ବିଜେପିର ପଞ୍ଚମ ପ୍ରାର୍ଥୀ ତାଲିକାରେ ସ୍ଥାନ ପାଇଲେ କଙ୍ଗନା, ଅରୁଣ ଗୋଭିଲ; ବରୁଣ ଗାନ୍ଧୀଙ୍କ ଟିକେଟ୍ କଟିଲା

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପାଇଁ ବିଜେପି ରବିବାର ୧୧୧ ଜଣିଆ ପଞ୍ଚମ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଦଳ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଭି.କେ ସିଂହଙ୍କ ସ୍ଥାନରେ ଗାଜିଆବାଦରୁ ସ୍ଥାନୀୟ ବିଧାୟକ ଅତୁଲ ଗର୍ଗଙ୍କୁ ଟିକେଟ୍ ଦେଇଥିବାବେଳେ ବିହାରର ବକ୍ସରରୁ କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ଚୌବେଙ୍କ ଟିକେଟ୍ କାଟିଛି ଏବଂ ତାଙ୍କ ସ୍ଥାନରେ ମିଥିଲେଶ ତିୱାରୀଙ୍କୁ ପ୍ରାର୍ଥୀ କରିଛି ।

ପିଲିଭିତରୁ ବର୍ତ୍ତମାନର ସାଂସଦ ବରୁଣ ଗାନ୍ଧୀଙ୍କ ଟିକେଟ୍ ମଧ୍ୟ କାଟିଛି ଦଳ । ବରୁଣଙ୍କ ସ୍ଥାନରେ ଏହି ଆସନରୁ ରାଜ୍ୟସଭା ସାଂସଦ ଜିତିନ ପ୍ରସାଦଙ୍କୁ ପ୍ରାର୍ଥୀ କରାଯାଇଥିବା ବେଳେ ତାଙ୍କ ମାଆ ମେନକା ଗାନ୍ଧୀଙ୍କୁ ପୁଣି ସୁଲତାନପୁରରୁ ରିପିଟ୍ କରାଯାଇଛି। ବିଜେପି ଓଡ଼ିଶାର ୨୧ଟି ଆସନ ମଧ୍ୟରୁ ୧୮ଟି ପାଇଁ ପ୍ରାର୍ଥୀ ଘୋଷଣା କରିଛି। କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓଡ଼ିଶାର ସମ୍ବଲପୁରରୁ ନିର୍ବାଚନ ଲଢ଼ିବେ।

ବିଜେପିର ପଞ୍ଚମ ତାଲିକାରେ ବଲିଉଡ୍ ଅଭିନେତ୍ରୀ କଙ୍ଗନା ରନାୱତଙ୍କ ନାମ ମଧ୍ୟ ରହିଛି। ତାଙ୍କୁ ହିମାଚଳ ପ୍ରଦେଶର ମଣ୍ଡିରୁ ଟିକେଟ୍ ଦିଆଯାଇଛି। ସେହିପରି ଅଭିନେତା ଅରୁଣ ଗୋଭିଲଙ୍କୁ ଉତ୍ତର ପ୍ରଦେଶର ମିରଟରୁ ପ୍ରାର୍ଥୀ କରାଯାଇଛି। ବିଜେପିରେ ଯୋଗଦେବା କ୍ଷଣି ପୂର୍ବତନ କଂଗ୍ରେସ ସାଂସଦ ତଥା ଶିଳ୍ପପତି ନବୀନ ଜିନ୍ଦଲଙ୍କୁ କୁରୁକ୍ଷେତ୍ରରୁ ପ୍ରାର୍ଥୀ କରିଛି ବିଜେପି ।

କେନ୍ଦ୍ର ମନ୍ତ୍ରୀ ଗିରିରାଜ ସିଂହ ପୁଣି ଥରେ ବିହାରରୁ ବେଗୁସରାଇରୁ ପ୍ରତିଦ୍ୱନ୍ଦ୍ୱିତା କରୁଥିବାବେଳେ ବିହାରର ଅନ୍ୟ ଜଣେ କେନ୍ଦ୍ର ମନ୍ତ୍ରୀ ନିତ୍ୟାନନ୍ଦ ରାୟ ଉଜିଆରପୁରରୁ, ଆରାରୁ ଆର.କେ ସିଂହ, ପାଟଳିପୁତ୍ରରୁ ରାମକୃପାଳ ଯାଦବ ପ୍ରତିଦ୍ୱନ୍ଦ୍ୱିତା କରିବେ। ପୂର୍ବତନ କେନ୍ଦ୍ର ମନ୍ତ୍ରୀ ରବି ଶଙ୍କର ପ୍ରସାଦଙ୍କୁ ପୁଣି ଥରେ ପାଟନା ସାହିବ ଏବଂ ସୁଶୀଲ କୁମାର ସିଂଙ୍କୁ ଔରଙ୍ଗାବାଦରୁ ଟିକେଟ୍ ଦିଆଯାଇଛି। ରାଜ୍ୟସଭା ସଦସ୍ୟ ବିବେକ ଠାକୁରଙ୍କୁ ନବାଦାରୁ ପ୍ରାର୍ଥୀ କରାଯାଇଛି।

ପୂର୍ବ ଚମ୍ପାରନରୁ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ରାଧା ମୋହନ ସିଂହ ପ୍ରତିଦ୍ୱନ୍ଦ୍ୱିତା କରୁଥିବାବେଳେ ସଞ୍ଜୟ ଜୈସୱାଲ ପୁଣି ଥରେ ପଶ୍ଚିମ ଚମ୍ପାରନରୁ ପ୍ରତିଦ୍ୱନ୍ଦ୍ୱିତା କରିବେ।

ବିଜେପି ସୀତା ସୋରେନଙ୍କୁ ଝାଡ଼ଖଣ୍ଡର ଡୁମକା ଠାରୁ ପ୍ରାର୍ଥୀ କରିଛି। ସୀତା ସୋରେନ ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ବୋହୂ ଏବଂ ନିକଟରେ ସେ ବିଜେପିରେ ଯୋଗ ଦେଇଥିଲେ।

ୱାୟାନଡ ଆସନରୁ ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀଙ୍କ ବିରୋଧରେ କେରଳ ବିଜେପିର ପୂର୍ବତନ ସଭାପତି କେ ସୁରେନ୍ଦ୍ରନଙ୍କୁ ପ୍ରାର୍ଥୀ କରିଛି ଦଳ। ବିଜେପି ଏପର୍ଯ୍ୟନ୍ତ ୨୯୧ ଲୋକସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରିସାରିଛି।

Comments are closed.