( ମହାପୁରୁଷ ଅଚ୍ୟୁତାନନ୍ଦଙ୍କ ପୁଣ୍ୟ ଜୟନ୍ତୀ ଦିବସ ଅବସରରେ )
ମହାପୁରୁଷ ଅଚ୍ୟୁତାନନ୍ଦ ଦାସ ଷୋଡ଼ଶ ଶତାବ୍ଦୀର ପ୍ରମୁଖ ଓଡ଼ିଆ ସନ୍ଥ, କବି, ଦାର୍ଶନିକ ଏବଂ ତତ୍କାଳୀନ ପଞ୍ଚସଖାଙ୍କ ମଧ୍ୟରୁ ଅନ୍ୟତମ । ସେ ଆନୁମାନିକ ୧୬ଶ ଶତାବ୍ଦୀ ପ୍ରାରମ୍ଭରେ କଟକ ଜିଲ୍ଲା ତିଳକଣା ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ । ଓଡ଼ିଆ ଭାଷାରେ ଯୋଗ, ପୁରାଣ ଓ ଆଗତ ଭବିଷ୍ୟ ଉପରେ ଆଧାରିତ ୩୬ଟି ସଂହିତା, ୭୮ଟି ଗୀତା, ୧୦୦ଟି ମାଳିକା, ଅନେକ ଭଜନ, ଚଉପଦୀ ଏବଂ ଜଣାଣ ଏହିପରି ପାଖାପାଖି ୧୬୦,୦୦୦ ପଦ୍ୟାବଳୀ ସେ ରଚନା କରିଯାଇଛନ୍ତି । ଯୋଗ, ଜ୍ୟୋତିଷ, ଦର୍ଶନ, ବାସ୍ତୁ, ମନ୍ତ୍ର, ଯନ୍ତ୍ର, ତନ୍ତ୍ର, ଆୟୁର୍ବେଦ ତଥା ଏହିପରି ଅନେକ ବିଷୟ ଏବଂ ବିଦ୍ୟାରେ ତାଙ୍କର ପାରଦର୍ଶିତା ଥିବାରୁ ତାଙ୍କୁ ଓଡ଼ିଶାର ପୁରପଲ୍ଳୀରେ ‘ମହାପୁରୁଷ’ ଭାବେ ଲୋକେ ଅଭିହିତ କରନ୍ତି ।
ଅଚ୍ୟୁତାନନ୍ଦ ଦାସ ଓଡ଼ିଶାର କଟକ ଜିଲ୍ଲାସ୍ଥିତ ନେମାଳ ପାଖରେ ଥିବା ତିଳକଣା ଗାଁରେ ମାତା ପଦ୍ମାବତୀଙ୍କଠାରୁ ଓ ପିତା ଦୀନବନ୍ଧୁ ଖୁଣ୍ଟିଆଙ୍କ ଔରସରୁ ଜନ୍ମଲାଭ କରିଥିଲେ ।ସେ ନିଜର ଜନ୍ମ ଗୋପାଳ ଜାତିରେ ହୋଇଥିବା ଉଲ୍ଲେଖ କରିଛନ୍ତି ।
ତିଳକଣାରେ ମୁଁ ଜନମ ହୋଇଲି କେହି ନ ଚିହ୍ନିଲେ ମୋରେ
ଅଗଣି ତ ବୋଲି ମାତା ଡାକୁଥାନ୍ତି ଅନ୍ନ ନ ମିଳଇ ଘରେ ।
ବେନି ଭ୍ରାତ ମୋର ଏକ ଯେ ଭଗିନୀ ତ୍ରିପୁର ଗ୍ରାମରେ ବାସ।
ଏହି ଉଦ୍ଧୃତି ଅନୁସାରେ ସେ ତିଳକଣା ଗ୍ରାମରେ ଜନ୍ମ ହୋଇଥିଲେ । ମାତା ତାଙ୍କୁ ‘ଅଗଣି’ ବୋଲି ଡାକୁଥିଲେ । ତାଙ୍କର ଦୁଇ ଭାଇ ଓ ଗୋଟିଏ ଭଉଣୀ ଥିଲେ ଓ ସେ ଶୂଦ୍ରକୁଳରେ ଜନ୍ମିତ । ପୁନଃ ସେ ନିଜ ମାତା ପିତାଙ୍କ ନାମ ମଧ୍ୟ ଉଲ୍ଲେଖ କରିଛନ୍ତି ।
ଖୁଣ୍ଟିଆ ଦୀନବନ୍ଧୁ ନାମେ ବୋଲିଣ ପଦ୍ମାବତୀ ନାମେ ନାରୀ
ପ୍ରଭୁ ଆଜ୍ଞା ଘେନି ପ୍ରବେଶ ହୋଇଲି ଗର୍ଭେଣ ମୁହିଁ ତାହାରି ।
ଦଶମାସ ଦଶ ଦିବସ ମଧ୍ୟରେ ଶୁକ୍ଳ ମାଘ ଏକାଦଶୀ
ଜନମ ଲଭନ୍ତେ ପିତା ମୋ ଦେଖନ୍ତେ ଅପୁତ୍ରିକ ଦୋଷଧ୍ୱଂସୀ ।
ଚୈତନ୍ୟଙ୍କ ସହ ଭେଟ: ତାଙ୍କ ନିଜ ଲେଖାରୁ ତାଙ୍କର ଚୈତନ୍ୟଙ୍କ ସହ କିପରି ଭେଟ ହୋଇଥିଲା ତାହାର ବର୍ଣ୍ଣନ ରହିଛି ।
ଚୈତନ୍ୟ ଗୋସାଇଁ ବିଜେ କରିଛନ୍ତି ବଡ଼ଦାଣ୍ଡରେ ଯେ ଆସି
ପିତାଙ୍କ ସଙ୍ଗରେ ଦର୍ଶନ କଲି ମୁଁ ଚରଣେ ପଡ଼ିଲି ଝାସି ।
ଅଚ୍ୟୁତାନନ୍ଦଙ୍କ ୩୦୦୦ ଭକ୍ତ ବା ଶିଷ୍ୟ ଥିଲେ । ଏହି ଭିତରୁ ଉତ୍ତମ ଶିଷ୍ୟ ୫୦୦ । ପ୍ରାଚୀକୂଳରେ ଅଚ୍ୟୁତଙ୍କ ୧,୦୦୦ ଭକ୍ତ ଥିଲେ । ଅନନ୍ତପୁର ଶାସନର ଶର୍ମ୍ମା ଦ୍ୱିଜବର, ପ୍ରାଚୀ କୂଳର ଦାସ ମହାପାତ୍ର, ଗଣେଶ ପତି, ଗଣକକୁଳ କାହ୍ନୁଙ୍କ ପୁତ ପରୀକ୍ଷିତ, ଯାଜପୁର ବନ୍ଧୁ ମହାନ୍ତି ଆଦି ଦାସଙ୍କ ପ୍ରମୁଖ ଶିଷ୍ୟ ଥିଲେ ।
ପ୍ରତାପରୁଦ୍ରଙ୍କ ପରୀକ୍ଷା: ସେତେବେଳେ ଗଜପତି ପ୍ରତାପରୁଦ୍ର ଦେବ ଓଡ଼ିଶାର ରାଜା ଥିଲେ । ଦାସଙ୍କ ଶୂନ୍ୟଭଜନ କଥା ରାଜା ଶୁଣିପାରିଲେ ଓ ଶୂନ୍ୟଭଜନ କି ପ୍ରକାର ତାହା ଜାଣିବା ଲାଗି ଅଚ୍ୟୁତଙ୍କ ସହ ଅନେକ କଟାଳ କଲେ । ବ୍ରାହ୍ମଣମାନେ ଏହା ଶୁଣି ଉପହାସ କଲେ । ଦାସଙ୍କର ଉପହାସ ପ୍ରତି ଭ୍ରୂକ୍ଷେପ ନ ଥିଲା । ଦାସେ ରାଜାଙ୍କ ଆଜ୍ଞା ପାଇ ସଙ୍କଟରେ ପଡ଼ିଲେ ମାତ୍ର ଶେଷକୁ ପରୀକ୍ଷା ହେବା ସ୍ଥିର କରାଗଲା । ପୁରୀ ସହରର ବାଙ୍କି ମୁହାଁଣ ନିକଟସ୍ଥ ଶୂନ୍ୟ ବାମ୍ଫିଠାରେ ପରୀକ୍ଷା ହେଲା । ପରୀକ୍ଷା ପରେ ରାଜା ସନ୍ତୁଷ୍ଟ ହୋଇ ଓ ସେହି ସ୍ଥାନରେ ବାସ କରିବା ଲାଗି ଅଚ୍ୟୁତଙ୍କୁ ଆଜ୍ଞା ଦେଲେ । ଅଦ୍ୟାବଧି ଏହି ସ୍ଥାନରେ ଗୋଟିଏ ମଠ ରହିଛି ଯାହାର ନାମ ଗୋପାଳ ମଠ ।
ଧର୍ମତତ୍ତ୍ୱ; ଅଚ୍ୟୁତାନନ୍ଦ ଶରୀରତତ୍ତ୍ୱ ଭଳି କଠିନ ଦାର୍ଶନିକ ବିଷୟଗୁଡ଼ିକୁ ସରଳ ଓଡ଼ିଆ ଭାଷାରେ ଲେଖିଛନ୍ତି । ଅଚ୍ୟୁତାନନ୍ଦ ନିରାକାର ଭଜନର ମହତ୍ତ୍ୱ ବିଷୟରେ ବାରମ୍ବାର ଲେଖିଛନ୍ତି ।
ମୋହ ଶପଥ ତୋତେ ଆହୋ ବାବୁ । ଏ ଭଜନ ସୂତ୍ର ସୂତ୍ରେ ଭଜିବୁ ।।
କିଏ କାହାର ମିଥ୍ଯା ଯେ ସଂସାର । ଆପେ ତରିଲେ ଆଉ କେ କାହାର ।।
ଅଚ୍ୟୁତାନନ୍ଦ ଜାତିଭେଦରେ ବିଶ୍ୱାସ ରଖୁନଥିଲେ ।
ହେଲେ ଜାତି ହୀନ ନାହିଁ ତହିଁ ମାନ ଶ୍ରୀକୃଷ୍ଣ ବାସନା ଥାଏ ।
କଲିକତରା ଯେ ପଙ୍କରେ ବୁଡ଼ିଲେ ପଙ୍କ ନ ଲାଗଇ ଦେହେ ।।
ଶିଷ୍ୟ ରାମଦାସଙ୍କ ପ୍ରଶ୍ନ ଶୁଣି ଅଚ୍ୟୁତ ଯେଉଁ ଉପଦେଶ ଦେଇଥିଲେ ତାହା ହିଁ ଶୂନ୍ୟସଂହିତାର ବିଷୟ ।
ଅଚ୍ୟୁତଙ୍କ ସଂଖ୍ୟାଧିକ ରଚନାବଳୀ ମଧ୍ୟରୁ କେତକ ପ୍ରାପ୍ତ ତଥା ପ୍ରକାଶିତ ଗ୍ରନ୍ଥର ବିବରଣୀ ନିମ୍ନରେ ପ୍ରଦତ୍ତ । ସେ ୩୬ଟି ସଂହିତା, ୭୮ଟି ଗୀତା, ୨୭ଟି ହରିବଂଶାଦି ଚରିତ, ୧୨ଟି ଉପବଂଶ ଚରିତ, ୧୦୦ଟି ପୁରାଣ ବା ମାଳିକା ଲେଖିଛନ୍ତି । ଏହା ସହିତ ସେ ଅନେକ ଭଜନ ଚୌପଦୀ ଲେଖିଛନ୍ତି ।
Comments are closed.