ଆଜି ପବିତ୍ର ପାପନାଶନୀ ବା ଅଁଳା ଏକାଦଶ ବ୍ରତ

ଏକାଦଶୀ ବ୍ରତରେ ଭଗବାନ ବିଷ୍ଣୁଙ୍କୁ ପୂଜା କରାଯାଏ । ଅନ୍ୟ ଅର୍ଥରେ କହିବାକୁ ଗଲେ ଏହି ବ୍ରତରେ ପ୍ରକୃତି ଉପାସନା ପ୍ରତି ମଧ୍ଯ ବିଶେଷ ଧ୍ୟାନ ଦିଆଯାଏ ।

ସନାତନ ତଥା ହିନ୍ଦୁ ଧର୍ମରେ ଏକଦଶୀ ବ୍ରତକୁ ଅଧିକ ଗୁରୁତ୍ୱ ପ୍ରଦାନ କରାଯାଇଛି । କୁର୍ମ ପୁରାଣ , ବ୍ରହ୍ମାଣ୍ଡ ପୁରାଣ , ନାରଦ ପୁରାଣ , ବ୍ରହ୍ମ ପୁରଣ , ଭବିଷ୍ୟ ପୁରାଣ , ବ୍ରହ୍ମ କୈବର୍ତ୍ୟ ପୁରାଣ , ଅଗ୍ନି ପୁରଣ ଓ ସ୍କନ୍ଦ ପୁରାଣ ରେ ଏକଦଶୀ ବ୍ରତର ମାହାତ୍ମ ସମ୍ପର୍କରେ ବିଷଦ ଭାବେ ବର୍ଣ୍ଣିତ ହୋଇଛି । ପ୍ରତ୍ୟକ ମାସରେ କୃଷ୍ଣପକ୍ଷ ଏକାଦଶୀ ଓ ଶୁକ୍ଳ ଏକାଦଶୀ ଏହିପରି ଦୁଇଟି ଲେଖାଏଁ କରି ବର୍ଷକୁ ୨୪ ଗୋଟି ଏକାଦଶୀ ବ୍ରତ ପାଳନର ବିଧି ଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି ।

ହିନ୍ଦୁମାନଙ୍କର ଏକ ପବିତ୍ର ବ୍ରତ ଏକାଦଶୀ । ସାଧାରଣତଃ ବ୍ରାହ୍ମଣଘରର ବିଧବାମାନେ ଚବିଶ ଏକାଦଶୀ ପାଳିବା ବାଧ୍ୟତାମୂଳକ ଅଟେ । ତା’ଛଡ଼ା ସ୍ମାର୍ତ୍ତ ଓ ପରମାର୍ଥ ଧାର୍ମିକ ଆଚରଣରେ ସମଗ୍ର ଭାରତରେ ଏକାଦଶୀ ଏକ ପ୍ରମୁଖ ସାର୍ବଜନୀନ ବ୍ରତର ମାନ୍ୟତା ପାଇଛି । ଜୀବଦଶାରେ ଜ୍ଞାତସାରରେ ବା ଅଜାଣତରେ କରିଥିବା ପାପକୁ ନଷ୍ଟ କରି ପରଜନ୍ମ ପାଇଁ ପୁଣ୍ୟ ସଞ୍ଚୟ କରିବା ଆମ ଧାର୍ମିକ ପରମ୍ପରାର ମହାନ ଉଦ୍ଦେଶ୍ୟ – ଭାବିବା କଥା ଯେ କଣ ଏକାଦଶୀ କରି ପାପ ମୁକ୍ତିଲାଭ ହୋଇ ପାରିବ? କଥାଚିତ୍ ନୁହେଁ । ଏଥିପାଇଁ ରହିଛି ନିତ୍ୟ ବ୍ରତ, ନୈମିତ୍ତିକ ବ୍ରତ ଓ କାମ୍ୟ ବ୍ରତ ଆଚରଣ ବ୍ୟବସ୍ଥା । ଶାସ୍ତ୍ରୀୟବିଚାରରେ ଚାନ୍ଦ୍ରାୟଣ ବ୍ରତକୁ ନୈମିତ୍ତିକ ବ୍ରତ କୁହାଯାଏ ଏବଂ ଏହାଦ୍ୱାରା ପୂର୍ବକୃତ ପାପ କ୍ଷୟ ହୁଏ । ଓଷାବ୍ରତ ପରି କାମ୍ୟ ବ୍ରତରେ ସୁଖ ଓ ସୌଭାଗ୍ୟ ପ୍ରାପ୍ତି ହୁଏ । ମାତ୍ର ଏକାଦଶୀ ପରି ନିତ୍ୟ ବ୍ରତରେ ପୁଣ୍ୟ ସଞ୍ଚୟ ହୁଏ । କେତେଗୁଡିଏ ଏକାଦଶୀରେ ଏକଭୁକ୍ତ ବା ବେଳାଏ ଖାଇ ପାଳନ କରାଯାଏ ଅନ୍ୟ କେତେଗୁଡ଼ିକରେ ଅନ୍ନଜଳ ସମ୍ପୂର୍ଣ୍ଣ ତ୍ୟାଗକରାଯିବାର ବିଧି ରହିଛି । ଏକାଦଶୀ ଦିନ ଶରୀର ଓ ମନରେ ଶୁଦ୍ଧ ରହି କ୍ରୀଡା, ନିଦ୍ରା, ମଦ୍ୟପାନ, ପରନିନ୍ଦା, ଅସୂୟା, ଚୋରି, ହିଂସା, ରତି, କ୍ରୋଧ, ଅସତ୍ୟଭାଷଣ ପରି ଏଗାରଟିରୁ ବିରତ ରହିବା ଉଚିତ । ପୁତ୍ରବାନ ଗୃହସ୍ଥ କେବଳ ଶୁକ୍ଳ ଏକାଦଶୀ ଏବଂ ବାନପ୍ରସ୍ଥ ସନ୍ନ୍ୟାସୀ ଓ ବିଧବା ଉଭୟ ଏକାଦଶୀ କରିପାରିବେ । ବୈଜ୍ଞାନିକ ଦୃଷ୍ଟିକୋଣରୁ ଏକାଦଶୀ ପାଳନଦ୍ୱାରା ପେଟକୁ ବିଶ୍ରାମ ମିଳେ ଓ ପାକାଗ୍ନିକୁ ସକ୍ରିୟ କରାଏ । ଫଳରେ ଅଜୀର୍ଣ୍ଣ, ଉଦରଶୂଳ, ଅଗ୍ନିମାନ୍ଦ୍ୟ ଆଦି ରୋଗରୁ ରକ୍ଷା ମିଳେ ।
ଫାଲ୍‌ଗୁନ ଶୁକ୍ଳ ଏକାଦଶୀକୁ ଅଅଁଳା ଏକାଦଶୀ ଭାବେ ପାଳନ କରାଯାଏ । ଶାସ୍ତ୍ରରେ ଅଅଁଳା ବୃକ୍ଷକୁ ଶ୍ରେଷ୍ଠ ବୋଲି କୁହାଯାଇଛି । ପୌରାଣିକ ମତେ ସୃଷ୍ଟି ରଚନା ପାଇଁ ବିଷ୍ଣୁ ବ୍ରହ୍ମାଙ୍କୁ ଜନ୍ମ ଦେଇଥିଲେ, ସେହି ସମୟରେ ଅଅଁଳା ବୃକ୍ଷର ଜନ୍ମ । ସ୍ୱୟଂ ବିଷ୍ଣୁ ଅଅଁଳା ବୃକ୍ଷକୁ ଆଦିବୃକ୍ଷ ରୂପେରେ ପ୍ରତିଷ୍ଠିତ କରିଥିଲେ । ଅଅଁଳାର ପ୍ରତ୍ୟେକ ଅଂଶରେ ଭଗବାନ୍ ବିରାଜମାନ ବୋଲି ହିନ୍ଦୁମାନେ ବିଶ୍ୱାସ କରନ୍ତି । ଭଗବାନ ବିଷ୍ଣୁଙ୍କ ପ୍ରସନ୍ନତା ଏବଂ ମୋକ୍ଷର କାମନା ଲାଗି ଅଅଁଳା ଏକାଦଶୀ ଦିନ ଭକ୍ତ ନିତ୍ୟକର୍ମ ସାରି ଭଗବାନ ବିଷ୍ଣୁଙ୍କ ପ୍ରତିମାକୁ ଧ୍ୟାନ କରି ସଂକଳ୍ପ ନେଇ ଏକାଦଶୀ ବ୍ରତ ରଖିଥାନ୍ତି । ଭଗବାନଙ୍କ ପୂଜା ପରେ ଅଅଁଳା ବୃକ୍ଷ ପୂଜା କରିବା ଉଚିତ । ଏହିଦିନ ବିଷ୍ଣୁଙ୍କ ଷଷ୍ଠ ଅବତାର ପର୍ଶୁରାମଙ୍କ ସ୍ୱର୍ଣ୍ଣମୂର୍ତ୍ତି ସ୍ଥାପନ କରି ବିଧିବଦ୍ଧ ଭାବେ ପୂଜା କରାଯାଏ । ଦ୍ୱାଦଶୀ ଦିନରେ ଏକାଦଶୀ ବ୍ରତ ଉଦ୍‌ଯାପନ କରି ବ୍ରାହ୍ମଣଙ୍କୁ ପର୍ଶୁରାମ ମୂର୍ତ୍ତି ଭେଟି ଦିଆଯାଏ । ଭଗବାନ କହିଛନ୍ତି – ଯେଉଁ ପ୍ରାଣୀ ସ୍ୱର୍ଗ ଏବଂ ମୋକ୍ଷ ପ୍ରାପ୍ତି ପାଇଁ କାମନା କରୁଛନ୍ତି ସେମାନେ ଫାଲଗୁନ ଶୁକ୍ଳ ପକ୍ଷରେ ଏକାଦଶୀ ବ୍ରତ କରିବା ଉଚିତ୍ ।

Comments are closed.