ଆଜି ମୁଖ୍ୟମନ୍ତ୍ରୀଙ୍କ ବରଗଡ଼ ଗସ୍ତ: ଗଙ୍ଗାଧର ମେହେର ଉଠା ଜଳସେଚନ ପ୍ରକଳ୍ପ ଓ କ୍ୟାନ୍ସର ହସ୍ପିଟାଲର କରିବେ ଲୋକାର୍ପଣ

ଭୁବନେଶ୍ୱର – ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବରଗଡ଼ ଗସ୍ତରେ ଯାଇ ଜିଲ୍ଲାବାସୀଙ୍କୁ ଭେଟି ଦେବେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ । ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉଦଘାଟିତ ହେବାକୁ ଥିବା ଦୁଇ ପ୍ରମୁଖ ପ୍ରକଳ୍ପ ହେଉଛି ଗଙ୍ଗାଧର ମେହେର ଉଠା ଜଳସେଚନ ପ୍ରକଳ୍ପ ଓ ବରଗଡ଼ ମୁଖ୍ୟ ଡାକ୍ତରଖାନାରେ ନିର୍ମିତ ୧୦୦ ଶଯ୍ୟା ବିଶିଷ୍ଟ କ୍ୟାନ୍ସର ହସ୍ପିଟାଲ । ମିଳିଥିବା ସୂଚନା ଅନୁସାରେ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱରରୁ ସ୍ୱତନ୍ତ୍ର ହେଲିକପ୍ଟରରେ ବାହାରି ଆଜି ଦିନ ୧୧ଟା ୫୦ ମିନିଟରେ ବିଜେପୁର ବ୍ଲକ୍ କନାପାଲିରେ ପହଞ୍ଚିବେ । ସେଠାରେ ସେ ଗଙ୍ଗାଧର ମେହେର ଉଠା ଜଳସେଚନ ପ୍ରକଳ୍ପର ଲୋକାର୍ପଣ କରିବେ ।

ଏହାପରେ ମୁଖ୍ୟମନ୍ତ୍ରୀ ବରଗଡ଼ କ୍ୟାନ୍ସର ହସ୍ପିଟାଲର ମଧ୍ୟ ଲୋକାର୍ପଣ କରିବେ । ପ୍ରସିଦ୍ଧ ନୃସିଂହନାଥ ପୀଠର ରୂପାନ୍ତରୀକରଣ ଓ ବିକାଶ କାର୍ଯ୍ୟର ମଧ୍ୟ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ। ଦିନିକିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ୩୪୨ କୋଟି ୬୯ ଲକ୍ଷ ୬୩ ହଜାର ଟଙ୍କା ବ୍ୟୟରେ ମୋଟ ୫୯ଟି ଉନ୍ନୟନମୂଳକ ପ୍ରକଳ୍ପର ଲୋକାର୍ପଣ କରିବେ । ଏଥିସହ ୨୬୩ କୋଟି ୩୩ ଲକ୍ଷ ୧୮ ହଜାର ଟଙ୍କା ବ୍ୟୟରେ ୨୧ଟି ଉନ୍ନୟନମୂଳକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ। ଏଥିମଧ୍ୟରେ ଜିଲ୍ଲା ଷ୍ଟାଡିୟମ ଓ ସ୍ପୋର୍ଟସ କମ୍ପ୍ଲେକ୍ସ ରହିଛି।

Comments are closed.