୬୬୦ କୋଟି ଟଙ୍କାର କ୍ରୀଡା ଭିତ୍ତିଭୂମିର ଉଦଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର – ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ୬୬୦ କୋଟି ଟଙ୍କା ବ୍ୟୟର ବିଭିନ୍ନ କ୍ରୀଡା ଭିତ୍ତିଭୂମିର ଉଦଘାଟନ ଓ ଶିଳାନ୍ୟାସ କରିଛନ୍ତି। ଏଥିମଧ୍ୟରେ ରହିଛି ବିଭିନ୍ନ ଜିଲ୍ଲାରେ ୪୮ଟି ବହୁମୁଖୀ ଇଣ୍ଡୋର ଷ୍ଟାଡିୟମ, କଟକରେ ଟେବୁଲ ଟେନିସ ଏକାଡେମୀ, ରାଉରକେଲାରେ ଜିମ୍ନାଷ୍ଟିକ ଏକାଡେମୀ ଓ ୧୨ଟି ହକି ଟ୍ରେନିଂ ସେଣ୍ଟର । ୧୧ଟି କ୍ରୀଡା ପ୍ରକଳ୍ପ ପାଇଁ ମଧ୍ୟ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ। ତୃଣମୂଳ ସ୍ତରରେ କ୍ରୀଡାର ବିକାଶ ପାଇଁ ୫-ଟି ଉପକ୍ରମରେ ଏସବୁ କ୍ରୀଡା ଭିତ୍ତିଭୂମି ପ୍ରକଳ୍ପ କାର୍ଯ୍ୟ ହାତକୁ ନିଆଯାଇଛି। ଉଦଘାଟିତ ହୋଇଥିବା ବହୁମୁଖୀ ଇଣ୍ଡୋର ଷ୍ଟାଡିୟମଗୁଡିକରେ ବ୍ୟାଡମିଣ୍ଟନ କୋର୍ଟ, ବାସ୍କେଟବଲ୍ କୋର୍ଟ ସମେତ ଟେବୁଲ ଟେନିସ, ଯୋଗ, ଚେସ୍, ଭାରୋତ୍ତୋଳନ ପାଇଁ ବ୍ୟବସ୍ଥା ରହିଛି । ଭବାନୀପାଟଣାରେ ବହୁମୁଖୀ ଇଣ୍ଡୋର ଷ୍ଟାଡିୟମ ନବୀକରଣ କରାଯାଇ ଉଦଘାଟିତ ହୋଇଛି।

କଟକରେ ଉଦଘାଟିତ ହୋଇଥିବା ଟେବୁଲ ଟେନିସ ଏକାଡେମୀ ରାଜ୍ୟରେ ଯୁବ ପ୍ରତିଭାମାନଙ୍କୁ ପ୍ରଶିକ୍ଷଣ ପାଇଁ ବେଶ ସହାୟକ ହେବ । ଏଠାରେ ୧୬ଟି ପ୍ରିମିୟମ ମାନର ଟେବୁଲ ରହିଛି। ରାଉରକେଲା ଜିମ୍ନାଷ୍ଟିକ୍ସ ଏକାଡେମୀରେ ମଧ୍ୟ ବିଶ୍ୱସ୍ତରୀୟ ଉପକରଣ ରହିଛି। ଏଠାରେ ଭାରୋତ୍ତୋଳନ, ଟେବୁଲ ଟେନିସ, ଯୋଗ ଓ ଜିମ୍ ବ୍ୟବସ୍ଥା ରହିଛି।

ରାଜ୍ୟରେ ହକିର ବିକାଶ ଓ ପ୍ରସାର ସହ ତୃଣମୂଳ ସ୍ତରରୁ ପ୍ରତିଭା ବିକଶିତ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିଷ୍ପତ୍ତି କ୍ରମେ ଆଉ ୧୬ଟି ହକି ଟ୍ରେନିଂ ସେଣ୍ଟର ପ୍ରତିଷ୍ଠା କରାଯାଇଛି । ଆଜି ଉଦଘାଟିତ ହୋଇଥିବା ୧୬ଟି ହକି ଟ୍ରେନିଂ ସେଣ୍ଟରକୁ ମିଶାଇ ରାଜ୍ୟରେ ମୋଟ ହକି ଟ୍ରେନିଂ ସେଣ୍ଟର ସଂଖ୍ୟା ୨୩କୁ ବୃଦ୍ଧି ପାଇଛି। ସୁନ୍ଦରଗଡ଼ ଜିଲ୍ଲାରେ ରେ ୧୭, ସମ୍ବଲପୁରରେ ୨, ଯାଜପୁରରେ ୧, କଟକରେ ୧, ଗଞ୍ଜାମ ଜିଲ୍ଲାରେ ୧ ଓ ଭୁବନେଶ୍ବରରେ ଗୋଟିଏ ଲେଖାଏଁ ହକି ଟ୍ରେନିଂ ସେଣ୍ଟର ପ୍ରତିଷ୍ଠା କରାଯାଇଛି।

ଆଜି ମଧ୍ୟ ମୁଖ୍ୟମନ୍ତ୍ରୀ ୧୧ଟି କ୍ରୀଡା ଭିତ୍ତିଭୂମି ପ୍ରକଳ୍ପ ପାଇଁ ଶିଳାନ୍ୟାସ କରିଛନ୍ତି। ରେମୁଣା, ବାଲିଗୁଡା, ଟିଟିଲାଗଡ଼ ଓ କରଞ୍ଜିଆରେ ବହୁମୁଖୀ ଇଣ୍ଡୋର ଷ୍ଟାଡିୟମ, ଭଦ୍ରକରେ ଇଣ୍ଡୋର ସୁଇମିଂ ପୁଲ୍, କଟକରେ ଫୁଟବଲ ଟ୍ରେନିଂ ସେଣ୍ଟର, ଇଣ୍ଡୋର ସୁଇମିଂ ପୁଲ୍, ବାସ୍କେଟବଲ୍ କୋର୍ଟ, ଆଳିରେ ମହିଳା ଫୁଟବଲ ଟ୍ରେନିଂ ସେଣ୍ଟର ଓ ଦେବଗଡରେ ହକି ଟ୍ରେନିଂ ସେଣ୍ଟର ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ। ରାଜ୍ୟର ଯୁବ କ୍ରୀଡାବିତଙ୍କୁ ଉତ୍କୃଷ୍ଟ ମାନର କ୍ରୀଡା ଭିତ୍ତିଭୂମି ଓ କୋଚିଂ ଯୋଗାଇଦେବା ରାଜ୍ୟ ସରକାରଙ୍କ ଲକ୍ଷ୍ୟ ବୋଲି ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି।

୫-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଏହି ଅବସରରେ କିଛି କ୍ରୀଡାବିତମାନଙ୍କ ସହ ମତ ବିନିମୟ କରି ସେମାନଙ୍କୁ ସମସ୍ତ ପ୍ରକାର ସହାୟତା ପ୍ରଦାନ ପାଇଁ ଆଶ୍ୱାସନା ଦେଇଥିଲେ।

କାର୍ଯ୍ୟକ୍ରମରେ ବିଜ୍ଞାନ ଓ ବୈଷୟିକ ମନ୍ତ୍ରୀ ଅଶୋକ ପଣ୍ଡା, କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ ତୁଷାରକାନ୍ତି ବେହେରା, ଭୁବନେଶ୍ବର ମେୟର ସୁଲୋଚନା ଦାସ, ଉନ୍ନୟନ କମିଶନର ଅନୁ ଗର୍ଗ, କ୍ରୀଡା ସଚିବ ଭିନିଲ କ୍ରିଷ୍ଣାଙ୍କ ସମେତ ବହୁ ଉଚ୍ଚ ପଦାଧିକାରୀ ଉପସ୍ଥିତ ଥିଲେ।

Comments are closed.