ଟେଷ୍ଟ କ୍ରିକେଟରେ ଭାରତର ସର୍ବବୃହତ୍ ବିଜୟ, ରାଜକୋଟରେ ଇଂଲଣ୍ଡକୁ ୪୩୪ ରନରେ ହରାଇଲା, ୨-୧ରେ ସିରିଜ୍ ଅଗ୍ରଣୀ

ରାଜକୋଟ୍: ତୃତୀୟ ଟେଷ୍ଟକୁ ରେକର୍ଡ ବ୍ୟବଧାନରେ ଜିତିଛି ଭାରତ। ଯଶସ୍ୱୀ ଜୈସୱାଲଙ୍କ ଅପରାଜିତ ଦ୍ୱିଶତକ ପରେ ଲୋକାଲ ବୟ ରବୀନ୍ଦ୍ର ଜାଡେଜାଙ୍କ ଯାଦୁକରୀ ସ୍ପିନ ବଳରେ ଭାରତ ତୃତୀୟ ଟେଷ୍ଟରେ ଇଂଲଣ୍ଡକୁ ୪୩୪ ରନରେ ମାତ୍ ଦେଇଛି । ରନ୍ ଦୃଷ୍ଟିରୁ ଏହା ଟେଷ୍ଟ କ୍ରିକେଟରେ ଭାରତର ସର୍ବବୃହତ୍ ବିଜୟ । ଏହା ପୂର୍ବରୁ ଭାରତ ୨୦୨୧ରେ ମୁମ୍ବାଇରେ ନ୍ୟୁଜିଲ୍ୟାଣ୍ଡକୁ ୩୭୨ ରନରେ ହରାଇଥିଲା ।

ଭାରତ ପ୍ରଦତ୍ତ ୫୫୭ ରନ୍‌ର ବିଶାଳ ଟାର୍ଗେଟକୁ ପିଛା କରିବାକୁ ଯାଇ ଇଂଲଣ୍ଡ ଚତୁର୍ଥ ଦିନର ଶେଷ ସେସନରେ ୧୨୨ ରନ୍‌ କରି ଅଲ୍ଆଉଟ୍ ହୋଇଯାଇଥିଲା । ଭାରତ ପକ୍ଷରୁ ଜାଡେଜା ୪୧ ରନ୍ ଦେଇ ୫ ଓ୍ବିକେଟ୍ ହାସଲ କରିଥିଲେ । କୁଲଦୀପ ଯାଦବ ୨ଟି ଓ୍ବିକେଟ୍ ନେଇଥିବା ବେଳେ ବୁମରା ଓ ରବିଚନ୍ଦ୍ରନ ଅଶ୍ବିନ ଗୋଟିଏ ଲେଖାଏଁ ସଫଳତା ପାଇଥିଲେ। ଇଂଲଣ୍ଡ ତରଫରୁ ନିମ୍ନଭାଗ ବ୍ୟାଟ୍ସମ୍ୟାନ୍ ମାର୍କ ଉଡ୍ ସର୍ବାଧିକ ୩୩ ରନ୍ କରିଥିଲେ। ପ୍ରଥମ ଇନିଂସରେ ଶତକୀୟ ପାଳି ପରେ ଦ୍ଵିତୀୟ ଇନିଂସରେ ୫ ଓ୍ବିକେଟ୍ ସଫଳତା ପାଇଁ ଜାଡେଜା ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଛନ୍ତି । ଏହି ଦମଦାର ବିଜୟ ସହ ଭାରତ ୫ ମ୍ୟାଚ୍ ବିଶିଷ୍ଟ ସିରିଜରେ ୨-୧ରେ ଅଗ୍ରଣୀ ହାସଲ କରିଛି । ସିରିଜର ଚତୁର୍ଥ ଟେଷ୍ଟ ଫେବୃଆରୀ ୨୩ରୁ ରାଞ୍ଚିରେ ଖେଳାଯିବ ।

୫୫୭ ରନର ବିଶାଳ ବିଜୟଲକ୍ଷ୍ୟ ଜବାବରେ ଇଂଲଣ୍ଡର‌ ବ୍ୟାଟିଂ ତାସର ଘର ପରି ଭୁଶୁଡ଼ି ପଡ଼ିଥିଲା । ଇଂଲଣ୍ଡ ଏକଦା ୫୦ ରନରେ ୭ ଓ୍ବିକେଟ୍ ହରାଇ ଦେଇଥିଲା। ଶେଷ ଆଡକୁ ନିମ୍ନଭାଗ ବ୍ୟାଟ୍ସମ୍ୟାନ୍ ଉଡ୍ ଓ ହାର୍ଟଲି କିଛି ସଟ୍ ଖେଳିବା ଯୋଗୁଁ ଦଳ ୧୦୦ ରନ୍ ଟପିଥିଲା ।

ପୂର୍ବରୁ ଯୁବ ଓପନର୍ ଯଶସ୍ବୀ ଜୈସୱାଲ ଚଳିତ ସିରିଜରେ କ୍ରମାଗତ ଦ୍ବିତୀୟ ଦ୍ୱିଶତକ ହାସଲ କରିଥିବା ବେଳେ ଭାରତ ୪ ୱିକେଟ୍ ହରାଇ ୪୩୦ ରନରେ ଦ୍ୱିତୀୟ ଇନିଂସ ଘୋଷଣା କରିଥିଲା । ତୃତୀୟ ଦିବସରେ ଆଘାତ କାରଣରୁ ୧୦୪ ରନ୍ କରି ରିଟାୟର୍ଡ ହର୍ଟ ହୋଇଥିବା ଯଶସ୍ବୀ ଆଜି କ୍ରିଜକୁ ଫେରି ପୁଣି ଛକା-ଚୌକା ବର୍ଷା କରି ଦ୍ୱିଶତକ ପୂରଣ କରିଥିଲେ। ସେ ୨୩୬ ବଲରେ ୧୪ ଚୌକା ଓ ୧୨ଟି ଛକା ସହାୟତାରେ ଅପରାଜିତ ୨୧୪ ରନ୍ କରିଥିଲେ ।

ଶୁଭମାନ ଗିଲ୍ ଦୁର୍ଭାଗ୍ୟଜନକ ଭାବେ ଶତକରୁ ବଞ୍ଚିତ ହୋଇଥିଲେ । ଗିଲ୍ ୯୧ ରନର ବ୍ୟକ୍ତିଗତ ସ୍କୋରରେ ରନ୍ ଆଉଟ୍ ହୋଇଥିଲେ। ଡେବୁଟାଣ୍ଟ ସରଫରାଜ ଖାନ କ୍ରମାଗତ ଦ୍ବିତୀୟ ଅର୍ଦ୍ଧଶତକ ହାସଲ କରି ପୁଣି ନିଜ ଦକ୍ଷତାର ପ୍ରମାଣ ଦେଇଥିଲେ। ପ୍ରଥମ ଇନିଂସରେ ୬୨ ରନ୍ କରିଥିବା ସରଫରାଜ ଦ୍ବିତୀୟ ଇନିଂସରେ ଅପରାଜିତ ୬୮ ରନ୍‌ କରିଥିଲେ । ନାଇଟ୍ ଓ୍ବାଚମ୍ୟାନ୍ କୁଲଦୀପ ଯାଦବ ୨୭ ରନର ଯୋଗଦାନ କରିଥିଲେ ।

ପ୍ରଥମ ଇନିଂସରେ ଭାରତର ୪୪୫ ରନ୍ ଜବାବରେ ଇଂଲଣ୍ଡ ୩୧୯ ରନରେ ଆଉଟ୍ ହୋଇଥିଲା । ଭାରତ ପ୍ରଥମ ଇନିଂସରେ ୧୨୬ ରନର ଅଗ୍ରଣୀ ହାସଲ କରିଥିଲା ।

Comments are closed.