ଅରବିନ୍ଦ କେଜ୍ରିୱାଲଙ୍କ ଆବେଦନ ଉପରେ ଇଡିଠୁ ଜବାବ ଲୋଡ଼ିଲେ ହାଇକୋର୍ଟ

ନୂଆଦିଲ୍ଲୀ: ଅବକାରୀ ଦୁର୍ନୀତି ମାମଲାରେ ଇଡି ସମନ ବିରୋଧରେ ଅରବିନ୍ଦ କେଜ୍ରିୱାଲ ଦିଲ୍ଲୀ ହାଇକୋର୍ଟର ଦ୍ବାରସ୍ଥ ହୋଇଛନ୍ତି । ସେ ଗିରଫରୁ ସୁରକ୍ଷା ପାଇଁ ଆବେଦନ କରିଛନ୍ତି। କେଜ୍ରିୱାଲଙ୍କ ଆବେଦନ ଉପରେ ଜବାବ ଦାଖଲ କରିବାକୁ ଇଡିକୁ କହିଛନ୍ତି ହାଇକୋର୍ଟ ।

ତେବେ ଇଡିରେ ସେ କାହିଁକି ହାଜର ହେବାକୁ ଚାହୁଁନାହାଁନ୍ତି ବୋଲି କେଜ୍ରିୱାଲଙ୍କୁ ପ୍ରଶ୍ନ କରିଛନ୍ତି ହାଇକୋର୍ଟ । କୋର୍ଟ କହିଛନ୍ତି, ଆମେ ଏପରି ମାମଲା ଦେଖିଛୁ। ସାଧାରଣତଃ ପ୍ରଥମ କିମ୍ବା ଦ୍ୱିତୀୟ ଦିନରେ କେହି ଗିରଫ ହୁଅନ୍ତି ନାହିଁ। ଯଦି ବୈଧ କାରଣ ଥାଏ ତେବେ ଗିରଫ କରାଯାଇଥାଏ । ସେହି କାରଣ ସମ୍ପର୍କରେ ମଧ୍ୟ ଅଭିଯୁକ୍ତଙ୍କୁ କୁହାଯାଏ ।

ଗିରଫରୁ ସୁରକ୍ଷା ଦେବାକୁ ଅନୁରୋଧ କରି କେଜ୍ରିୱାଲ କହିଥିଲେ ଆମେ ସାଧାରଣ ଅପରାଧୀ ନୋହୁଁ, ଆମେ କେଉଁଆଡେ ପଳାଇ ଯାଉନୁ।

ଇଡି ଏବେ ଏହି ମାମଲାରେ ଜବାବ ଦାଖଲ କରିବ । ମାମଲାର ପରବର୍ତ୍ତୀ ଶୁଣାଣି ଏପ୍ରିଲରେ ୨୨ରେ ହେବ। ଅବକାରୀ ମାମଲାରେ ଇଡି ରବିବାର କେଜ୍ରିୱାଲଙ୍କୁ ନବମ ଥର ସମନ ଜାରି କରିଥିଲା । ତାଙ୍କୁ ମାର୍ଚ୍ଚ ୨୧ରେ ହାଜର ହେବାକୁ କହିଛି ଇଡି । ପୂର୍ବରୁ ୮ ଥର ସମନ ସତ୍ତ୍ୱେ କେଜ୍ରିୱାଲ ଇଡିରେ ହାଜର ହୋଇନଥିଲେ । ଏନେଇ କେନ୍ଦ୍ରୀୟ ସଂସ୍ଥା କେଜ୍ରିୱାଲଙ୍କ ବିରୋଧରେ ଦୁଇଥର କୋର୍ଟ ଯାଇଥିଲା । ତେବେ ଦିଲ୍ଲୀରେ ଏକ କୋର୍ଟ ତାଙ୍କୁ ଏହି ମାମଲାରେ ଜାମିନ ଦେଇଥିଲେ ।

Comments are closed.