ପୁଣ୍ୟ ପବିତ୍ର ମହେନ୍ଦ୍ରଗିରିକୁ ଛୁଟିଛି ଶିବ ଭକ୍ତଙ୍କ ସୁଅ

ପାରଳାଖେମୁଣ୍ଡି: ସତ୍ୟଯୁଗରେ ଭଗବାନ ମହାଦେବ ଗୋହତ୍ୟା ପାପରୁ ମୁକ୍ତି ପାଇଁ ଏଠାରେ ତପସ୍ୟା କରିଥିଲେ। ଏହି ପର୍ବତ ଶିଖରରେ ପ୍ରତିଷ୍ଠା କରିଥିଲେ ଗୋକର୍ଣ୍ଣେଶ୍ୱର ମନ୍ଦିର। ଦ୍ଵାପର ଯୁଗରେ ପଞ୍ଚୁପାଣ୍ଡବ ଏଠାରେ ବନବାସ କରି ଶ୍ରୀନୀଳମାଧବଙ୍କ ପୂଜାର୍ଚ୍ଚନା କରିଥିଲେ। ତ୍ରେତେୟା ଯୁଗରେ ଭଗବାନ ପର୍ଶୁରାମଙ୍କ ଏହା ଥିଲା ତପୋବନ। ବାନର ଶ୍ରେଷ୍ଠ ବୀର ହନୁମାନ ଲଙ୍କାକୁ ଯିବା ପାଇଁ ଏହି ପାହାଡ଼ରୁ ହିଁ ଆକାଶ ମାର୍ଗରେ ଲମ୍ପ ପ୍ରଦାନ କରିଥିଲେ ବୋଲି ଶ୍ରଦ୍ଧାଳୁମାନେ ବିଶ୍ଵାସ କରନ୍ତି। ସେହି ପୁଣ୍ୟ ପବିତ୍ର ସ୍ଥାନ ହେଉଛି ଓଡ଼ିଶା- ଆନ୍ଧ୍ରପ୍ରଦେଶ ସୀମାରେ ଗଜପତି ଜିଲ୍ଲାର ରାୟଗଡ଼ ବ୍ଲକରେ ଅବସ୍ଥିତ ମହେନ୍ଦ୍ରଗିରି ପର୍ବତ। ମହାଶିବରାତ୍ରୀ ପାଇଁ ଏହି ସ୍ଥାନକୁ ଦିନକ ପୂର୍ବରୁ ବିଭିନ୍ନ ଅଞ୍ଚଳରୁ ଭକ୍ତମାନଙ୍କ ସୁଅ ଛୁଟିଛି। ଶ୍ରଦ୍ଧାଳୁଙ୍କ କୋଳାହଳରେ ପର୍ବତ ଶିଖର ଏବେ ଚଳଚଞ୍ଚଳ ଓ ଭକ୍ତିଭରା ପରିବେଶ ଛାଇ ଯାଇଛି।

ସମୁଦ୍ର ପତ୍ତନ ଠାରୁ ୧୫୦୦ ମିଟର ଉଚ୍ଚରେ ପ୍ରାକୃତିକ ସବୁଜିମା ଭରା ମହେନ୍ଦ୍ର ପର୍ବତମାଳାରେ ରହିଛି ଦକ୍ଷିଣ ଓଡ଼ିଶାର ଅନ୍ୟତମ ପ୍ରସିଦ୍ଧ ଶୈବ ପୀଠ ମହେନ୍ଦ୍ରଗିରି। ପ୍ରତିବର୍ଷ ମହାଶିବରାତ୍ରୀରେ ହଜାର ହଜାର ଶ୍ରଦ୍ଧାଳୁ ଏଠାରେ ଜମା ହୋଇଥାନ୍ତି। ଦିନକ ପୂର୍ବରୁ ବହୁ ଭକ୍ତ ଏହି ପାହାଡ଼କୁ ଆସି ଏଠାରେ ମହାଦେବଙ୍କ ଦର୍ଶନ ଓ ପୂଜାର୍ଚ୍ଚନା କରି ଭୋରରୁ ସୂ‌ର୍ଯ୍ୟୋଦୟର ବିରଳ ଓ ମନୋହର ଦୃଶ୍ୟ ଉପଭୋଗ କରିଥାନ୍ତି। ଏଠାରେ ପଞ୍ଚୁପାଣ୍ଡବ ଓ ମାତା କୁନ୍ତିଙ୍କ ନାମରେ ନାମିତ ୬ଟି ମନ୍ଦିରରେ ରହିଛି ଅନେକ ଶିବଲିଙ୍ଗ ଯଥା ମହେନ୍ଦ୍ରଶ୍ୱର, ଭୀମେଶ୍ୱର, ଚନ୍ଦ୍ରେଶ୍ୱର, ଧର୍ମରାଜଶ୍ୱର, ଅର୍ଜୁନେଶ୍ୱର, ନକୁଳେଶ୍ୱର, ସହଦେବଶ୍ୱର, କୁବେରଶ୍ୱର, ବ୍ରହ୍ମେଶ୍ବର ଆଦି। ଏହି ସ୍ଥାନରୁ ପ୍ରବାହିତ ହେଉଛି ମହେନ୍ଦ୍ରତନୟା ନଦୀ। ଏଠାରେ ଥିବା ଭୀମ ମନ୍ଦିର ୧୯ ଗୋଟି ପଥରରେ ନିର୍ମିତ। କଥିତ ଅଛି ଯେ ବୀର ଭୀମ ଏକ ଗୋଇଠା ମାରିବାରୁ ପଥରରେ ଫାଟ ସୃଷ୍ଟି ହୋଇଥିଲା। ଭକ୍ତମାନେ ପୂର୍ବ ଦିଗରୁ ସେହି ପଥର ଫାଟରେ ପ୍ରବେଶ କରି ଦର୍ଶନ ସାରି ପଶ୍ଚିମ ଦିଗରେ ବାହାରିଥାନ୍ତି।

ଗୁରୁବାରରୁ ଜିଲ୍ଲା ତଥା ଜିଲ୍ଲା ବାହାରୁ ଶ୍ରଦ୍ଧାଳୁମାନେ ମହେନ୍ଦ୍ରଗିରି ପର୍ବତ ଶିଖରଖ ଯିବାକୁ ଯାତ୍ରା ଆରମ୍ଭ କରିଦେଇଛନ୍ତି । ପୁରାଣ ପ୍ରସିଦ୍ଧ ଏହି ଶୈବ ପୀଠରେ ମହାଶିବରାତ୍ରୀ ନିମନ୍ତେ ପ୍ରଶାସନ ବ୍ୟାପକ ପଦକ୍ଷେପ ଗ୍ରହଣ କରିଛି। ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନ, ଏସପି ସ୍ବାତୀ ଏସ୍. କୁମାରଙ୍କ‌ ତତ୍ତ୍ବାବଧାନରେ ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ୩ଦିନ ପାଇଁ ସମସ୍ତ ସୁବନ୍ଦୋବସ୍ତ କରାଯାଇଛି। ଲୋକଙ୍କୁ ସୂଚନା ଦେବା ନିମନ୍ତେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗର‌ ଅସ୍ଥାୟୀ ସୂଚନା କେନ୍ଦ୍ର ଖୋଲା ଯାଇଛି । ଶିଖରକୁ ଯାତ୍ରା ସକାଶେ ଜଣ ପିଛା ୨୦ ଟଙ୍କା ଲେଖାଏଁ ଟିକଟ ମୂଲ୍ୟ ରହିଛି ଧାର୍ଯ୍ୟ ହୋଇଛି । ପାନୀୟ ଜଳ ବ୍ୟବସ୍ଥାରୁ ଆରମ୍ଭ କରି ଆଲୋକୀକରଣ, ଆନୁସଙ୍ଗିକ ବ୍ୟବସ୍ଥା ମଧ୍ୟ ହୋଇଥିବାର ସୂଚନା ମିଳିଛି।

Comments are closed.