ଆଜିଠୁ ରାଷ୍ଟ୍ରପତିଙ୍କ ୪ ଦିନିଆ ଓଡିଶା ଗସ୍ତ

ଭୁବନେଶ୍ୱର – ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜିଠାରୁ ୪ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି। କିନ୍ତୁ ରାଷ୍ଟ୍ରପତିଙ୍କ ଗସ୍ତ କାର୍ଯ୍ୟସୂଚୀରେ ସାମାନ୍ୟ ପରିବର୍ତ୍ତନ କରାଯାଇଛି। ଆଜି ଅପରାହ୍ନ ସାଢେ ୨ଟାରେ ରାଷ୍ଟ୍ରପତି ବାୟୁସେନାର ସ୍ୱତନ୍ତ ହେଲିକପ୍ଟରରେ ମୟୂରଭଞ୍ଜ ଜିଲ୍ଲାର ପାଣ୍ଡରଶିଳ ଗାଁରେ ପହଞ୍ଚିବେ । ସେଠାରୁ ସେ ଖିଚିଂ ଯାଇ ମୟୂରଭଞ୍ଜ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା’ କିଚକେଶ୍ୱରୀଙ୍କ ଦର୍ଶନ କରିବେ । ଆଜି ସେ ରାଇରଙ୍ଗପୁର ସ୍ଥିତ ନିଜ ବାସଭବନରେ ରାତ୍ରିଯାପନ କରିବେ । ରାଷ୍ଟ୍ରପତି ମୟୂରଭଞ୍ଜ ଜିଲ୍ଲାରେ ଦୁଇ ଦିନ ରହଣୀ କରିବା ପରେ କେନ୍ଦୁଝର, ଭୁବନେଶ୍ବର, କଟକ, ବ୍ରହ୍ମପୁର ଓ ସମ୍ବଲପୁରରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ । ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି।

ଆସନ୍ତାକାଲି ରାଷ୍ଟ୍ରପତି କେନ୍ଦୁଝର ଯିବେ । ଧରଣୀଧର କଲେଜରେ କେନ୍ଦୁଝରର ଜନଜାତିଙ୍କ ଉପରେ ଏକ ଆଲୋଚନାଚକ୍ର ଉଦଘାଟନ କରିବେ । ଆସନ୍ତାକାଲି ହିଁ ରାଷ୍ଟ୍ରପତି ଭୁବନେଶ୍ବର ଆସି ଉତ୍କଳ ବିଶ୍ବବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ । ପରେ ସେ ରାଜଭବନରେ ରାତ୍ରିଯାପନ କରିବେ । ମାର୍ଚ୍ଚ ୧ ତାରିଖରେ ରାଷ୍ଟ୍ରପତି ମୁର୍ମୁ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟରେ ସମାବର୍ତ୍ତନ ଉତ୍ସବରେ ଯୋଗ ଦେବେ । ସେଦିନ ଅପରାହ୍ନରେ ରାଷ୍ଟ୍ରପତି କଟକ ଯାଇ ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମରେ ଆୟୋଜିତ ହେବାକୁ ଥିବା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ କାର୍ଯ୍ୟକ୍ରମରେ ଯୋଗଦେବେ । ମାର୍ଚ୍ଚ ୨ ତାରିଖରେ ସମ୍ବଲପୁର ଗସ୍ତରେ ଯାଇ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ ରାଷ୍ଟ୍ରପତି।

Comments are closed.