ଓଡ଼ିଶାର ପୁରପଲ୍ଲୀରେ ଆଜି ପାଳିତ ହେଉଛି ଭାଇଚାରାର ପର୍ବ ଫଗୁ ଦଶମୀ 

ଆଜି ଫଗୁ ଦଶମୀ l ଫାଲଗୁନ ଶୁକ୍ଳପକ୍ଷ ଦଶମୀ ତିଥି ଠାରୁ ଫଗୁ ବା ଅଭିର ଦେବତାଙ୍କ ସେବାରେ ଲାଗେ l ଏହା ହେଉଛି ହୋଲି ପର୍ବର ପୂର୍ବ ପର୍ବ l

ଫଗୁ ଦଶମୀ ଏକ ବିଚିତ୍ର ପର୍ବ l ଗ୍ରାମ ପୁର ସହରରେ ହିନ୍ଦୁ ଧର୍ମାବଲମ୍ୱୀ ମାନେ ଏହି ପର୍ବକୁ ବୋହୁଳ ଭାବରେ ପାଳନ କରିଥାନ୍ତି l ଏହି ସମୟ ରେ ପ୍ରେମାଵତାର ଶ୍ରୀ ଚୈତନ୍ୟ ମହାପ୍ରଭୁ ଆବିର୍ଭାବ ହେଇଥିଲେ l ତାଙ୍କ ଦେହରେ ରାଧାଙ୍କର ପରିପୁର୍ଣ୍ଣ ଅବତାର ଏବଂ କୃଷ୍ଣଙ୍କର ଅଂଶ ଥିଲା l ରାସ ଲୀଳା ଭଗବାନ କୃଷ୍ଣଙ୍କ ଲିଲା ଭିତରେ ସବୁଠୁ ଶ୍ରେଷ୍ଠ ଲୀଳା l ରାସ ବର୍ଷକୁ ତିନିଥର ହୁଏ କାର୍ତିକ ମାସ ପୂର୍ଣିମା ଦିନ ଶରତ ରାସ l ଦୋଳ ପୂର୍ଣ୍ଣିମାରେ ବସନ୍ତ ରାସ l ଝୁଲଣ ଯାତ୍ରାରେ ପ୍ରାବୃଟ ରାସ l ଦୋଳରେ ଦୋଳଗୋବିନ୍ଦ ଙ୍କୁ ଦେଖ l ମଞ୍ଚରେ ମଧୁସୁଦନ ଙ୍କୁ ଦେଖ l ରଥରେ ବାମନ ରୂପରେ ଦେଖିଲେ ଆଉ ମଣିଷ ଜନ୍ମ ପାଇବନି l

ଫଗୁ ଦଶମୀ ଠାରୁ ବିମାନ ଉପରେ ଭଗବାନ ବସନ୍ତି l ପୁରୀ ଜିଲ୍ଲାରେ ଏହାକୁ ଚାଚେରୀ ବେଶ କୁହାଯାଏ l ଅଭିର ରଙ୍ଗ ବସ୍ତ୍ରରେ ଶୋଭାୟମାନ ହୁଅନ୍ତି ପ୍ରଭୁ l ଜଗନ୍ନାଥ ମହାପ୍ରଭୁ ଖଇ , କୋରା , ସାକାର , କଶି ଆମ୍ବ , ଚଣା ଏ ସବୁ ଭୋଗ ଲାଗି ହୁଏ l ଭଗବାନ ଦଶମୀ ଠାରୁ ଗାଁ ଗାଁ ରେ ବିମାନ ଉପରେ ବସି ରାଧା କୃଷ୍ଣ ହୁଅନ୍ତୁ କି ରାମ ହୁଅନ୍ତୁ, ନୃସିଂହ ହୁଅନ୍ତୁ, ଶଙ୍କର ହୁଅନ୍ତୁ ବିଭିନ୍ନ ସ୍ଥାନରେ ଭିନ୍ନଭିନ୍ନ ରୂପରେ ବିରାଜ ମାନ ହୋଇ ଗ୍ରାମ ଭ୍ରମଣ କରନ୍ତି l ଗାଁ ରେ ଘରେଘରେ ପନ୍ଥି ଭୋଗ ଖାଇବେ ଏବଂ ଦୋଳ ବେଦୀକୁ ଯିବେ ଠାକୁର l

ବୈଷ୍ଣବ ଧର୍ମାବଲମ୍ବୀଙ୍କ ମତାନୁଯାୟୀ ବୃନ୍ଦାବନରେ ଗୋପୀମାନେ ସେମାନଙ୍କର ପରମାରାଧ୍ୟ ଓ ପରମ ପ୍ରେମିକ ଶ୍ରୀକୃଷ୍ଣଙ୍କ ସହ ଚାଚେରି ଖେଳିଥିଲେ I ଗୋପୀମାନେ ଶ୍ରୀକୃଷ୍ଣଙ୍କୁ ଫୁଲହାରରେ ମଣ୍ଡନ କରିଥିଲେ, ଦୋଳି ଖେଳାଇଥିଲେ ଏବଂ ତାଙ୍କ ସହ ଫଗୁ ଖେଳି ଆମୋଦ ପ୍ରମୋଦରେ ମଗ୍ନ ଥିଲେ I ତେଣୁ ଦୋଳଯାତ୍ରା ଅବସରରେ ରାଧାକୃଷ୍ଣଙ୍କ ଯୁଗଳମୂର୍ତ୍ତି ଛୋଟଛୋଟ ବିମାନରେ ଚିତ୍ତାକର୍ଷକ ସାଜସଜ୍ଜା ସହିତ ମହାଆଡମ୍ବର ସହକାରେ ଗ୍ରାମର ପ୍ରାୟ ପ୍ରତ୍ୟେକଙ୍କ ଦ୍ୱାରକୁ ନିଆଯାଇଥାଏ Iପ୍ରାୟତଃ ପ୍ରତ୍ୟେକଙ୍କ ଦ୍ୱାରରେ ଠାକୁରଙ୍କୁ ଭୋଗ ଅର୍ପଣ କରାଯିବା ସଙ୍ଗେସଙ୍ଗେ ପୁରୋହିତଙ୍କୁ ଦକ୍ଷିଣା ମଧ୍ୟ ଦିଆଯାଏ I ଠାକୁରଙ୍କ ଉଦ୍ଦେଶ୍ୟରେ ପ୍ରତ୍ୟେକ ଦ୍ୱାର ରେ ଅର୍ପିତ ଭୋଗକୁ ‘ଦ୍ୱାରୀ ଭୋଗ’ କୁହାଯାଏ I ଭଗବାନ ସବୁବେଳେ ଭକ୍ତଙ୍କର- ଏହା ହିଁ ପ୍ରତିପାଦିତ କରିବା ବୋଧହୁଏ ଦ୍ୱାରୀ ଭୋଗର ଉଦ୍ଦେଶ୍ୟ I ଭକ୍ତମାନେ ସବୁବେଳେ ଠାକୁରଙ୍କୁ ଦର୍ଶନ କରୁଥିଲେ ମନ୍ଦିରରେ I ନୈବେଦ୍ୟ ଅର୍ପଣ କରୁଥିଲେ ଭଗବାନଙ୍କ ପୀଠସ୍ଥଳୀରେ; କିନ୍ତୁ ଦୋଳଉତ୍ସବ ପାଳନ କରାଯାଉଥିବାବେଳେ ତାଙ୍କର ସୁଉଚ୍ଚ ସିଂହାସନ ଉପରୁ ଠାକୁରେ ଓହ୍ଲାଇ ଆସୁଥିଲେ ରାଜଦାଣ୍ଡ ଉପରକୁ I ଭକ୍ତର ଦ୍ୱାର ନିକଟକୁ I ସେମାନଙ୍କ ନିକଟକୁ ଯାଇ ଭକ୍ତି ନୈବେଦ୍ୟ ଗ୍ରହଣ କରିବା ଉଦ୍ଦେଶ୍ୟରେ ଏହି ଯାତ୍ରା; ଦୋଳି ବା ହୋଲି ଉତ୍ସବ I

ରଥଯାତ୍ରାବେଳେ ଯେଭଳି ଜଗତର ନାଥ ଜଗନ୍ନାଥ ନିଜ ସିଂହାସନ ଉପରୁ ରାଜଦାଣ୍ଡକୁ ଓହ୍ଲାଇ ଆସନ୍ତି ଭକ୍ତବୃନ୍ଦକୁ ଦର୍ଶନ ଦେବା ପାଇଁ, ଶ୍ରୀକୃଷ୍ଣ ଭକ୍ତମାନଙ୍କଠାରୁ ଭୋଗ ନେବା ପାଇଁ ଠିକ୍ ସେହିପରି ଦୋଳ ଉତ୍ସବବେଳେ ଚାଲିଯାଇଥାନ୍ତି ଭକ୍ତମାନଙ୍କ ଅତିନିକଟକୁ I ପୁରୀ ମନ୍ଦିର ଭଳି ଭୁବନେଶ୍ୱର ଲିଙ୍ଗରାଜଙ୍କ ମନ୍ଦିରରେ ମଧ୍ୟ ଦୋଳଯାତ୍ରା ମହାସମାରୋହରେ ପାଳିତ ହୁଏ ।

ଏ ଯାତ୍ରା ବଡ ପ୍ରସିଦ୍ଧ ଜାତ୍ରା l ଯିଏ ଦଶମୀ ଠାରୁ ଏ ଜାତ୍ରା କୁ ଦେଖିବ ଏ ଜାତ୍ରା ରେ ସାମିଲ ହେବ ପ୍ରଭୁଙ୍କ ଲିଳା ର ସହୋଚରୀ ହେବ ତାର ଦଶଦୋଷ କ୍ଷମା ହୋଇଯାଏ l ଦଶଦୋଷ ରୁ ସେ ମୁକ୍ତିପାଇବ l ଦୋଳ ପୂର୍ଣ୍ଣିମା ର ପୁର୍ବ ପାଞ୍ଜଦିନ ଠାରୁ ଦୋଳ ପୂର୍ଣ୍ଣିମାର ପର ପାଞ୍ଜ ଦିନ ପର୍ଯ୍ୟନ୍ତ ଏହାର ପ୍ରଭାବ ଥାଏ l ବାସ୍ତବରେ ଏ ପର୍ବ ଏକ ଭାଇ ଚାରାର ପର୍ବ। କାରଣ ଏହି ପ୍ରସିଦ୍ଧ ପର୍ବ କେବଳ ଏକ ସମ୍ପ୍ରଦାୟର କାଠଗଣ୍ଡି ଭିତରେ ସୀମିତ ନ ରହି ଏହା ଦେଶ ବିଦେଶ ସମେତ ସମଗ୍ର ମାନବ ଜାତିକୁ ପ୍ରଭାବିତ କରିଛି ଏଥିରେ ସନ୍ଦେହର ଅବକାଶ ନାହିଁ।

Comments are closed.