ଭଗବାନ ଶ୍ରୀ କୈଳାସ ପତି ସଦାଶିବଙ୍କ ପବିତ୍ର ଲୀଳାକ୍ଷେତ୍ର କାଶୀ

ଭଗବାନ ଶ୍ରୀ କୈଳାସ ପତି ସଦାଶିବଙ୍କ ପବିତ୍ର ଲୀଳାକ୍ଷେତ୍ର କାଶୀ।ବର୍ତ୍ତମାନର ବନାରସ ସହର। ପୌରାଣିକ ଯୁଗରୁ ଏହି ପବିତ୍ର କ୍ଷେତ୍ରର ରହିଛି ଅନେକ ମହତ୍ତ୍ୱ। ବିଶେଷ କରି ଏହି କ୍ଷେତ୍ରରେ ମନୁଷ୍ୟ ଦେହତ୍ୟାଗ କଲେ ତାର ଆଉ ପୁନର୍ଜନ୍ମ ହୁଏନାହିଁ ବୋଲି ମାନ୍ୟତା ରହିଛି। କାରଣ ଭଗବାନ ଭୁତ ଭାବନ ସ୍ୱୟଂ ମୃତ୍ୟୁ ବରଣ କରିଥିବା ବ୍ୟକ୍ତି କର୍ଣ ରେ ପବିତ୍ର ଶ୍ରୀରାମ ତାରକ ମନ୍ତ୍ର ପ୍ରଦାନ କରିଥାନ୍ତି। ଏହି ପବିତ୍ର କ୍ଷେତ୍ରରେ ଯେଉଁସବୁ ଘାଟରେ ମୃତ ବ୍ୟକ୍ତିଙ୍କ ଅନ୍ତିମ ସଂସ୍କାର ସବୁ ହୋଇଥାଏ ସେହିସବୁ ଘାଟ ମଧ୍ୟରେ ରହିଛି ଏକ ସୁପ୍ରସିଦ୍ଧ ରାଜାଙ୍କ ନାମରେ ଏକ ଘାଟ ଯାହା ପୁରାଣ ପ୍ରସିଦ୍ଧ ।

ମଣିକର୍ଣ୍ଣିକା ଘାଟର ଅଳ୍ପ ଦୂରରେ ରହିଛି କାଶୀର ଅନ୍ୟ ଏକ ପ୍ରସିଦ୍ଧ ଘାଟ ହରିଶ୍ଚନ୍ଦ୍ରଘାଟ l ଏଠାରେ ସତ୍ୟକାମୀ ହରିଶ୍ଚନ୍ଦ୍ର ସତ୍ୟରକ୍ଷା ନିମନ୍ତେ ରାଜ୍ୟ, ଧନ, ଦାରା, ପୁତ୍ର ହରାଇ ଏବଂ ଶେଷରେ ନିଜକୁ ଚଣ୍ଡାଳ ପାଖରେ ଦାସଭାବେ ବିକ୍ରୟକରି ଚଣ୍ଡାଳ ବେଶରେ ସ୍ମଶାନ ଜଗି ଥିଲେ l ତାଙ୍କ ସତ୍ୟସନ୍ଧ ଜୀବନର ଶେଷ ପରୀକ୍ଷାର ପରିସମାପ୍ତି ଏଇଠି ହୋଇଥିଲା । ଯେତେବେଳେ ମହାରାଣୀ ଶୈବ୍ୟା ପୁତ୍ର ରୋହିତର ମୃତ ଶରୀର ଦାହକରିବା ପାଇଁ ସ୍ମଶାନ ଜଗୁଆଳ ଚଣ୍ଡାଳ ହରିଶ୍ଚନ୍ଦ୍ରଙ୍କ ପାଖରେ ପହଞ୍ଚି ଥିଲେ l ଶୈବ୍ୟାଙ୍କୁ ହରିଶ୍ଚନ୍ଦ୍ର ମାହାସୁଲ ବିନା ଶବଦାହ କରାଇ ଦେବେନାହିଁ ବୋଲି କହିଥିଲେ l ଦୁଃଖିନୀ ଶୈବ୍ୟାଙ୍କ ନିକଟରେ କିଛି ବି ନଥିଲା l ପିନ୍ଧିଥିବା ଛିଣ୍ଡା ଶାଢୀ କାନିରୁ ଖଣ୍ଡେ କନା ଚିରି ସେ ହରିଶ୍ଚନ୍ଦ୍ରଙ୍କୁ ଘାଟ ମୁଲ ପଇଠ କରିଥିଲେ l ଏହି ଠାରେ ଧର୍ମ ଆବିର୍ଭୁତ ହୋଇ ସେମାନଙ୍କର ପୁନର୍ମିଳନ କରାଇ ଥିଲେ l

ସତ୍ୟ ନିଷ୍ଠତାର ଏ ଅପୂର୍ଵ କାହାଣୀ ଭାରତୀୟ ଜୀବନ ଧାରାକୁ କେଉଁ କାଳରୁ ପ୍ରଭାବିତ କରି ଆସୁଛି l ଏହି କାହାଣୀ ଦିନେ ସତ୍ୟ ପ୍ରତି ଅନୁରକ୍ତି ଆଣି ଦେଇଥିଲା ମହାତ୍ମା ଗାନ୍ଧୀ ଓ ଲାଲ ବାହାଦୁର ଶାସ୍ତ୍ରୀଙ୍କ ପାଇଁ l ଯେହେତୁ ରାଣୀ ଶୈବ୍ୟାଙ୍କୁ ମଧ୍ୟ ଘାଟ ମାହାସୁଲ ଦେବାକୁ ପଡ଼ିଥିଲା ତେଣୁ ଏହି ଘାଟରେ ପ୍ରତୀକ ସ୍ୱରୂପ କିଛି ମାହାସୁଲ ଦେବାକୁ ପଡ଼ିଥାଏ l କଳାନ୍ତକ ନଗରୀ କାଶୀର ଏ ପବିତ୍ର ଘାଟ ସବୁ ମୋକ୍ଷର ଦ୍ୱାର l ମନୁଷ୍ୟ ଜନ୍ମ ପାଇ ଏଠାରେ ଯିଏ ଶରୀର ତ୍ୟାଗକରେ ତା’ ଜୀବନ ଧନ୍ୟ l ଏଣୁ କୁହାଯାଇଛି :-
ବଡ଼େ ଭାଗ ମାନୁଷ ତନ ପାୱା l
ସୁର ଦୁର୍ଲଭ ସଦଗ୍ରନ୍ଥ ହ୍ନି ଗାୱା ll
ସାଧନ ଧାମ ମୋକ୍ଷ କର ଦ୍ୱାରା l
ପାଇ ନଯୋହି ପରଲୋକ ସବାଁରା ll

Comments are closed.