ଓଡ଼ିଶାର ବିକାଶ ପାଇଁ ସାଢେ ୪ କୋଟି ଓଡିଆଙ୍କ ଉଦ୍ୟମରେ ପ୍ରଧାନମନ୍ତ୍ରୀଙ୍କ ସହଯୋଗ ଲୋଡିଲେ ମୁଖ୍ୟମନ୍ତ୍ରୀ

ଚଣ୍ଡିଖୋଲ – ଓଡ଼ିଶାର ବିକାଶ ପାଇଁ ରାଜ୍ୟର ସାଢେ ୪ କୋଟି ଲୋକଙ୍କ ଉଦ୍ୟମରେ ପ୍ରଧାନମନ୍ତ୍ରୀଙ୍କ ସହଯୋଗ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଚଣ୍ଡିଖୋଲରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ବିକାଶ ଆଜି ଓଡ଼ିଶାର ନୂଆ ପରିଚୟ ହୋଇଛି । ଆଗକୁ ଆହୁରି ଅନେକ କାମ ବାକି ରହିଛି । ପ୍ରଧାନମନ୍ତ୍ରୀ ଓଡ଼ିଶା ପାଇଁ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିବା ଖୁସିର କଥା ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଓଡିଶାର ବିକାଶ ପ୍ରତି ଧ୍ୟାନ ଦେଇଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଥିଲେ । ମୁଖ୍ୟମନ୍ତ୍ରୀ ତାଙ୍କ ଅଭିଭାଷଣରେ ଓଡ଼ିଶା ଓ ଦେଶ ପ୍ରତି ବିଜୁ ପଟ୍ଟନାୟକଙ୍କ ଅବଦାନ କଥା କହିଥିଲେ । ବିଜୁ ପଟ୍ଟନାୟକ ଓଡ଼ିଶାର ଉନ୍ନତି ଏବଂ ଓଡ଼ିଆ ଜାତିର ଉନ୍ନତି ପାଇଁ ଜୀବନ ସାରା କାମ କରି ଯାଇଛନ୍ତି। ୧୯୯୦ରେ କଳିଙ୍ଗ ନଗରକୁ ଇଣ୍ଡଷ୍ଟ୍ରିଆଲ୍ ହବ୍ କରିବା ପାଇଁ ବିଜୁ ବାବୁ ଚିନ୍ତା କରିଥିଲେ । ଆଜି କଳିଙ୍ଗ ନଗର ଦେଶର ଷ୍ଟିଲ ହବ୍ ହୋଇପାରିଛି। କେବଳ ଓଡ଼ିଶା ନୁହେଁ, ସାରା ଦେଶ ଏଥିରୁ ଲାଭ ପାଉଛି। ଏହା ସହ ମୁଖ୍ୟମନ୍ତ୍ରୀ କହିଛନ୍ତି ଆଜି ଓଡିଶା ପୂର୍ବ ଭାରତର ଏକ ପ୍ରମୁଖ ଉତ୍ପାଦନ କେନ୍ଦ୍ର ହେବାକୁ ଯାଉଛି ।

Comments are closed.