ରାଜଧାନୀରେ ମିଶନ ଶକ୍ତି ବଜାର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ , ବିନା ସୁଧରେ ମା’ ମାନଙ୍କୁ ମିଳିବ ୧୦ ଲକ୍ଷ ଟଙ୍କା ଯାଏଁ ଋଣ

ଭୁବନେଶ୍ବର – ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜଧାନୀରେ ମିଶନ ଶକ୍ତି ବଜାର ଉଦଘାଟନ କରିଛନ୍ତି। ଏଣିକି ମିଶନ ଶକ୍ତି ସ୍ୱୟଂ ସହାୟିକା ଗୋଷ୍ଠୀ ମହିଳାଙ୍କ ଉତ୍ପାଦ ଘରେ ଘରେ ପହଞ୍ଚିବାରେ ସୁବିଧା ହେବ । ଏହାସହ ବିନା ସୁଧରେ ମିଳିବ ୧୦ ଲକ୍ଷ ଟଙ୍କା ଯାଏଁ ଋଣ । ସେହିଭଳି ୟୁନିଫର୍ମ ଓ ବ୍ଲେଜର ପାଇଁ ୭୦ ଲକ୍ଷ ମହିଳା ଓ ଦେଢ ଲକ୍ଷ ମିଶନ ଶକ୍ତି ଲିଡରଙ୍କୁ ୭୩୦ କୋଟି ଟଙ୍କାର ଆର୍ଥିକ ସହାୟତା ଦିଆଯିବ। ଏହାସହ ସୁଧ ଫେରସ୍ତ ବାବଦକୁ ୧୪୫ କୋଟି ଟଙ୍କା ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ।

ମିଶନ ଶକ୍ତି ବଜାର ଉଦଘାଟନ ଅରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଆଗାମୀ ୫ ବର୍ଷରେ ରାଜ୍ୟରେ ୫ ହଜାର ମିଶନ ଶକ୍ତି ବଜାର ଖୋଲାଯିବ । ଚଳିତବର୍ଷ ମିଶନ ଶକ୍ତିର ମା’ ମାନେ ୧୫ ହଜାର କୋଟି ଟଙ୍କା ଋଣ ପାଇଛନ୍ତି । ଆସନ୍ତା ୫ ବର୍ଷରେ ମିଶନ ଶକ୍ତି ମା’ଙ୍କୁ ୭୫ ହଜାର କୋଟି ଟଙ୍କାର ଋଣ ଯୋଗାଇ ଦିଆଯିବ । ମିଶନ ଶକ୍ତି ତାଙ୍କର ସବୁଠାରୁ ପ୍ରିୟ କାର୍ଯ୍ୟକ୍ରମ ବୋଲି ମୁଖ୍ୟମନ୍ତ୍ରୀ ଏହି ଅବସରରେ କହିଥିଲେ। ମା’ ମାନଙ୍କୁ ସମ୍ମାନ ଓ ଉନ୍ନତି ପାଇଁ ରାଜ୍ୟ ସରକାର ସବୁବେଳେ କାମ କରୁଛନ୍ତି । ନୂଆ ଓଡ଼ିଶା ଗଠନରେ ସାମିଲ ହୋଇଛନ୍ତି ମିଶନ ଶକ୍ତି ମା’ । ମା’ ମାନେ ଏବେ ଏସଏଚଜିରୁ ଏସଏମଇ ହୋଇଛନ୍ତି । ମିଶନ ଶକ୍ତିର ମା’ ମାନେ ରୂପାନ୍ତରିତ ଓଡ଼ିଶାରେ ଭାଗିଦାର ସାଜୁଛନ୍ତି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ମିଶନ ଶକ୍ତି ବଜାର ଦ୍ୱାରା ଏଣିକି ଘରେ ଘରେ ପହଞ୍ଚିବ ମିଶନ ଶକ୍ତି ମହିଳାଙ୍କ ଉତ୍ପାଦ । ଗ୍ରାହକଙ୍କୁ ଉଭୟ ଅନଲାଇନ ଓ ଅଫଲାଇନ କିଣିବା ସୁବିଧା ମିଳିବ । ଏଥର ମହିଳା ଏସ୍‌‌ଏଚ୍‌‌ଜିଙ୍କ ପ୍ରସ୍ତୁତ ସାମଗ୍ରୀକୁ ମିଶନ ଶକ୍ତି ଓ ଓର୍‌‌ମାସ୍‌‌ ପ୍ୟାକେଜିଂ ଓ ବ୍ରାଣ୍ଡିଂରେ ବିକ୍ରି କରାଯିବ। ଏଥିପାଇଁ ମାତୃଶକ୍ତି ପ୍ରଡ୍ୟୁସର୍‌‌ କମ୍ପାନୀରେ ସେମାନଙ୍କ ଦ୍ୱାରା ଉତ୍ପାଦିତ ସାମଗ୍ରୀ ବିକ୍ରି କରାଯିବ। ସେହି କମ୍ପାନୀରେ ମାର୍କେଟିଂ ପାଇଁ ବିଭିନ୍ନ କର୍ମଚାରୀଙ୍କୁ ନିଯୁକ୍ତି ଦିଆଯାଇ ମିଶନ ଶକ୍ତି ବଜାରର ପରିଚାଳନା କରିବେ। ଏଥିରେ ଏକାଥରରେ ପ୍ରାୟ ୨୫ଟି ଜିଲ୍ଲାର ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଦ୍ୱାରା ଉତ୍ପାଦିତ ବିଭିନ୍ନ ସାମଗ୍ରୀ ବିକ୍ରି କରାଯାଇପାରିବ। ଏଥିପାଇଁ ମିଶନ ଶକ୍ତି, ଓର୍‌‌ମାସ ଓ ଓଡ଼ିଶା ଜୀବିକା ମିଶନ ପକ୍ଷରୁ ପଦକ୍ଷେପ ନିଆଯାଉଛି ।

ମହିଳା ଏସ୍‌‌ଏଚଜିଙ୍କ ଦ୍ୱାରା ପ୍ରସ୍ତୁତ ବିଭିନ୍ନ ପ୍ରକାରର ପିଠା, ହଳଦୀ, ବଡ଼ି, ପାମ୍ପଡ଼, ସବାଇ ହସ୍ତଶିଳ୍ପ, ଝୋଟ ସାମଗ୍ରୀ ସମେତ ବିଭିନ୍ନ ହସ୍ତଶିଳ୍ପ ସାମଗ୍ରୀ ଆଦିର ବିକ୍ରି ପାଇଁ ବର୍ଷତମାମ ସୁବିଧାସୁଯୋଗ ପାଇପାରିବେ। ଏହାସହିତ ଗ୍ରାମାଞ୍ଚଳର ସାମଗ୍ରୀକୁ ସହଜ ଉପାୟରେ ବ୍ରାଣ୍ଡିଂ ଓ ପ୍ୟାକେଜିଂ କରାଯାଇ ବିକ୍ରି କରାଯିବ। ଏଥିପାଇଁ ମିଶନ ଶକ୍ତି ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଉଥିବା ବେଳେ ମା’ମାନଙ୍କ ପ୍ରସ୍ତୁତ ସାମଗ୍ରୀ ବିକ୍ରିବଟା ଓ ମାର୍କେଟ ଲିଙ୍କେଜ୍‌‌ ପାଇଁ ଓଡ଼ିଶା ଜୀବିକା ମିଶନ ଓ ଓର୍‌‌ମାସ ପକ୍ଷରୁ ସହଯୋଗ ଯୋଗାଇ ଦିଆଯିବ।

Comments are closed.