୫-ଟି କ୍ରୀଡା ରୂପାନ୍ତରଣ : ଆଜି ବିଭିନ୍ନ ଜିଲ୍ଲାରେ କ୍ରୀଡା ଭିତ୍ତିଭୂମିର ଉଦଘାଟନ ଓ ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର – ୫-ଟି ଉପକ୍ରମରେ ରାଜ୍ୟରେ କ୍ରୀଡା କ୍ଷେତ୍ରରେ ରୂପାନ୍ତରୀକରଣ ହେଉଛି। କ୍ରୀଡା ଓ କ୍ରୀଡାବିତଙ୍କୁ ପ୍ରୋତ୍ସାହିତ କରାଯିବା ସହ ଉନ୍ନତ ଭିତ୍ତିଭୂମି ସୃଷ୍ଟି କରାଯାଉଛି ।

ଯୁବଗୋଷ୍ଠୀଙ୍କୁ କ୍ରୀଡା ପ୍ରତି ଆକୃଷ୍ଟ କରିବାକୁ ରାଜ୍ୟବ୍ୟାପୀ କ୍ରୀଡା ଭିତ୍ତିଭୂମି ସୃଷ୍ଟି ଉପରେ ପ୍ରାଥମିକତା ଦେଉଛନ୍ତି ରାଜ୍ୟ ସରକାର। ଏହି କ୍ରମରେ ଆଜି ବିଭିନ୍ନ ଜିଲ୍ଲାରେ କ୍ରୀଡା ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

୧୨ଟି ହକି ପ୍ରଶିକ୍ଷଣ କେନ୍ଦ୍ର, ୪୮ଟି ବହୁମୁଖୀ ଇଣ୍ଡୋର ଷ୍ଟାଡିୟମ, କଟକରେ ଟେବୁଲ ଟେନିସ ଏକାଡେମୀ , ରାଉରକେଲାରେ ଜିମ୍ନାଷ୍ଟିକ ଏକାଡେମୀ ଓ ଭବାନୀପାଟଣାରେ ବହୁମୁଖୀ ଇଣ୍ଡୋର ହଲର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ।

ଏଥିସହ ଦେବଗଡରେ ହକି ପ୍ରଶିକ୍ଷଣ କେନ୍ଦ୍ର, କେନ୍ଦ୍ରାପଡା ଜିଲ୍ଲା ଆଳିରେ ମହିଳା ଫୁଟବଲ ପ୍ରଶିକ୍ଷଣ କେନ୍ଦ୍ରର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ। ରେମୁଣା, ବାଲିଗୁଡା, କରଞ୍ଜିଆ ଓ ଟିଟିଲାଗଡ଼ରେ ବହୁମୁଖି ଇଣ୍ଡୋର ଷ୍ଟାଡିୟମ, ଭଦ୍ରକରେ ଇଣ୍ଡୋର ସୁଇମିଂ ପୁଲ୍ ଓ କଟକରେ ଫୁଟବଲ ପ୍ରଶିକ୍ଷଣ କେନ୍ଦ୍ର ନିର୍ମାଣ ପାଇଁ ମଧ୍ୟ ଭିତ୍ତିପ୍ରସ୍ତର ସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ।

Comments are closed.