ବିସିସିଆଇ କେନ୍ଦ୍ରୀୟ ଚୁକ୍ତିରୁ ବାଦ୍ ପଡ଼ିଲେ କିଶନ, ଆୟର

ନୂଆଦିଲ୍ଲୀ: ରଣଜୀ ଟ୍ରଫି ଖେଳିବାକୁ ବିସିସିଆଇ ନିର୍ଦ୍ଦେଶ ନ ମାନିବା ଇଶାନ କିଶନ ଓ ଶ୍ରେୟାସ ଆୟରଙ୍କୁ ମହଙ୍ଗା ପଡ଼ିଛି । ବିସିସିଆଇ ବୁଧବାର ଘୋଷଣା କରିଥିବା ନୂଆ କେନ୍ଦ୍ରୀୟ ଚୁକ୍ତିରୁ ଉଭୟ ଖେଳାଳିଙ୍କୁ ବାଦ୍ ଦିଆଯାଇଛି ।

ବିସିସିଆଇ ଘୋଷଣା କରିଥିବା କେନ୍ଦ୍ରୀୟ ଚୁକ୍ତିର ଶୀର୍ଷ ବର୍ଗ (ଏ +) ରେ ଭାରତୀୟ ଅଧିନାୟକ ରୋହିତ ଶର୍ମା, ବିରାଟ କୋହଲି, ଜସପ୍ରୀତ ବୁମରା ଓ ରବିନ୍ଦ୍ର ଜାଡେଜାଙ୍କୁ ସ୍ଥାନ ଦିଆଯାଇଛି।

‘ଏ’ ବର୍ଗରେ ମୋଟ ୬ ଜଣ କ୍ରିକେଟର ସ୍ଥାନ ପାଇଛନ୍ତି। ଏହି ବର୍ଗରେ ରବିଚନ୍ଦ୍ରନ୍ ଅଶ୍ୱିନ୍, ମହମ୍ମଦ ସାମି, ମହମ୍ମଦ ସିରାଜ, କେଏଲ୍ ରାହୁଲ, ଶୁଭମାନ ଗିଲ୍ ଓ ହାର୍ଦ୍ଦିକ ପାଣ୍ଡ୍ୟା ରହିଛନ୍ତି ।

‘ବି’ ବର୍ଗରେ ସୂର୍ଯ୍ୟକୁମାର ଯାଦବ, ରିଷଭ ପନ୍ତ, କୁଲଦୀପ ଯାଦବ, ଅକ୍ଷର ପଟେଲ ଓ ଯଶସ୍ୱୀ ଜୈସୱାଲଙ୍କୁ ସାମିଲ କରାଯାଇଛି।

ବିସିସିଆଇ କେନ୍ଦ୍ରୀୟ ଚୁକ୍ତିର ‘ସି’ ବର୍ଗରେ ୧୫ ଜଣ ଖେଳାଳିଙ୍କୁ ସ୍ଥାନ ମିଳିଛି । ଏମାନେ ହେଲେ ରିଙ୍କୁ ସିଂହ, ତିଳକ ବର୍ମା, ଋତୁରାଜ ଗାଏକୱାଡ, ଶାର୍ଦ୍ଦୁଲ ଠାକୁର, ଶିବମ ଦୁବେ, ରବି ବିଷ୍ଣୋଇ, ଜିତେଶ ଶର୍ମା, ୱାଶିଂଟନ୍ ସୁନ୍ଦର, ମୁକେଶ କୁମାର, ସଞ୍ଜୁ ସାମସନ, ଅର୍ଶଦୀପ ସିଂ, କେ.ଏସ୍ ଭରତ, ପ୍ରସିଦ୍ଧ କ୍ରିଷ୍ଣା, ଖାନ ଓ ରଜତ ପାଟିଦାର।

ବାର୍ଷିକ ଚୁକ୍ତି ପାଇଁ ଶ୍ରେୟସ୍ ଆୟର୍ ଓ ଇଶାନ୍ କିଶନଙ୍କ ନାମ ବିଚାର କରାଯାଇନଥିଲା ବୋଲି ବିସିସିଆଇ ଏକ ବିବୃତ୍ତିରେ କହିଛି ।

ଚୟନ କମିଟି ଦ୍ରୁତ ବୋଲର ଆକାଶ ଦୀପ, ବିଜୟକୁମାର ବିଶାକ୍, ଉମ୍ରାନ ମଲିକ, ୟଶ ଦୟାଲ ଏବଂ ବିଦଓ୍ବଥ କାୱେରପ୍ପାଙ୍କ ପାଇଁ ମଧ୍ୟ ଚୁକ୍ତି ସୁପାରିସ କରିଛି ।

ଜାତୀୟ ଦଳର ପ୍ରତିନିଧିତ୍ୱ କରୁନଥିବା ବେଳେ ସମସ୍ତ ଖେଳାଳି ଘରୋଇ କ୍ରିକେଟ୍ ଖେଳିବାକୁ ବିସିସିଆଇ ସୁପାରିସ କରିଛି। ଏହାଛଡ଼ା ବିସିସିଆଇ ଏଥର କେନ୍ଦ୍ରୀୟ ଚୁକ୍ତି ପାଇଁ ୪ଟି ବର୍ଗରେ ସାମିଲ ଖେଳାଳିଙ୍କ ଦରମା ସମ୍ପର୍କରେ କିଛି ଉଲ୍ଲେଖ କରିନାହିଁ।

ସାଧାରଣତଃ ଏ + ବର୍ଗରେ ସାମିଲ ଖେଳାଳିଙ୍କୁ ବାର୍ଷିକ ୭ କୋଟି ଟଙ୍କା ମିଳୁଥିବା ବେଳେ ‘ଏ’ ବର୍ଗ ଖେଳାଳିଙ୍କୁ ୫ କୋଟି, ବି’ ବର୍ଗର ଖେଳାଳିଙ୍କୁ ୩ କୋଟି ଏବଂ ସି’ ବର୍ଗର ଖେଳାଳିଙ୍କୁ ୧ କୋଟି ଟଙ୍କା ଦିଆଯାଏ | ଖେଳାଳିଙ୍କ ମ୍ୟାଚ୍ ଫି’ ବ୍ୟତୀତ ଏହି ରାଶି ସେମାନଙ୍କୁ ଅଲଗା ପ୍ରଦାନ କରାଯାଏ ।

Comments are closed.