ଗୋକର୍ଣ୍ଣେଶ୍ୱର ଦେଉଳ

ଗଜପତି ଜିଲ୍ଲାର ରାୟଗଡ଼ ବ୍ଳକରେ ଗୋକର୍ଣ୍ଣେଶ୍ୱର ଦେଉଳ ଅବସ୍ଥିତ । ପୂର୍ବଘାଟ ପର୍ବତମାଳାର ପ୍ରାୟ ମଧ୍ୟଭାଗରେ ଅବସ୍ଥିତ ମହେନ୍ଦ୍ରଗିରି ବା ମହେନ୍ଦ୍ରାଚଳ, ଏହାର ଶିଖର ଦେଶରୁ ଦେଖାଯାଏ ସୁବିସ୍ତୀର୍ଣ୍ଣ ନୀଳ ସାଗର । ମହେନ୍ଦ୍ରଗିରି ଶିଖରରେ ଥିବା ଗୋକର୍ଣ୍ଣେଶ୍ୱରଙ୍କ ଦେଉଳରେ ପହଞ୍ଚିବାକୁ ହେଲେ ପାଦଦେଶରେ ଥିବା ବୁରୁଖତ ପାସଠାରୁ ୧୦କିଲୋମିଟର ରାସ୍ତା ଚଢ଼ିକରି ଯିବାକୁ ହୋଇଥାଏ । ଅଗମ୍ୟ ପାହାଡ଼ ଓ ଉଠାଣିଆ ରାସ୍ତାକୁ ଅତିକ୍ରମ ଭକ୍ତମାନେ ଗୋକର୍ଣ୍ଣେଶ୍ୱରଙ୍କ ଦେଉଳରେ ପହଞ୍ଚିଥାନ୍ତି ।

କିମ୍ବଦନ୍ତୀ

ମହେନ୍ଦ୍ରଗିରିର ଶିଖର ଦେଶ ଏକଦା ପବିତ୍ର ଧର୍ମକ୍ଷେତ୍ର ଭାବେ ପ୍ରସିଦ୍ଧି ଲାଭ କରିଥିଲା । ଏହିଠାରୁ ବୀର ହନୁମାନ ଲଙ୍କାକୁ ଲମ୍ଫ ପ୍ରଦାନ କରିଥିବା ବାଲ୍ମୀକୀ ରାମାୟଣରେ ବର୍ଣ୍ଣିତ ଅଛି । ତା’ପୂର୍ବରୁ ହନୁମାନ ମହେନ୍ଦ୍ର ପର୍ବତ ଶିଳାରାଶିକୁ ଆଲିଙ୍ଗନ କରି ଶକ୍ତି ସଞ୍ଚୟ କରିଥିଲେ । ମହାଭାରତରେ ମଧ୍ୟ ପାଣ୍ଡବ ପଞ୍ଚଭ୍ରାତା ବନବାସ ବେଳେ ରାତ୍ରି କାଳରେ ମହେନ୍ଦ୍ର ପର୍ବତ ପାଦ ଦେଶରେ ଆଶ୍ରୟ ନେଇଥିଲେ । ସେଠାରେ ଥିବା ବେଦିକାରେ ଆରୋହଣ ଫଳରେ ସେମାନଙ୍କର ବଳ ଓ ଶୌର୍ଯ୍ୟ ବର୍ଦ୍ଧିତ ହେଲା । ପରେ ସେଠାରେ ‘ଗୁହ’ ନାମକ ଆଦିବାସୀ ଶବର ସମ୍ପ୍ରଦାୟ ବସବାସ କରୁଥିଲେ । ମାତ୍ର ୫ମ ବା ୬ଷ୍ଠ ଶତାବ୍ଦୀ ବେଳକୁ କଳିଙ୍ଗର ପ୍ରାଚୀନ ଗଙ୍ଗବଂଶୀୟ ରାଜାମାନେ ମହେନ୍ଦ୍ର ପର୍ବତ ଶିଖର ଦେଶରେ କେତେକ ମନ୍ଦିର ନିର୍ମାଣ କରି ଗୋକର୍ଣ୍ଣେଶ୍ୱର ଶିବଲିଙ୍ଗ ପ୍ରତିଷ୍ଠା କରିଥିଲେ ଏବଂ ତାହାକୁ ଏକ ଶୈବକ୍ଷେତ୍ରରେ ପରିଣତ କରିଦେଲେ । ଗୋକର୍ଣ୍ଣେଶ୍ୱର ଶିବଲିଙ୍ଗ ଯେଉଁ କ୍ଷୁଦ୍ର ମନ୍ଦିରଟିରେ ଉଚ୍ଚତମ ଶିଖରରେ ପ୍ରତିଷ୍ଠିତ, ତାହା ଏବେ ଭୀମ ଦେଉଳ ନାମରେ ପରିଚିତ । ଦେଉଳର ଆଡ଼ମ୍ବରଶୂନ୍ୟ ଗଠନକ୍ରିୟାରୁ ଏହା ମରାଠାମାନଙ୍କ ଶାସନ ସମୟରେ ନିର୍ମିତ ହୋଇଥିବା ଅନୁମାନ କରାଯାଏ । ତାହା ସମ୍ଭବତଃ ବିଷ୍ଣୁ ମନ୍ଦିର ଥିଲା । ପରବର୍ତ୍ତୀ କାଳରେ ଗଙ୍ଗବଂଶୀୟ ରାଜାଙ୍କଦ୍ୱାରା ଶିବ ମନ୍ଦିରରେ ପରିଣତ ହେଲା । ତେବେ ସେ ଯାହାହେଉନା କାହିଁକି ଭୀମ ଦେଉଳର ତଳ ଆଡକୁ ରହିଛି ଯୁଧିଷ୍ଠିର, ଅର୍ଜୁନ ଓ କୁନ୍ତୀ ଦେଉଳ । ଏହା ସହ ପାହାଡ଼ ତଳେ ଥିବା ତୁମ୍ବା ଗ୍ରାମରେ ପର୍ଶୁରାମ ମନ୍ଦିର ଅଛି । ମତ୍ସପୁରାଣ ଅନୁଯାୟୀ ଗୋକର୍ଣ୍ଣେଶ୍ୱର କ୍ଷେତ୍ରରେ ଶ୍ରାଦ୍ଧ କଲେ ପିତୃଲୋକଙ୍କୁ ସ୍ୱର୍ଗପ୍ରାପ୍ତ ହୁଏ ।

ପର୍ବ ପର୍ବାଣି

ଓଡ଼ିଶାର ହିମାଳୟ ଭାବେ ପରିଚିତ ମହେନ୍ଦ୍ରଗିରିସ୍ଥ ଗୋକର୍ଣ୍ଣେଶ୍ୱର ଦେଉଳରେ ସାରାଭାରତରେ ମହାଶିବରାତ୍ରି ପାଳନର ପୂର୍ବରାତ୍ରରେ ମହାଶିବରାତ୍ରି ପାଳନ ହୋଇଥାଏ !

Comments are closed.