ଯଶସ୍ବୀଙ୍କ ପୁଣି ରେକର୍ଡ ବର୍ଷା, ଗାଭାସ୍କରଙ୍କ ପରେ ଦ୍ବିତୀୟ ଭାରତୀୟ ଭାବେ ଛୁଇଁଲେ ଏହି ମାଇଲଖୁଣ୍ଟ

ଧର୍ମଶାଳା: ଚଳିତ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ଜବରଦସ୍ତ ପ୍ରଦର୍ଶନ ଜାରି ରଖିଛନ୍ତି ଯୁବ ଓପନର୍ ଯଶସ୍ବୀ ଜୈସୱାଲ। ଏହି ସିରିଜରେ‌ ଦୁଇଟି ଦ୍ୱିଶତକ ହାସଲ କରିଥିବା ଜୈସଓ୍ବାଲ ଗୁରୁବାର ଠାରୁ ଆରମ୍ଭ ହୋଇଥିବା ପଞ୍ଚମ ଟେଷ୍ଟର ପ୍ରଥମ ଇନିଂସରେ ମଧ୍ୟ ଏକ ବିସ୍ଫୋରକ ଅର୍ଦ୍ଧଶତକୀୟ ପାଳି ଖେଳିଛନ୍ତି । ସେ ମାତ୍ର ୫୮ଟି ବଲରେ ୩ଟି ଛକା ଓ ୫ ଚୌକା ସହାୟତାରେ ଆକ୍ରମଣାତ୍ମକ ୫୭ ରନ୍ କରିଥିଲେ। ସେ ଅଧିନାୟକ ରୋହିତ ଶର୍ମାଙ୍କ ସହ ପ୍ରଥମ ୱିକେଟ୍ ପାଇଁ ୧୦୪ ରନ୍ ଭାଗି଼ଦାରୀ ସହ ଦଳକୁ ମଜବୁତ ଷ୍ଟାର୍ଟ ଦେଇଥିଲେ।

ବିସ୍ଫୋରକ ଅର୍ଦ୍ଧଶତକୀୟ ଇନିଂସ ସହ ୨୨ ବର୍ଷୀୟ ଯଶସ୍ବୀ ଏକାଧିକ ରେକର୍ଡ ଓ ମାଇଲଖୁଣ୍ଟର ଅଧିକାରୀ ହୋଇଛନ୍ତି। ସେ ଟେଷ୍ଟ କ୍ରିକେଟରେ ୧୦୦୦ ରନ୍ ପୂରଣ କରିଛନ୍ତିି । ଏହି ମାଇଲଖୁଣ୍ଟ ଛୁଇଁବାରେ ବିନୋଦ କାମ୍ବଲିଙ୍କ ପରେ ଯଶସ୍ବୀ ହେଉଛନ୍ତି ଦ୍ବିତୀୟ ଦ୍ରୁତତମ ବ୍ୟାଟର । କାମ୍ବଲି ୧୪ ଇନିଂସ୍ ଖେଳି ୧୦୦୦ ରନ୍ ପୂରଣ କରିଥିବା ବେଳେ ଯଶସ୍ବୀ ୧୬ତମ ଇନିସରେ ଏହି କ୍ଲବରେ ସାମିଲ ହୋଇଛନ୍ତି। ଏହାଛଡ଼ା ସୁନୀଲ ଗାଭାସ୍କରଙ୍କ ପରେ ଦ୍ବିତୀୟ ଭାରତୀୟ ଭାବେ ଯଶସ୍ବୀ ଏକ ଟେଷ୍ଟ ସିରିଜରେ ୭୦୦ କିମ୍ବା ଅଧିକ ରନ୍ କରିବାର ଗୌରବ ଅର୍ଜନ କରିଛନ୍ତିି ।

ଇଂଲଣ୍ଡ ବିପକ୍ଷ ଚଳିତ ୫ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜରେ ଯଶସ୍ବୀ ଏଯାବତ୍ ୯ଟି ଇନିଂସରେ ୭୧୨ ରନ୍ ସଂଗ୍ରହ କରିଛନ୍ତି। ଏଥିସହ ଏହି ପ୍ରତିଭାବାନ ବ୍ୟାଟର ଗୋଟିଏ ଟେଷ୍ଟ ସିରିଜରେ ୭୦୦ରୁ ଅଧିକ ରନ୍ କରିବାରେ ଭାରତର ଦ୍ୱିତୀୟ ବ୍ୟାଟ୍ସମ୍ୟାନ୍ ହୋଇଛନ୍ତି। ସୁନୀଲ ଗାଭାସ୍କର ଏକମାତ୍ର ଭାରତୀୟ ବ୍ୟାଟ୍ସମ୍ୟାନ ଭାବେ ଟେଷ୍ଟରେ ଦୁଇଥର ୭୦୦ରୁ ଊର୍ଦ୍ଧ୍ବ ରନ୍ କରିଛନ୍ତିି ।

ଗାଭାସ୍କର ୧୯୭୦-୭୧ରେ ଓ୍ବେଷ୍ଟଇଣ୍ଡିଜ୍ ବିପକ୍ଷ ସିରିଜରେ ୭୭୪ ରନ୍ କରିଥିଲେ, ଯାହା କୌଣସି ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ଦ୍ବାରା ଏକ ଟେଷ୍ଟ ସିରିଜରେ ସର୍ବାଧିକ ରନ୍। ପୁଣି ‘ଲିଟିଲ୍ ମାଷ୍ଟର’ ୧୯୭୮-୭୯ ମସିହାରେ ୱେଷ୍ଟଇଣ୍ଡିଜ୍ ଗସ୍ତରେ ୭୩୨ ରନ୍ କରିଥିଲେ ।

ଇଂଲଣ୍ଡ ବିପକ୍ଷ ଏହି ଟେଷ୍ଟ ସିରିଜରେ ୭୧୨ ରନ୍ କରିବା ସହ ଯଶସ୍ୱୀ ସୁପରଷ୍ଟାର ବିରାଟ କୋହଲିଙ୍କ ଏକ ବଡ଼ ରେକର୍ଡ ବି ଭାଙ୍ଗିଛନ୍ତି । ଇଂଲଣ୍ଡ ବିପକ୍ଷ ଏକ ଟେଷ୍ଟ ସିରିଜରେ ସର୍ବାଧିକ ରନ୍ ସଂଗ୍ରହ କରିଥିବା ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ତାଲିକାରେ କୋହଲିଙ୍କୁ ପଛରେ ପକାଇ ଦେଇଛନ୍ତି ଯଶସ୍ବୀ। କୋହଲି ୨୦୧୬ରେ ଇଂଲଣ୍ଡ ବିପକ୍ଷ ଘରୋଇ ଟେଷ୍ଟ ସିରିଜରେ ୬୫୫ ରନ୍ କରିଥିଲେ । ତେବେ ଧର୍ମଶାଳା ଟେଷ୍ଟର ପ୍ରଥମ ଇନିଂସରେ ବିସ୍ଫୋରକ ଅର୍ଦ୍ଧଶତକ ସହ କୋହଲିଙ୍କ ଏହି ରେକର୍ଡ ଭାଙ୍ଗିଛନ୍ତି ଯଶସ୍ବୀ ।

ଭାରତ ପାଇଁ ଏକ ଟେଷ୍ଟ ସିରିଜରେ ସର୍ବାଧିକ ରନ୍ କରିବା ରେକର୍ଡ ସୁନୀଲ ଗାଭାସ୍କରଙ୍କ ନାଁରେ ଅଛି । ଗାଭାସ୍କର ୧୯୭୦-୭୧ରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ୭୭୪ ରନ୍ କରିଥିଲେ । ଯଦି ଧର୍ମଶାଳା ଟେଷ୍ଟ ମ୍ୟାଚର ଦ୍ୱିତୀୟ ଇନିଂସରେ ଯଶସ୍ବୀ ୬୩ ରନ୍ କରନ୍ତି, ତେବେ ସେ ଗାଭାସ୍କରଙ୍କୁ ପଛରେ ପକାଇବେ।

ଏକ ଟେଷ୍ଟ ସିରିଜରେ ଭାରତ ପାଇଁ ସର୍ବାଧିକ ରନ୍:

୭୭୪ ରନ୍ – ସୁନୀଲ ଗାଭାସ୍କର ବନାମ ୱେଷ୍ଟଇଣ୍ଡିଜ୍ |
୭୩୨ ରନ୍ – ସୁନୀଲ ଗାଭାସ୍କର ବନାମ ୱେଷ୍ଟଇଣ୍ଡିଜ୍ |
୭୧୨ ରନ୍ – ଯଶସ୍ବୀ ଜୈସୱାଲ ବନାମ ଇଂଲଣ୍ଡ |
୬୯୨ ରନ୍ – ବିରାଟ କୋହଲି ବନାମ ଅଷ୍ଟ୍ରେଲିଆ ।
୬୫୫ ରନ୍ – ବିରାଟ କୋହଲି ବନାମ ଇଂଲଣ୍ଡ |

Comments are closed.