ସହରାଞ୍ଚଳ ରୂପାନ୍ତରଣ : ଜାଗା ମିଶନ, ଡ୍ରିଙ୍କ ଫ୍ରମ୍ ଟ୍ୟାପ୍ ଓ ମୁକ୍ତା ଯୋଜନାରେ ବିଭିନ୍ନ ପ୍ରକଳ୍ପ ଉତ୍ସର୍ଗ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର – ୫-ଟି ଆଧାରରେ ସହରାଞ୍ଚଳ ରୂପାନ୍ତରଣ ଅଧୀନରେ ଆଜି ରାଜ୍ୟର ବିଭିନ୍ନ ସହରବାସୀଙ୍କ ପାଇଁ କରାଯାଇଥିବା ସୁବିଧା ଓ ସେବା ଉତ୍ସର୍ଗ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଜାଗା ମିଶନ ଯୋଜନାରେ ଆଜି ୪ଟି ମହାନଗର ନିଗମ ବ୍ରହ୍ମପୁର, କଟକ, ସମ୍ବଲପୁର ଓ ରାଉରକେଲାରେ ଭୂମି ଅଧିକାର ପ୍ରମାଣପତ୍ର ବଣ୍ଟନର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ। ୨୧ ହଜାର ୪୨୭ ପରିବାରକୁ ଭୂମି ଅଧିକାର ପ୍ରମାଣପତ୍ର ପ୍ରଦାନ କରାଯିବ । ଏହାଛଡା ରାଜ୍ୟର ୬୯ଟି ସହରର ବସ୍ତିବାସିନ୍ଦାଙ୍କୁ ୬୨୬ଟି ବିଜୁ ଆଦର୍ଶ କଲୋନୀ ଉତ୍ସର୍ଗ କରାଯିବ । ଏହାଦ୍ବାରା ୨ ଲକ୍ଷ ପରିବାର ଉପକୃତ ହେବେ । ଏଥିସହ ୨୬ଟି ବସ୍ତି ମୁକ୍ତ ସହର ଘୋଷଣା କରିବେ ମୁଖ୍ୟମନ୍ତ୍ରୀ।
ବ୍ରହ୍ମପୁରକୁ ସମ୍ପୂର୍ଣ୍ଣ ୨୪ ଘଣ୍ଟିଆ ଡ୍ରିଙ୍କ ଫ୍ରମ୍ ଟ୍ୟାପ୍ ସହର ଭାବେ ଘୋଷଣା କରାଯିବ । ଏ‌ହି ଯୋଜନାରେ ସାଢେ ଚାରି ଲକ୍ଷ ଲୋକ ଉପକୃତ ହେବେ । ଏହାଛଡା ଝାରସୁଗୁଡ଼ା, ବ୍ରଜରାଜନଗର ଓ ବେଲପାହାଡ଼ ସହିତ ଅନ୍ୟ ୩୦ଟି ସହର ନିମନ୍ତେ ୬୦ଟି ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ଉତ୍ସର୍ଗ କରିବେ ମୁଖ୍ୟମନ୍ତ୍ରୀ। ଏସବୁ ପ୍ରକଳ୍ପ ଦ୍ବାରା ୫ ଲକ୍ଷରୁ ଅଧିକ ଲୋକ ଉପକୃତ ହେବେ।

୧୧୬୪ କୋଟି ଟଙ୍କା ବିନିଯୋଗରେ ୨୪ଟି ସହର ନିମନ୍ତେ ୨୭ଟି ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ। ଏହାଛଡା ମୁକ୍ତା ଯୋଜନାରେ ରାଜ୍ୟର ସମସ୍ତ ୧୧୫ଟି ସହରରେ ୬ ହଜାର ୯୬୧ଟି ରୂପାନ୍ତରିତ ପ୍ରକଳ୍ପର ସେବା ଉତ୍ସର୍ଗ କରାଯିବ । କଟକ ସହର ପାଇଁ ନବନିର୍ମିତ ବକ୍ସ ଡ୍ରେନ ଲୋକାର୍ପଣ ହେବ ।

Comments are closed.