ ୧୯ରେ ଜେରା ପାଇଁ ହାଜର ହେବାକୁ କେଜ୍ରିୱାଲଙ୍କୁ ଇଡି କହିଛି। ଏହା ପୂର୍ବରୁ କେଜ୍ରିୱାଲଙ୍କୁ ୫ଟି ସମନ ପଠାଯାଇଥିଲେ ମଧ୍ୟ ଆପର ରାଷ୍ଟ୍ରୀୟ ଆବାହକ ଇଡି ଆଗରେ ହାଜର ହୋଇନଥିଲେ। ସେ ଇଡି ନୋଟିସକୁ ବେଆଇନ ଓ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି କହିଥିଲେ।

ଇଡି ଜାନୁଆରୀ ୩୧, ୧୭, ୩ ଏବଂ ଡିସେମ୍ବର ୨୧ ଓ ନଭେମ୍ବର ୨ରେ କେଜ୍ରିୱାଲଙ୍କୁ ଡକାଇଥିଲା । କିନ୍ତୁ ସେ ହାଜର ହୋଇନଥିଲେ। ସମନ ସତ୍ତ୍ୱେ ହାଜର ହେଉନଥିବାରୁ ଇଡି କେଜ୍ରିୱାଲଙ୍କ ବିରୋଧରେ କୋର୍ଟ ଯାଇଥିଲା । ଇଡି ପିଟିସନ ଉପରେ ଦିଲ୍ଲୀର ରାଉଜ୍ ଆଭେନ୍ୟୁ କୋର୍ଟ କେଜ୍ରିୱାଲଙ୍କୁ ଫେବୃଆରୀ ୧୭ରେ ହାଜର ହେବାକୁ କହିଛନ୍ତି ।

ଅନ୍ୟପକ୍ଷରେ ଇଡିର ଘନଘନ ସମନ ନେଇ ଆମ୍ ଆଦମୀ ପାର୍ଟି ଦାବି କରିଛି ଯେ ଅରବିନ୍ଦ କେଜ୍ରିୱାଲଙ୍କୁ ଗିରଫ କରିବା ପାଇଁ ଏହା କେନ୍ଦ୍ରର ବିଜେପି ସରକାରଙ୍କ ଏକ ଷଡ଼ଯନ୍ତ୍ର । ଜେରା ବାହାନାରେ ଇଡି ତାଙ୍କୁ ଗିରଫ କରିବାକୁ ଚାହୁଁଛି ବୋଲି ଅଭିଯୋଗ କରିଛି ଦଳ।

Comments are closed.