ପଶ୍ଚିମବଙ୍ଗ ସ୍କୁଲ ନିଯୁକ୍ତି ମାମଲାରେ ପୁଣି ଇଡି ଚଢ଼ାଉ

କୋଲକାତା: ପଶ୍ଚିମବଙ୍ଗର ପ୍ରାଥମିକ ବିଦ୍ୟାଳୟ ଗୁଡ଼ିକରେ ନିଯୁକ୍ତିରେ ହୋଇଥିବା ଅନିୟମିତତା ମାମଲାରେ ଶୁକ୍ରବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଜଣେ ବିଲଡରଙ୍କ ବାସଭବନ ଓ କାର୍ଯ୍ୟାଳୟରେ ଚଢ଼ାଉ କରିଛି। ଏହି ବିଲଡର ଜଣକ ପଶ୍ଚିମବଙ୍ଗର ପୂର୍ବତନ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ପାଖ ଲୋକ ଭାବେ ପରିଚିତ ।

କେନ୍ଦ୍ରୀୟ ବାହିନୀ ସହିତ ଆସିଥିବା ଇଡି ଟିମ୍ ବିଲଡରଙ୍କ କାର୍ଯ୍ୟାଳୟ ଓ ତିନୋଟି ଫ୍ଲାଟ୍ ଉପରେ ଚଢ଼ାଉ କରିଛି । ସେଥିମଧ୍ୟରୁ ଗୋଟିଏ ଫ୍ଲାଟ୍ ଦକ୍ଷିଣ କୋଲକାତାର ନକଟାଲା ସ୍ଥିତ ଚାଟାର୍ଜୀଙ୍କ ଠିକ୍ ଘର ସାମ୍ନାରେ ଅଛି ।

ଇଡି ଅଧିକାରୀଙ୍କ ସୂଚନା ଅନୁଯାୟୀ ସ୍କୁଲ୍ ନିଯୁକ୍ତି ଦୁର୍ନୀତିରେ ବିଲଡରଙ୍କ ବଡ଼ ଭୂମିକା ରହିଛି। ତଦନ୍ତରୁ ଜଣାପଡିଛି ସେ (ବିଲଡର) ଏହି ଘୋଟାଲାରୁ ମିଳିଥିବା ଅର୍ଥକୁ ବିଭିନ୍ନ ପ୍ରକଳ୍ପରେ ଲଗାଇବାରେ ଚାଟାର୍ଜୀଙ୍କୁ ସାହାଯ୍ୟ କରିଥିଲେ।

ସରକାରୀ ଅନୁଦାନ ପ୍ରାପ୍ତ ସ୍କୁଲ୍ ଗୁଡ଼ିକରେ ନିଯୁକ୍ତିରେ ଅନିୟମିତତା ଅଭିଯୋଗରେ କେନ୍ଦ୍ରୀୟ ଏଜେନ୍ସି ଚାଟାର୍ଜୀଙ୍କୁ ଗିରଫ କରିଥିଲା। ଇଡି ଏହି ମାମଲାରେ ବିଲଡରକୁ ଦୁଇଥର ଜେରା କରିସାରିଛି। ବିଲଡରଙ୍କ ଠାରୁ ଜବତ ହୋଇଥିବା ଅନେକ ଦସ୍ତାବିଜ୍ ଓ ବ୍ୟାଙ୍କ ଷ୍ଟେଟମେଣ୍ଟ ପ୍ରମାଣ ଯେ ସ୍କୁଲ୍ ନିଯୁକ୍ତି ଦୁର୍ନୀତିରୁ ମିଳିଥିବା ଟଙ୍କା ଅନ୍ୟ ଆଡ଼େ ନିବେଶ କରିବାରେ ଚାଟାର୍ଜୀ ତାଙ୍କ ସହାୟତା ନେଇଥିଲେ।

Comments are closed.