ଇଡି ଅଧିକାରୀ କହି ଲୁଟୁଥିଲେ, ଉପଜିଲ୍ଲାପାଳଙ୍କୁ ଠକିବାକୁ ଚେଷ୍ଟା କରି ଧରାପଡିଗଲେ

ଭୁବନେଶ୍ୱର – ନିଜକୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଅଧିକାରୀ ଭାବେ ପରିଚୟ ଦେଇ ଲୋକଙ୍କୁ ଠକୁଥିବା ଦୁଇଜଣଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ ଏସଟିଏଫ । ଗିରଫ ଅଭିଯୁକ୍ତମାନେ ଢେଙ୍କାନାଳର ତାରିଣୀ ସେନ ଓ ବ୍ରହ୍ମଶଙ୍କର ମହାପାତ୍ର।

ଦୁଇ ଅଭିଯୁକ୍ତ ନିଜକୁ ଇଡି ଅଫିସର କହି ଶତାଧିକ ସରକାରୀ କର୍ମଚାରୀ ଓ ଅଧିକାରୀଙ୍କଠାରୁ ଲକ୍ଷାଧିକ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି। ରାଜ୍ୟ ଓ ରାଜ୍ୟ ବାହାରେ ଯେଉଁଠି ଇଡି ରେଡ୍ ହେଉଥିଲା, ସେଠି ଏମାନେ ପହଞ୍ଚି ମିଛ ଯାଞ୍ଚ କରିବା ସହ ମାମଲା ରୁଜୁ ପାଇଁ ଧମକ ଚମକ ଦେଇ ଟଙ୍କା ଆଦାୟ କରୁଥିଲେ । ଦୁଇ ଠକ ରାଞ୍ଚିରେ ବେଶ୍‌ ବିଳାସପୂର୍ଣ୍ଣ ଜୀବନ ବିତାଉଥିଲେ । ସେମାନ ଏକ ଏନଜିଓ ମଧ୍ୟ ଚଳାଉଥିଲେ।

କିନ୍ତୁ ଛତ୍ରପୁର ଉପଜିଲ୍ଲାପାଳ ଦେବଦତ୍ତ ମହନ୍ତଙ୍କୁ ଠକିବାକୁ ଚେଷ୍ଟା କଲାବେଳେ ଦୁଇ ନକଲି ଇଡି ଅଧିକାରୀଙ୍କ ଖେଳ ଶେଷ ହୋଇଯାଇଥିଲା । ଛତ୍ରପୁର ଉପଜିଲ୍ଲାପାଳଙ୍କ ଅଭିଯୋଗ ପରେ କ୍ରାଇମବ୍ରାଞ୍ଚ ତଦନ୍ତ ଆରମ୍ଭ କରି ଏହି ଦୁଇ ନକଲି ଇଡି ଅଧିକାରୀଙ୍କୁ ଗିରଫ କରିଛି। ସେମାନଙ୍କ ନିକଟରୁ ବ୍ୟାଙ୍କ ପାସବୁକ, ନକଲି ଇଡି ପରିଚୟ ପତ୍ର, ୧୭ଟି ଏଟିଏମ କାର୍ଡ ଜବତ କରାଯାଇଛି।

Comments are closed.