ମାର୍ଚ୍ଚ ୨୨ରୁ ଆଇପିଏଲ୍-୨୦୨୪, ପ୍ରଥମ ୧୭ ଦିନର କାର୍ଯ୍ୟସୂଚୀ ଘୋଷଣା, ସିଏସକେ-ଆରସିବି ଉଦଘାଟନୀ ମୁକାବିଲା

ନୂଆଦିଲ୍ଲୀ: ଘୋଷଣା ହୋଇଛି ଆଇପିଏଲ୍-୨୦୨୪ର କାର୍ଯ୍ୟସୂଚୀ । ମାର୍ଚ୍ଚ ୨୨ରୁ ଆରମ୍ଭ ହେବ ଏହି ଲୋକପ୍ରିୟ ଟି-୨୦ ଲିଗର ସପ୍ତଦଶ ସଂସ୍କରଣ । ଟୁର୍ଣ୍ଣାମେଣ୍ଟର ପ୍ରଥମ ୨୧ଟି ମ୍ୟାଚ୍ ପାଇଁ କାର୍ଯ୍ୟସୂଚୀ ଗୁରୁବାର ଜାରି ହୋଇଛି । ସାଧାରଣ ନିର୍ବାଚନ ଦୃଷ୍ଟିରୁ ଏହି ସିଜନର ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ ପ୍ରକାଶ ପାଇନାହିଁ। ଲୋକସଭା ନିର୍ବାଚନ ତାରିଖ ଘୋଷଣା ପରେ ଦ୍ୱିତୀୟ ପର୍ଯ୍ୟାୟ କାର୍ଯ୍ୟସୂଚୀ ଘୋଷଣା କରାଯିବ।

ଆଇପିଏଲ୍-୨୦୨୪ର ପ୍ରଥମ ମ୍ୟାଚ୍ ମାର୍ଚ୍ଚ ୨୨ରେ ଚେପକ୍ ଷ୍ଟାଡିୟମରେ ଡିଫେଣ୍ଡିଂ ଚାମ୍ପିଅନ୍ ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ଖେଳାଯିବ ।

ଟୁର୍ଣ୍ଣାମେଣ୍ଟର ପ୍ରଥମ ପର୍ଯ୍ୟାୟ ମାର୍ଚ୍ଚ ୨୨ରୁ ଏପ୍ରିଲ ୭ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏହି ଅବଧି ମଧ୍ୟରେ ୧୭ ଦିନରେ ୨୧ଟି ମ୍ୟାଚ୍ ଖେଳାଯିବ ।‌ ଏଥିମଧ୍ୟରୁ ୪ଟି ଡବଲ୍ ହେଡର୍ (ଗୋଟିଏ ଦିନରେ ଦୁଇଟି ମ୍ୟାଚ୍) ରହିଛି ।

ସିଏସକେ ନବମ ଥର ପାଇଁ ଯେକୌଣସି ଆଇପିଏଲ୍ ସିଜନର ପ୍ରଥମ ମ୍ୟାଚ୍ ଖେଳିବ । ଦଳ ଏହା ପୂର୍ବରୁ ୮ ଥର ଉଦଘାଟନୀ ମ୍ୟାଚ୍ ଖେଳିଛି । ଦଳ ଏପର୍ଯ୍ୟନ୍ତ ୧୦ଟି ଫାଇନାଲ୍ ଖେଳିଥିବା ବେଳେ ୫ ଥର ଟାଇଟଲ୍ ଜିତିଛି । ଗତ ସିଜନର ଫାଇନାଲରେ ଦଳ ଗୁଜରାଟ ଟାଇଟନ୍ସକୁ ହରାଇ ପଞ୍ଚମ ଟ୍ରଫି ଜିତିଥିଲା ।

ସାଧାରଣ ନିର୍ବାଚନ ସତ୍ତ୍ବେ ପୂରା ଟୁର୍ଣ୍ଣାମେଣ୍ଟ ଭାରତରେ ଖେଳାଯିବ ବୋଲି ଆଇପିଏଲ୍ ଅଧ୍ୟକ୍ଷ ଅରୁଣ ଧୁମଲ ସ୍ପଷ୍ଟ କରିଛନ୍ତି ।

୨୦୦୯ରେ ସାଧାରଣ ନିର୍ବାଚନ ଯୋଗୁଁ ଆଇପିଏଲର ପୂରା ସିଜନ୍ ଦକ୍ଷିଣ ଆଫ୍ରିକାରେ ଅନୁଷ୍ଠିତ ହୋଇଥିଲା । ୨୦୧୪ରେ କିଛି ମ୍ୟାଚ୍ ୟୁଏଇରେ ଖେଳାଯାଇଥିବା ବେଳେ ୨୦୧୯ ସାଧାରଣ ନିର୍ବାଚନ ସମୟରେ ପୂରା ଲିଗ୍ ଦେଶରେ ଅନୁଷ୍ଠିତ ହୋଇଥିଲା ।

Comments are closed.