ପୂର୍ବ ପ୍ରତିଶ୍ରୁତି ଅନୁସାରେ ଆଜି ଚୌଦ୍ୱାର ଓଟିଏମ ଜମିରେ ବିକଳ୍ପ ବୟନ ଶିଳ୍ପ ପାଇଁ ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର – ଆଜି ଚୌଦ୍ୱାରରେ ଏକ ସମନ୍ୱିତ ବୟନ ଶିଳ୍ପ କମ୍ପ୍ଲେକ୍ସର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଚୌଦ୍ଵାରରେ ଏହି ଶିଳ୍ପ ପାର୍କର ପ୍ରତିଷ୍ଠା କରିବ ୱେଲସ୍ପନ୍ କମ୍ପାନୀ। ଏହି ଶିଳ୍ପ ପାର୍କ ଦ୍ୱାରା ୧୦ ହଜାର ନିଯୁକ୍ତି ସୃଷ୍ଟି ହେବ । ୱେଲସ୍ପନ୍ ଇଣ୍ଟିଗ୍ରେଟେଡ୍ ଟେକ୍ସଟାଇଲ କମ୍ପ୍ଲେକ୍ସ ପାଇଁ ୩ ହଜାର କୋଟି ଟଙ୍କାର ପୁଞ୍ଜି ନିବେଶ କରାଯିବ । ଓଟିଏମ ଜାଗାରେ ୱେଲସ୍ପନ କମ୍ପାନି ବୟନ ଶିଳ୍ପ ପ୍ରତିଷ୍ଠା କରିବ । ସୂଚନାଯୋଗ୍ୟ ଯେ, ୨୦୦୧ରେ ଚୌଦ୍ୱାର ଓଟିଏମ ବନ୍ଦ ହୋଇଯାଇଥିଲା । ୨୦୧୩ରେ ଚୌଦ୍ୱାର ଗସ୍ତ ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଟିଏମ ଜମିରେ ବିକଳ୍ପ ବୟନ ଶିଳ୍ପ ପ୍ରତିଷ୍ଠା ପାଇଁ ପ୍ରତିଶ୍ରୁତି ଦେଇଥିଲେ। ଏଥିସହ ସେ ଶ୍ରମିକମାନଙ୍କ ବକେୟା ପ୍ରଦାନ କରାଯିବ ବୋଲି କହିଥିଲେ । ଓଟିଏମ ଶ୍ରମିକମାନଙ୍କ ବକେୟା ପ୍ରଦାନ କରାଯାଇଥିବା ବେଳେ ଆଜି ବନ୍ଦ ହୋଇଯାଇଥିବା କମ୍ପାନୀ ଜାଗାରେ ନୂଆ ବୟନ ଶିଳ୍ପ ପ୍ରତିଷ୍ଠା ପାଇଁ ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ ।

Comments are closed.