ଓଡ଼ିଶାରେ ୩ କୋଟି ୩୪ ଲକ୍ଷରୁ ଅଧିକ ଭୋଟର ସାବ୍ୟସ୍ତ କରିବେ ମତାଧିକାର

ଭୁବନେଶ୍ବର – ବାଜିଛି ନିର୍ବାଚନ ବିଗୁଲ । ଲୋକସଭା ନିର୍ବାଚନ ସହ ଚାରିଟି ରାଜ୍ୟରେ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି ନିର୍ବାଚନ କମିଶନ। ଓଡ଼ିଶାରେ ଚାରିଟି ପର୍ଯ୍ୟାୟରେ ହେବ ଉଭୟ ଲୋକସଭା ଓ ବିଧାନସଭା ନିର୍ବାଚନ ହେବ । ଆଜି ଭୁବନେଶ୍ୱରରେ ରାଜ୍ଯ ମୁଖ୍ଯ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳଙ୍କ ପକ୍ଷରୁ ସାମ୍ବାଦିକ ସମ୍ମିଳନୀରେ ଓଡ଼ିଶାରେ ନିର୍ବାଚନ ପ୍ରସ୍ତୁତି ନେଇ ବିସ୍ତୃତ ସୂଚନା ଦିଆଯାଇଛି ।

ଓଡ଼ିଶାର ମୋଟ ୨୧ ଲୋକସଭା ଆସନ ମଧ୍ୟରୁ ଅନୁସୂଚିତ ଜାତି ପାଇଁ ୩ ଓ ଜନଜାତିଙ୍କ ପାଇଁ ୫ ଆସନ ସଂରକ୍ଷିତ ରହିଛି । ମୋଟ ୧୪୭ ବିଧାନସଭା ଆସନରୁ ଅନୁସୂଚିତ ଜାତିଙ୍କ ପାଇଁ ୨୪ ଓ ଜନଜାତିଙ୍କ ପାଇଁ ୩୩ ଆସନ ସଂରକ୍ଷିତ ।
ନିର୍ବାଚନକୁ ସୁରୁଖୁରୁରେ ପରିଚାଳନା ପାଇଁ ୩୦ଠି ଜିଲ୍ଲା ନିର୍ବାଚନ ଅଧିକାରୀଙ୍କୁ ନିଯୁକ୍ତ କରାଯିବ । ୨୧ ଜଣ ରିଟର୍ଣ୍ଣିଂ ଅଫିସର(ବିଧାନସଭା),୧୩୧ ଜଣ ରିଟର୍ଣ୍ଣିଂ ଅଫିସର(ବିଧାନସଭା) ଙ୍କୁ ନିଯୁକ୍ତ କରାଯାଇ ତାଲିମ ଦିଆଯାଇଛି। ୨୯୪ ଜଣ ସହକାରୀ ରିଟର୍ଣ୍ଣିଂ ଅଫିସର (ବିଧାନସଭା) ନିଯୁକ୍ତ ହୋଇଛନ୍ତି । ବିଭିନ୍ନ ବୁଥରେ ନିୟୋଜିତ ହେବାକୁ ଥିବା ପ୍ରାୟ ୨.୭୦ ଲକ୍ଷ ମତଦାନ କର୍ମଚାରୀଙ୍କୁ ତାଲିମ ଦିଆଯାଇଛି। ପ୍ରତି ମତଦାନ କେନ୍ଦ୍ରରେ ଜଣେ ପ୍ରିଜାଇଡିଂ ଅଫିସର ଓ ୫ଜଣ ଲେଖାଏଁ ପୋଲିଂ ଅଫିସର ରହିବେ ।

ମତଦାନ କେନ୍ଦ୍ରରେ ଭୋଟର ପରିଚୟ ପତ୍ର ଦେଖାଇବେ । ଆଧାରକାର୍ଡ, ପାନକାର୍ଡ, ସ୍ବତନ୍ତ୍ର ଭିନ୍ନକ୍ଷମ ପରିଚୟପତ୍ର, ଡ୍ରାଇଭିଂ ଲାଇସେନ୍ସ, ପାସପୋର୍ଟ, ମନରେଗା କାର୍ଡ ଆଦି ମଧ୍ୟରୁ ଯେ କୈାଣସି ଗୋଟିଏ ଦେଖାଇ ଭୋଟ୍ ଦେଇପାରିବେ ।

ଓଡ଼ିଶାରେ ଭୋଟରଙ୍କ ସଂଖ୍ଯା ୩ କୋଟି ୩୪ ଲକ୍ଷ ୭୩ ହଜାର ୫୬୧ ରହିଛି । ଏଥିମଧ୍ୟରୁ ପୁରୁଷ ଭୋଟରଙ୍କ ସଂଖ୍ଯା ୧ କୋଟି ୬୯ ଲକ୍ଷ ୫୫ ହଜାର ୩୬୯ ରହିଥିବା ବେଳେ ମହିଳା ଭୋଟରଙ୍କ ସଂଖ୍ଯା ହେଉଛି ୧ କୋଟି ୬୫ ଲକ୍ଷ ୧୪ ହଜାର ୭୫୪ । ତୃତୀୟ ଲିଙ୍ଗୀ ଭୋଟରଙ୍କ ସଂଖ୍ଯା ୩ ହଜାର ୪୩୮ ଥିବା ବେଳେ ଭିନ୍ନକ୍ଷମ ଭୋଟରଙ୍କ ସଂଖ୍ଯା ୫ ଲକ୍ଷ ୧୯ ହଜାର ୮୬୧ ରହିଛି । ବରିଷ୍ଠ ନାଗରିକ ଭୋଟରଙ୍କ ସଂଖ୍ଯା ୩ ଲକ୍ଷ ୨ ହଜାର ୨୭୩ । ୧୮ରୁ ୧୯ ବର୍ଷ ବୟସ୍କ ଭୋଟରଙ୍କ ସଂଖ୍ଯା ୭ ଲକ୍ଷ ୯୯ ହଜାର ୩୩୪ ରହିଛି । ସର୍ଭିସ ମତଦାତାଙ୍କ ସଂଖ୍ଯା ୪୯ ହଜାର ୫୯୯ । ପ୍ରବାସୀ ଭୋଟରଙ୍କ ସଂଖ୍ଯା ରହିଛି ୧୮୪ ।

Comments are closed.