ଗ୍ରାମ୍ୟ ସାଧନ କର୍ମୀମାନଙ୍କ ଦୈନିକ ପାରିଶ୍ରମିକରେ ବୃଦ୍ଧି, ଉପକୃତ ହେବେ ୧୦ ହଜାର କର୍ମୀ

ଭୁବନେଶ୍ବର – ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟର ସମସ୍ତ ଗ୍ରାମ୍ୟ ସାଧନ କର୍ମୀମାନଙ୍କର ପାରିଶ୍ରମିକ ବୃଦ୍ଧି ଘୋଷଣା କରିଛନ୍ତି । ତଦନୁଯାୟୀ ସେମାନଙ୍କ ଦୈନିକ କାର୍ଯ୍ୟ ଦିବସର ପାରିଶ୍ରମିକ ୩୦୦ ଟଙ୍କାରୁ ୪୦୦ ଟଙ୍କାକୁ ବୃଦ୍ଧି ପାଇଛି। ଏଥିସହିତ ଯାତାୟତ ଖର୍ଚ୍ଚ ବାବଦରେ ମଧ୍ୟ ସେମାନେ ଅତିରିକ୍ତ ୧୦୦ ଟଙ୍କା ପାଇବେ । ସମୁଦାୟ ୫୦୦ ଟଙ୍କା ପାଇବେ ।ଏହାଦ୍ବାରା ରାଜ୍ୟର ୧୦ ହଜାର ଗ୍ରାମ୍ୟ ସାଧନ କର୍ମୀ ଉପକୃତ ହେବେ। ଏଥିପାଇଁ ରାଜ୍ୟ ସରକାର ୨.୮୮ କୋଟି ଟଙ୍କା ଅତିରିକ୍ତ ଖର୍ଚ୍ଚ ବହନ କରିବେ ।

୫-ଟି ତଥା ନବୀନ ଓଡିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ ଜିଲ୍ଲା ଗସ୍ତ ସମୟରେ ସାଧନ କର୍ମୀମାନଙ୍କ ପକ୍ଷରୁ ଏ ସଂପର୍କରେ ପ୍ରସ୍ତାବ ଆସିଥିଲା । ଏ ବିଷୟରେ ଅବଗତ ହେବା ପରେ ମୁଖ୍ୟମନ୍ତ୍ରୀ ପାରିଶ୍ରମିକ ବୃଦ୍ଧି ପାଇଁ ନିଷ୍ପତ୍ତି ଗ୍ରହଣ କରିଛନ୍ତି ।

ସୂଚନାଯୋଗ୍ୟ ଯେ, ରାଜ୍ୟ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଅଧୀନରେ ‘ଓଡିଶା ସାମାଜିକ ସମୀକ୍ଷା, ଉତ୍ତର ଦାୟିତ୍ବ ଓ ସ୍ବଚ୍ଛତା ସମିତି’ରେ କାମ କରୁଥିବା ଏହି ସାଧନ କର୍ମୀମାନେ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ସରକାରୀ କାର୍ଯ୍ୟକ୍ରମ ଯଥା – ମନରେଗା, ପକ୍କା ଘର, ଖାଦ୍ୟ ସୁରକ୍ଷା, ମଧ୍ୟାହ୍ନ ଭୋଜନ ଭଳି ଅନେକ କାର୍ଯ୍ୟକ୍ରମର ସାମାଜିକ ସମୀକ୍ଷା (Social Audit) କରି ସ୍ବଚ୍ଛତା ରକ୍ଷା କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାନ୍ତି । ଏଥିରେ ମିଶନ ଶକ୍ତି ମା’ମାନେ ବହୁ ସଂଖ୍ୟାରେ ନିୟୋଜିତ ଅଛନ୍ତି ।

Comments are closed.