କାଲିଠାରୁ ଯୁକ୍ତ ଦୁଇ ପରୀକ୍ଷା

ଭୁବନେଶ୍ୱର – କାଲିଠାରୁ ଆରମ୍ଭ ହେବ ଯୁକ୍ତ ଦୁଇ ପରୀକ୍ଷା। ଆସନ୍ତାକାଲି ପ୍ରଥମେ ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ଆରମ୍ଭ ହେବ । ୧୭ରୁ ଯୁକ୍ତ ଦୁଇ କଳା ଓ ବାଣିଜ୍ୟ ପରୀକ୍ଷା ଆରମ୍ଭ ହେବ। ଚଳିତ ବର୍ଷ ମୋଟ ୩ ଲକ୍ଷ ୮୪ ହଜାର ୯୭ ଛାତ୍ରଛାତ୍ରୀ ଯୁକ୍ତ ଦୁଇ ପରୀକ୍ଷା ଦେବେ। ମାର୍ଚ୍ଚ ୨୦ ତାରିଖ ଯାଏଁ ପରୀକ୍ଷା ଚାଲିବ । ସକାଳ ୧୦ଟାରୁ ଆରମ୍ଭ ହେବ ପରୀକ୍ଷା।

ପରୀକ୍ଷା ପାଇଁ ଅଧଘଣ୍ଟା ଆଗରୁ ଛାତ୍ରଛାତ୍ରୀମାନେ କେନ୍ଦ୍ରରେ ପହଞ୍ଚିବେ। ୧୫ ମିନିଟ୍ ପୂର୍ବରୁ ହଲ୍ ପ୍ରବେଶ ସହ ୧୦ ମିନିଟ୍ ପୂର୍ବରୁ ଖାତା ପାଇବେ। ୫ ମିନିଟ୍ ପୂର୍ବରୁ ମିଳିବ ପ୍ରଶ୍ନପତ୍ର। ପ୍ରଶ୍ନ ପତ୍ରରେ ପୃଷ୍ଠା ସଂଖ୍ଯା କିମ୍ବା ଛପାଜନିତ ତ୍ରୁଟି ଥିଲେ ତୁରନ୍ତ ଜଣାଇବାକୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପରାମର୍ଶ ଦେଇଛି ।
ଉତ୍ତର ଖାତାର ରୋଲ୍ ନମ୍ବର, ରେଜିଷ୍ଟ୍ରେସନ୍ ନମ୍ବର ଠିକ୍ ଭାବରେ ଠିକ୍ ଜାଗାରେ ଲେଖିବାକୁ ପଡ଼ିବ । ପ୍ରଶ୍ନ ପତ୍ରର ସେଟ୍ କୋଡକୁ ନିର୍ଭୁଲ ଭାବରେ ଲେଖିବା ସହ ଉପସ୍ଥାନ ଖାତାରେ ନିଜର ରୋଲ୍ ନମ୍ବର ଦେଖି ଉପସ୍ଥାନ ଦେବେ । ପରୀକ୍ଷା ହଲକୁ କଳା ବଲ୍ ପେନ୍ ଏବଂ ଆଡମିଟ୍ କାର୍ଡ ବ୍ଯତୀତ ଅନ୍ଯ ସାମଗ୍ରୀ ନେବା ନିଷେଧ କରାଯାଇଛି।

ପରୀକ୍ଷାକୁ ତ୍ରୁଟିଶୂନ୍ୟ କରିବାକୁ ବିଭିନ୍ନ ପଦକ୍ଷେପ ନେଇଛି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ । କପି ରୋକିବା ପାଇଁ ତ୍ରିସ୍ତରୀୟ ସ୍କ୍ୱାଡ୍ ବ୍ୟବସ୍ଥା କରାଯିବା ସହ ସମସ୍ତ ପରୀକ୍ଷା କେନ୍ଦ୍ରରେ ସିସିଟିଭିର ଲଗାଯାଇଛି । କପି ହେଉଥିବା କେନ୍ଦ୍ର ଗୁଡ଼ିକ ଉପରେ କଡା ନଜର ରଖାଯିବ।

ଚଳିତ ବର୍ଷ ୧ ହଜାର ୧୫୮ଟି ପରୀକ୍ଷା କେନ୍ଦ୍ର କରାଯାଇଥିବା ବେଳେ ୭ଟି ଉପକେନ୍ଦ୍ର କରାଯାଇଛି । ଯୁକ୍ତ ଦୁଇ କଲେଜର ଅଧ୍ୟକ୍ଷମାନେ ପରୀକ୍ଷା କେନ୍ଦ୍ରଗୁଡିକର ସୁପରଭାଇଜର ଦାୟିତ୍ବରେ ରହିବେ।

Comments are closed.