ରାଜଧାନୀରେ ଡରାଇଲାଣି ତାତି, ଦିନ ୨ଟା ୩୦ ସୁଦ୍ଧା ତାପମାତ୍ରା ୩୫.୬ ଡିଗ୍ରୀ ସେଲସିୟସ

ଭୁବନେଶ୍ୱର – ମାଘ ଯାଇନି, କିନ୍ତୁ ରାଜ୍ୟରେ ଏବେ ଗ୍ରୀଷ୍ମ ଋତୁ ଭଳି ଅନୁଭବ ହେଉଛି । ଦିନକୁ ଦିନ ତାତି ବଢ଼ିବାରେ ଲାଗିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ରାଜଧାନୀ ଭୁବନେଶ୍ୱର ରେ ଆଜି ଦିନ ୨ଟା ୩୦ ସୁଦ୍ଧା ଦିନ ତାପମାତ୍ରା ୩୫.୬ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି, ଯାହା କି ଗତକାଲି ସମାନ ସମୟରେ ରେକର୍ଡ କରାଯାଇଥିବା ତାପମାତ୍ରାଠୁ ଅଧିକ । ଗତକାଲି ଦିନ୨ଟା ୩୦ ସୁଦ୍ଧା ରାଜଧାନୀରେ ତାପମାତ୍ରା ଥିଲା ୩୨.୮ ଡିଗ୍ରୀ ସେଲସିୟସ ।

ଆଜି ରାଜ୍ୟର କିଛି ସ୍ଥାନରେ ଦିନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ସହ ୩୫ ରୁ ୩୭ ଡିଗ୍ରୀ ସେଲସିୟସ ରହିବା ସମ୍ଭାବନା ରହିଛି। ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ଗୁରୁଚାପ ବଳୟ ପ୍ରଭାବରେ ରାଜ୍ୟ ମଧ୍ୟକୁ ପ୍ରବେଶ କରୁଥିବା ଉଷ୍ମ ଜଳୀୟବାଷ୍ପ ପୂର୍ଣ୍ଣ ବାୟୁ ପ୍ରଭାବରେ ଉପକୂଳ ଓଡ଼ିଶାର ଅଧିକାଂଶ ଅଞ୍ଚଳରେ ରାତ୍ରି ତାପମାତ୍ରା ୨୦ ଡ଼ିଗ୍ରୀ ସେଲସିୟସରୁ ଅଧିକ ରହୁଛି । ସ୍ୱାଭାବିକ ତାପମାତ୍ରା ତୁଳନାରେ ୨ ରୁ ୩ ଡିଗ୍ରୀ ସେଲସିୟସ ଅଧିକ ରହୁଛି। ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନରେ ରେକର୍ଡ ହୋଇଥିବା ୨୦ ଡିଗ୍ରୀ ସେଲସିୟସ ରୁ ଅଧିକ ସର୍ବନିମ୍ନ ରାତ୍ରି ତାପମାତ୍ରା ମଧ୍ୟରେ ପୁରୀରେ ୨୫ ଡିଗ୍ରୀ ସେଲସିୟସ,ପାରାଦୀପରେ ୨୪.୪, ଚାନ୍ଦବାଲିରେ ୨୨.୭, ଭୁବନେଶ୍ୱରରେ ୨୨.୧,ବାଲେଶ୍ୱରରେ ୨୧.୫, କଟକରେ ୨୧.୫ ଗୋପାଳପୁରରେ ୨୦.୮ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଛି।

ଗତକାଲି ପଶ୍ଚିମ ଓ ଅଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନରେ ଦିନ ତାପମାତ୍ରା ୩୬ ଡିଗ୍ରୀ ସେଲସିୟସ ଛୁଇଁଥିଲା । ଟିଟିଲାଗଡ଼ ଓ ଭବାନୀପାଟଣାରେ ତାପମାତ୍ରା ୩୬ ଦଶମିକ ୫ ଡିଗ୍ରୀ ସେଲସିୟସ ଲେଖାଏଁ ରେକର୍ଡ କରାଯାଇଥିଲା ।

Comments are closed.