ପରମ୍ପରାର ପ୍ରତୀକ: ଗଞ୍ଜାମର ପ୍ରସିଦ୍ଧ ଦୋଳ ଯାତ୍ରା

ଛତ୍ରପୁର: ଗଞ୍ଜାମ ଜିଲ୍ଲାରେ ଗଞ୍ଜାମ ସହରର ଐତିହ୍ୟସମ୍ପନ୍ନ ପାରମ୍ପରିକ ଦୋଳ ଯାତ୍ରା କାହିଁ କେବେ ଠାରୁ ଆୟୋଜିତ ହେଉଛି। ଗତ ଗୁୁରୁବାରରୁ ଏହା ଆରମ୍ଭ ହୋଇଥିବା ବେଳେ ସୋମବାର ଦୋଳ ପୂର୍ଣ୍ଣିମା ତିଥିରେ ସମାପ୍ତ ହେବ। ଏହା କେବଳ ଜିଲ୍ଲାରେ ନୁହେଁ ବରଂ ରାଜ୍ୟର ଅନ୍ୟତମ ପ୍ରସିଦ୍ଧ ଶ୍ରୀ ରାଧାକୃଷ୍ଣଙ୍କ ଦୋଳ ଯାତ୍ରା ଭାବେ ପ୍ରସିଦ୍ଧି ଲାଭ କରିଛି।

ଗୁରୁବାରରୁ ଠାକୁରମାନେ ନିଜ ନିଜ ମନ୍ଦିରରୁ ବାହାରି ଦୋଳରେ ବିଜେ କରି ସାହି ଓ ଗାଁ ପରିକ୍ରମା କରୁଛନ୍ତି। ଠାକୁରଙ୍କ ଦୋଳ ନିକଟରେ ସେହି ପୁରାତନ ଦିହୁଡି ପରମ୍ପରା ଆଜିବି ପ୍ରଚଳିତ ରହିଛି। ଠାକୁରମାନଙ୍କୁ ଦୋଳରେ ବିଜେ କରାଯିବା ପୂର୍ବରୁ ଫଗୁ ପୂଜା ହୋଇ ଫଗୁ ଲାଗି କରାଯାଇଥିଲା। ପରେ ପରିକ୍ରମା ସହ ଘର ଘର ନିକଟକୁ ଯାଇ ଠାକୁରମାନେ ଭୋଗ ଖାଇଥିଲେ। ଯାତ୍ରା ପାଇଁ ସମସ୍ତ ସାହି ଓ ଗଳିକୁ ସୁନ୍ଦର ଆଲୋକରେ ସଜାଯାଇଛି।‌ଏଥିପାଇଁ ସମଗ୍ର ଗଞ୍ଜାମ ସହର ସମେତ ଆଖପାଖ ଗ୍ରାମାଞ୍ଚଳ ଏଥିପାଇଁ ଉତ୍ସବମୁଖର ଓ ଚଳଚଞ୍ଚଳ।

ଏହି ଐତିହ୍ୟ ଦୋଳ ଯାତ୍ରା ଯଦିଓ ଏକାଦଶୀ ଠାରୁ ପୂର୍ଣ୍ଣମୀ ପାଞ୍ଚ ଦିନ ଅନୁଷ୍ଠିତ ହୁଏ। କିନ୍ତୁ ଏଠିକାର ଦୋଳଯାତ୍ରାର ପ୍ରାଚୀନ ପରମ୍ପରାକୁ ଆଲୋଚନା କରାଗଲେ ଜଣାଯାଏ କି ଫଗୁଦଶମୀ ଠାରୁ ହିଁ ଠାକୁରଙ୍କ ଯାତ୍ରା ଆରମ୍ଭ ହୋଇଥାଏ। ଯାତ୍ରାରେ ଅଂଶ ଗ୍ରହଣ କରୁଥିବା ଠାକୁରମାନଙ୍କ ମନ୍ଦିରରେ ପ୍ରଥମେ ଭିତିରି ଫଗୁ ପୂଜା ହୁଏ। ସେହି ରାତ୍ର ଠାକୁରଙ୍କ ନିକଟରେ ଫଗୁ ପୂଜା ପରେ ଠାକୁରଙ୍କୁ ଲାଗି ହୁଏ l ଏହାପରେ ସମସ୍ତ ଭକ୍ତ ନିଜକୁ ଓ ପରସ୍ପରକୁ ଲଗାଇଥାନ୍ତି। ଏକାଦଶୀ ତିଥିରେ ଠାକୁରମାନେ ଦୋଳରେ ବୁଲି ଯିଏ ଯାହା ସାହି ଓ ଗାଁରେ ଭୋଗ ଖାଇଥାନ୍ତି। ଦ୍ୱାଦଶୀ ଯାତ୍ରାରେ ସାମନ୍ତରା ସାହି, ଦୁର୍ଗାଦେବୀ ସାହି, ନୂଆ ସାହି, ଚୋୖଧୁରୀ ସାହି ଓ ପଣ୍ଡା ସାହିର ମନ୍ଦିରରେ ବିଜେ ଠାକୁର ମାନଙ୍କୁ ଛାଡିଦେଲେ ଅନ୍ୟ ସାହି ଓ ଗାଁମାନଙ୍କର ଠାକୁରମାନେ ଦୋଳରେ ବୁଲି ଭୋଗ ଗ୍ରହଣ କରିଥାନ୍ତି। ଉକ୍ତ ୫ଟି ସାହିର ଠାକୁର ସମ୍ପୃକ୍ତ ସାହି ମାନଙ୍କୁ ଯାଇ ମିଳିତ ଭାବେପରିକ୍ରମା କରି ଭୋଗ ଗ୍ରହଣ କରିଥାନ୍ତି।

ଶନିବାର ସାହି ଯାତ୍ରା ହେଉଛି। ସାହି ମାନଙ୍କରେ ପ୍ରସ୍ତୁତ ମେଢ଼ ବା କୁଞ୍ଜରେ ଠାକୁରମାନେ ବିଜେ କରନ୍ତି। ଦିହୁଡି ଓ ଫଗୁ ଲାଗି ହୁଏ। ଠାକୁର ବିଜେ ପରେ ଲୋକକଳା ସମେତ ଅନ୍ୟାନ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୁଏ। ରବିବାର ହେବ ବଜାର ଯାତ୍ରା l ସାମନ୍ତରା ସାହି, ଦୁର୍ଗାଦେବୀ ସାହି, ନୂଆ ସାହି, ପଣ୍ଡା ସାହି, ଚୌଧୁରୀ ସାହି, ରାଉଳ ସାହି, ବ୍ରାହ୍ମଣ ଢାମଣା ସାହି, ଓଡ଼ିଆ ଢାମଣା ସାହି, କେଉଟ ସାହି, ଦାମୋଦରପୁର, କର୍ତ୍ତି ସାହି, ପୁଇଁତୋଳା ବାରିକ ସାହି, କାର୍ଜି ସାହି, ସାନ ସାହି, ବିଞ୍ଚଣାପଲ୍ଲୀ ଓ ସୂର୍ଯ୍ୟନାରାୟଣପୁର ଗ୍ରାମର ଠାକୁରମାନେ ଏହି ଯାତ୍ରାରେ ଅଂଶ ଗ୍ରହଣ କରିଥାନ୍ତି। ଏଥିପାଇଁ ସବୁ ସାହି ଗାଁ ମାନଙ୍କରେ ପରିବେଶ ଏବେ ଚଳଚଞ୍ଚଳ। ପୁରୁଣା ଜଗନ୍ନାଥ ମନ୍ଦିର ପରିସରରେ ଥିବା ନୃସିଂହ ଠାକୁରଙ୍କ କୋହଲା ଏବଂ ଠାକୁର ଯାତ୍ରାରେ ଅଂଶଗ୍ରହଣ ର ପରମ୍ପରା ଥିବାରୁ ମନ୍ଦିର ସଜେଇ ହୋଇଛି।

Comments are closed.